ଆଇଓସିଏଲ୍‌ ଅଧିକାରୀଙ୍କ ସହ ଅଗ୍ନିଶମ ଡିଜିଙ୍କ ବୈଠକ, ଦମକଳ ଗାଡ଼ି ପାଇଁ ନୂଆ ବ୍ୟବସ୍ଥା

Advertisment

କଟକ, ଖୋର୍ଦ୍ଧାରେ ଲାଗୁ ହେବ ପୋଷ୍ଟ୍‌ପେଡ୍‌ ଫୁଏଲ୍‌ କାର୍ଡ

କଟକ, ଖୋର୍ଦ୍ଧାରେ ଲାଗୁ ହେବ ପୋଷ୍ଟ୍‌ପେଡ୍‌ ଫୁଏଲ୍‌ କାର୍ଡ

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Sambad

କଟକ: ଅଗ୍ନିଶମ ବିଭାଗ ପାଇଁ ବ୍ୟବହାର‌ ହେଉଥିବା ଗାଡ଼ି ଓ ଏଥିପାଇଁ କିଣା ଯାଉଥିବା ଇନ୍ଧନ‌ରେ ସ୍ବଚ୍ଛତା ଆଣିବା ପାଇଁ ୫-ଟି ଅଧୀନରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଏଥିପାଇଁ ପାଇଲଟ୍‌ ଜିଲ୍ଲା ଭାବେ ନିଆଯାଇଛି। ଦୁଇ ଜିଲ୍ଲା‌ରେ ବ୍ୟବହାର ହେଉଥିବା ଅଗ୍ନିଶମ ବିଭାଗ ଗାଡ଼ି ପାଇଁ ଏମ୍‌.ଭି ଫ୍ଲିଟ୍ କାର୍ଡ ବା ପୋଷ୍ଟ ପେଡ୍ ଫୁଏଲ୍‌ କାର୍ଡ ବ୍ୟବହାରକୁ ଅନୁମତି ମିଳିଛି। ଦୁଇ ଜିଲ୍ଲାରେ ଏହା ସଫଳ ହେଲେ ଅନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରିଯିବ ବୋଲି ଜଣାପଡିଛି। ଆଜି କଟକସ୍ଥିତ ଅଗ୍ନିଶମ ନିର୍ଦ୍ଦେଶାଳୟରେ ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଓ ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟଙ୍କ ସମେତ ଚିଫ୍ ଫାୟାର୍‌ ଅଫିସର୍‌ ଡି.କେ. ସ୍ବାଇଁ, ଫାୟାର୍‌ ଅଫିସର୍‌-କଟକ ବି.କେ ପଣ୍ଡା, ସିଜିଏମ ଆଇଓସିଏଲ୍ ଡି.ପି ଶତପଥୀ, ଡିଜିଏମ୍ ବି.କେ. ପଣ୍ଡା ପ୍ରମୁଖ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଇଓସିଏଲ୍‌ ସହଯୋଗ କରିବ। ଏଥିସହିତ ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କ ପାଇଁ ୫ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ। ଅଗ୍ନି ନିରାପତ୍ତା ଦିଗକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଅଗ୍ନିଶମ ଡିଜି ଏ ନେଇ ବିଭିନ୍ନ ଷ୍ଟେକ୍‌ହୋଲଡର୍‌ମାନଙ୍କ ସହିତ ଆଲୋଚନା କରିଥିଲେ।

ଏଥି ସହିତ ଇଆର୍‌ଏସ୍‌( ଇଫେକଟିଭ୍ ରେସପନ୍‌ସ ସିଷ୍ଟମ୍‌) ଲାଗୁ କରିବା, ତୁରନ୍ତ ସୂଚନା ଦେବା, ନିରାପଦ ଯୋଗାଯୋଗ ମାଧ୍ୟମ, ତୁରନ୍ତ ଖାଲି କରିବା, ସ୍ବତନ୍ତ୍ର ଭାବେ ରେସପନ୍‌ସ ଫୋର୍ସ ମୁତୟନ କରିବା, ବିଭିନ୍ନ ଏଜେନ୍ସି ସହିତ ସମନ୍ବୟ ରକ୍ଷା ପ୍ରଭୃତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ଏଥିସହିତ ବିଶୋଧନାଗାରଜନିତ ଅଗ୍ନିକାଣ୍ଡକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପାରାଦୀପ ବିଶୋଧନାଗାର ହଜମତ୍‌ ଭେହିକିଲ(ବିପଦପୂର୍ଣ୍ଣ ଦ୍ରବ୍ୟ ପରିବହନ କରୁଥିବା ଜରୁରୀକାଳୀନ ଗାଡ଼ି) ରଖିଥିବାରୁ ଡିଜି ଶ୍ରୀ ଉପାଧ୍ୟାୟ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହିତ ଆଇଓସିଏଲ୍‌ ଏଭଳି ଆଉ ତିନୋଟି ଗାଡ଼ି ବାଲେଶ୍ବର, ଜଟଣୀ, ଝାରସଗୁଡ଼ା ଡିପୋ ପାଇଁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବିଶୋଧାନାଗାର ଜନିତ ଅଗ୍ନିକାଣ୍ଡ ସମୟରେ କିଭଳି ସହଜରେ ଲୋକଙ୍କୁ ଖାଲି କରାଯାଇପାରିବ ସେଥିପାଇଁ ଡିପୋମାନଙ୍କରେ କି ପ୍ରକାର ବ୍ୟବସ୍ଥା ରହିଛି ସେ ସଂପର୍କରେ ଆଇଓସିଏଲ୍‌ର ଅଧିକାରୀମାନେ ସୂଚନା ଦେଇଥ‌ିଲେ। ସେଥିପାଇଁ ମକ୍‌ଡ୍ରିଲ୍ କରିବା ଉପରେ ଆଲୋଚନା ହୋଇଥିଲା। ପାରାଦୀପ ବିଶୋଧନାଗାରରେ ୧୧୧ ଜଣ ପ୍ରଶିକ୍ଷିତ ସିଆଇଏସ୍‌ଏଫ୍ ଫାୟାରମ୍ୟାନ୍‌ ନିଯୁକ୍ତି କରାଯାଇଥିବା ସୂଚନା ଦେଇଥିଲେ। ସେହିଭଳି ମଲଟିପ୍ଲେକ୍ସ୍‌/ସପିଂ ମଲ୍‌, ସିନେମା ହଲ୍, ଡାକ୍ତରଖାନା/ନର୍ସିଂହୋମର କିଭଳି ଅଗ୍ନି ନିରାପତ୍ତାକୁ ଦୃଷ୍ଟି ଦିଆଯିବ ସେ ନେଇ ପୂର୍ବରୁ ବିଭିନ୍ନ ରେଂଜ୍‌ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe