କଟକରେ ନକଲି ସୁନା ମାଫିଆ, ୨ ଗିରଫ : ୩ ଲକ୍ଷ ଟଙ୍କା, ଅଧକେଜି ବ୍ରୋଞ୍ଜ୍‌ ଜବତ

Advertisment
କଟକରେ ନକଲି ସୁନା ମାଫିଆ, ୨ ଗିରଫ : ୩ ଲକ୍ଷ ଟଙ୍କା, ଅଧକେଜି ବ୍ରୋଞ୍ଜ୍‌ ଜବତ

କଟକ-ଜଗତପୁର : ନକଲି ସୁନା ମାଫିଆଙ୍କ କବ୍‌ଜାରେ କଟକ ସହର। ବ୍ରୋଞ୍ଜକୁ ସୁନା କହି କୋଟିଏରୁ ଅଧିକ ଟଙ୍କା ଗ୍ରାହକଙ୍କ ପକେଟ୍‌ରୁ ପୋଛି ନେଇଥିବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଆଜି ଦୁଇ ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ବାପି ଓରଫ ଶ୍ୟାମସୁନ୍ଦର ଘଡ଼େଇ(୩୨) ଏବଂ ଔପଦାର ତପନ କୁମାର ମହାନ୍ତି(୨୬)। ପୁଲିସ ତପନ ନିକଟରୁ ୧ ଲକ୍ଷ ୨୫ ହଜାର ଟଙ୍କା, ଶ୍ୟାମ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଏବଂ ଅଭିଯୋଗକାରୀଙ୍କ ନିକଟରୁ ନକଲି ସୁନା(ବ୍ରୋଞ୍ଜ)୪୫୯.୯୨ ଗ୍ରାମ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଆଉ ୨ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ନିକଟରେ ୫ କେଜି ନକଲି ସୁନା ଥିବା ପୁଲିସ ତଦନ୍ତରୁ ସୁରାକ୍‌ ପାଇଛି।

ଜଗତପୁର ଥାନା ଗୁଜରପୁର ଅଞ୍ଚଳର ହୋମ୍‌ ପାଇପ୍‌ ବିକ୍ରି କରୁଥିବା ଗଫର ଅଲ୍ଲୀ ଖାଁଙ୍କ ଘରେ ୨୦୧୭ ଡିସେମ୍ବରରେ ବାପି ନାମକ ଜଣେ ବଢ଼େଇ କାମ କରିବାକୁ ଆସିଥିଲା। ତାଙ୍କ ଘରେ ରହି ସେ କାଠ କାମ କରେ। ଘରେ କିଛି ଦିନ ରହିବା ପରେ କମ୍‌ ଦାମ୍‌ରେ ସୁନା ତାର ଜଣେ ବନ୍ଧୁ ତପନ ବିକ୍ରି କରୁଥିବା ସମ୍ପର୍କରେ କହିଥିଲା। ବଜାରରେ କେଜି ପିଛା ସୁନାର ମୂଲ୍ୟ ୩୨ ଲକ୍ଷ ଟଙ୍କା ଥିବା ବେଳେ ଚୋରା ସୁନା ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ସେହି ମାସରେ ବାପି ନିର୍ଦ୍ଦିଷ୍ଟ ଏକ ଅଞ୍ଚଳକୁ ଗଫରଙ୍କୁ ନେଇ ତପନ ନିକଟକୁ ଯାଇଥିଲା। ସେଠି ତାଙ୍କୁ ସାମ୍ପୁଲ୍‌ ହିସାବରେ ୩ ଗ୍ରାମ୍‌ର ସୁନା ପରୀକ୍ଷା କରିବାକୁ ତପନ ଦେଇଥିଲା। ଗଫର ଚୌଧୁରୀ ବଜାରରେ ଥିବା ଏକ ସୁନା ଦୋକାନରେ ପରୀକ୍ଷା କରାଇଥିଲେ। ସୁନା ୨୪ କ୍ୟାରେଟ୍‌ ଥିବା ଦୋକାନୀ କହିଥିଲା। ସୁନା ଠିକ୍‌ ଥିବାରୁ ଅଧ କେଜି ସୁନା ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଗଫର। ସେଥିରୁ ୧୦୦ ଗ୍ରାମ୍‌ ସୁନାରେ ଦୁଇ ଝିଅଙ୍କ ବିବାହ ପାଇଁ ଚେନ୍‌ ପ୍ରସ୍ତୁତ କରିବାକୁ ଚୌଧୁରୀ ବଜାରରେ ଥିବା ସମ୍ପୃକ୍ତ ଦୋକାନକୁ ଯାଇଥିଲେ। ଦୋକାନୀ ସୁନା ଦେଖିବା ମାତ୍ରେ ବ୍ରୋଞ୍ଜ ବୋଲି ଜାଣିବାକୁ ପାଇଥିଲେ। ଗଫର ଏକଥା ଶୁଣି ତାଜୁବ ହୋଇଯାଇଥିଲେ।

୨୦୧୭ ଡିସେମ୍ବର ୨୯ ତାରିଖରେ ଜଗତପୁର ଥାନାରେ ବାପି ବିରୋଧରେ ପ୍ରଥମେ ଅଭିଯୋଗ କରିଥିଲେ। ପୁଲିସ ଦଫା ୪୦୬, ୪୨୦ରେ ଉଭୟ ବାପି ଏବଂ ତପନକୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ପରେ ଯୋଜନାବଦ୍ଧ ଭାବେ ଏଭଳି ଅପରାଧ ଘଟାଉଥିବା କହିଛନ୍ତି। ବଢ଼େଇ କାମ କରୁଥିବା ବାପି ନକଲି ସୁନା ବିକ୍ରି କରିବାକୁ ଏଭଳି ଲୋକଙ୍କ ଘରେ କାଠ କାମ କରିବା ବାହାନାରେ ଯାଉଥିଲା। ସେଠି ସମ୍ପର୍କ ଯୋଡ଼ିବା ପରେ ତା’ ବନ୍ଧୁ ତପନ ଅଳ୍ପ ଦାମ୍‌ରେ ସୁନା ବିକ୍ରି କରୁଥିବା ଲୋଭ ଦେଖାଉଥିଲା। ବ୍ରୋଞ୍ଚକୁ ସୁନା କହି ବିକ୍ରି କରିବା ପରେ କୋଟି କୋଟି ଟଙ୍କା ଲୋକଙ୍କ ନିକଟରୁ ଠକି ନେଇଥିବା ପୁଲିସକୁ ବୟାନରେ କହିଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଠକିଛି, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ପୁଲିସ ସ୍ପଷ୍ଟ ହୋଇପାରି ନାହିଁ। ଫେରାର ଅନ୍ୟ ଦୁଇ ମାଫିଆଙ୍କୁ ଗିରଫ କରିବା ପାଇଁ ଖବରୀର ସାହାଯ୍ୟ ନେଇଛି ପୁଲିସ। ସେମାନଙ୍କ ନିକଟରେ ଆହୁର ୫ କେଜି ଓଜନର ନକଲି ସୁନା ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିବା ଥାନା ଅଧିକାରୀ ବିରଞ୍ଜି ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe