କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ; ବେଆଇନ ଭାବେ ଚାଲିଛି ଶତାଧିକ ଡାକ୍ତରଖାନା!

Advertisment

ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌

ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌

କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ; ବେଆଇନ ଭାବେ ଚାଲିଛି ଶତାଧିକ ଡାକ୍ତରଖାନା!

New Indian Express

କଟକ: କରୋନା କାଳରେ କଷଣ ଦେଉଛନ୍ତି ଘରୋଇ ମେଡିକାଲ। କରୋନା ମହାମାରୀକୁ ସୁ‌ଯୋଗ ଭାବି ‌ରୋଗୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କରୋନା ବେଳେ ବି ଦଲାଲି କରି ଅର୍ଥ ‌ରୋଜଗାର କରିବାର ବାଟ ବାଛିଛନ୍ତି କିଛି ଘରୋଇ ମେଡିକାଲ। ଗତକାଲି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ପୁଅର ଚିକିତ୍ସା କରୁଥିବା କଟକ-ପାରାଦୀପ ରୋଡ୍‌ସ୍ଥିତ ଘରୋଇ ଚିକିତ୍ସାଳୟର ଚିକିତ୍ସା ଅବ୍ୟବସ୍ଥାକୁ ନେଇ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିଥିଲେ। ସୁବିଧା ନ ଥାଇ ବି ହସ୍ପିଟାଲର ବ୍ୟୟବହୁଳ ଚିକିତ୍ସାକୁ ନେଇ ଉଲ୍ଲେଖ କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କ ସମସ୍ୟା କଥା ବି ଲେଖିଥିଲେ। ଶଯ୍ୟାଟିଏ ନ ପାଇବାରୁ ସେ ବାଧ୍ୟ ହୋଇ ଏହି ମେଡିକାଲକୁ ଯାଇଥିଲେ। ତେବେ ଶ୍ରୀ ନନ୍ଦଙ୍କ ଏହି ଟୁଇଟ୍‌ ପରେ ଏକ ସମ୍ବେଦନଶୀଳ ତଥା ବିବାଦୀୟ ତଥ୍ୟ ସାମ୍ନାକୁ ଆସିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଖାତାରେ ଉକ୍ତ ମେଡିକାଲର ନାଁ ନାହିଁ। ଅର୍ଥାତ ଉକ୍ତ ମେଡିକାଲ୍‌ର ଲାଇସେନ୍‌ସ ନାହିଁ ଓ ତାହା ଏକ ବେଆଇନ ମେଡିକାଲ ବୋଲି ଜଣାପଡ଼ିଛି। ମେଡିକାଲ ପାଇଁ ହସ୍ପିଟାଲ କର୍ତୃପକ୍ଷ କରିଥିବା ଆବେଦନକୁ ଖାରଜ କରି ଦିଆଯାଇଛି। ତେବେ ଲାଇସେନ୍ସ ନ ଥିବା ଓ ମେଡିକା‌ଲ ଖୋଲିବାକୁ ଅନୁମତି ନ ଥିବା ଉକ୍ତ ହସ୍ପିଟାଲ କିଭଳି ଚାଲିଛି ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଭା ହୋଇଛି। ପାଖାପାଖି ୫୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କିନ୍ତୁ ବେଧଡ଼କରେ ଚାଲିଛି। କେବଳ ସେତିକି ନୁହେଁ, ଏହି ମେଡିକାଲରେ ଆଇସିୟୁ ବେଡ୍‌ ବି ରହିଛି, ସବୁ ଉଚ୍ଚତର ଚିକିତ୍ସା ମିଳୁଛି ବୋଲି ଉଲ୍ଲେଖ ରହିଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରତିଦିନ ଏଠାରେ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି। ଆମ୍ବୁଲାନସ ଚାଳକ ଏହି ମେଡିକାଲ୍‌ ପାଇଁ ଦଲାଲିର ମୁଖ୍ୟ ସୂତ୍ରଧର ସାଜିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉନ୍ନତ ଘରୋଇ ମେଡିକାଲ ସେବା ପାଇଁ କଟକକୁ ଆସି ରୋଗୀ ଶୋଷଣର ଶିକାର ହେଉଛନ୍ତି।

କଟକରେ ଏହିଭଳି ଶତାଧିକ ମେଡିକାଲ ଏଭଳି ଚାଲିଛି। କିଏ ଆବେଦନ କରି ଏହାକୁ ସ୍ବୀକୃତିପତ୍ର ଭାବେ ଧରି‌ ନେଇ ମେଡିକାଲ ଚଲାଉଛି ତ’ ଆଉ କାହାର ନାକଚ୍‌ ହେଲା ପରେ ବି ସେ ମେଡିକାଲ ଚଳାଇଛନ୍ତି। ଜଣେ ଜଣେ ଡାକ୍ତରଙ୍କ ନାମକୁ ଏକାଧିକ ମେଡିକାଲ ବ୍ୟବହାର କରୁଛନ୍ତି। କଟକ ଜିଲ୍ଲାର ସବୁ ‌‘ପେରିଫେରି’ ଡାକ୍ତରଙ୍କୁ ନେଇ ସହରରେ ଶତାଧିକ ମେଡିକାଲ ଚାଲିଛି। ଉକ୍ତ ଡାକ୍ତରମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାଡି କଟକରେ ଘରୋଇ ମେଡିକାଲ ଖୋଲିଛନ୍ତି। କାହାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ‌ାହିଁ ତ’ ଆଉ କାହାର ଭିତ୍ତିଭୂମି। ତଥ୍ୟ ମୁତାବକ, କଟକରେ ୪୧୫ଟି ଘରୋଇ ମେଡିକାଲ, ନର୍ସିଂହୋମ ରହିଛି। ମାତ୍ର ସେଥିରୁ ଅର୍ଦ୍ଧାଧିକଙ୍କର ଲାଇସେନ୍ସ୍‌ ନବୀକରଣ ହୋଇ ନାହିଁ। ସରକାରଙ୍କ ନିୟମାବଳୀ ବା ସର୍ତ୍ତ ପୂରଣ କରୁ ନ ଥିବାରୁ ଏମାନଙ୍କୁ ଲାଇସେନସ ଦିଆଯାଉ ନାହିଁ। ମାତ୍ର ମେଡିକାଲ ଚାଲିଛି। ସହରରେ ଏଭଳି ହସ୍‌ପିଟାଲ୍‌ରେ ଚିକିତ୍ସା ଚାଲିଥିବା ନେଇ ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କୁ ପଚାରିବାରେ ସେ ଏହାକୁ ସ୍ବୀକାର କରିଛନ୍ତି। ତେବେ, ଆଇନଗତ କଟକଣା ଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ ସମୟରେ ପଦକ୍ଷେପ ନିଆଯାଇ ପାରୁ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ପୂର୍ବତନ ବିଧାୟକ ଟୁଇଟ୍ କରିଥିବା ହସ୍‌ପିଟାଲ୍‌ ଏହି ତାଲିକାରେ ଅଛି କି’ ନାହିଁ ସେ ସମ୍ପର୍କରେ ସେ କହିପାରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe