ହାଇକୋର୍ଟ-ସବ୍‌ରେଜିଷ୍ଟ୍ରାର ଅଫିସ ନିକଟରେ ଅଗ୍ନିକାଣ୍ଡ

ହାଇକୋର୍ଟ-ସବ୍‌ରେଜିଷ୍ଟ୍ରାର ଅଫିସ ନିକଟରେ ଅଗ୍ନିକାଣ୍ଡ

କଟକ: କଟକର ହାଇକୋର୍ଟ ନିକଟ ସବ୍‌ରେଜିଷ୍ଟ୍ରାର ଅଫିସ ନିକଟରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏକ ହୋଟେଲର ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ନିକଟରେ ଥିବା ଏକ ଡ୍ରେନରେ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହୋଇଥିବା ମଦ ଢଳା ଯାଇଥିବାରୁ ନିଆଁ ସେହି ଡ୍ରେନରେ ଚାରି ଆଡକୁ ବ୍ୟାପି ଯାଇଥିଲା। ଏମିତିକି ୫ଶହ ମିଟର ଦୂରରେ ଥିବା ପେଟ୍ରୋଲ ପମ୍ପ ଯାଏ ନିଆଁ ବ୍ୟାପିବାରୁ ପେଟ୍ରୋଲ ପମ୍ପକୁ ବନ୍ଦ କରି ଦିଆଯାଇଥିଲା। ଅଗ୍ନିକାଣ୍ଡରେ ଦୁଇ ଜଣ ବ୍ୟକ୍ତି ଘର ଭିତରେ ଫସି ଯାଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡ୍ରେନ୍‌ରେ ମଦ ଢଳା ଯାଇଥିବାରୁ ଚାରିଆଡ଼େ ବ୍ୟାପିଗଲା ନିଆଁ!
ହୋଟେଲ୍ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିବା ସନ୍ଦେହ; ୨ ଗୁରୁତର

ସୂଚନା ଅନୁଯାୟୀ ସବ୍‌ରେଜିଷ୍ଟ୍ରାର ଅଫିସ ପରିସରକୁ ଲାଗି ଏକ ଚାଳିଆ ହୋଟେଲରେ ମଙ୍ଗଳବାର ସକାଳେ ରୋଷେଇ ଚାଲିଥିଲା। ସକାଳ ପ୍ରାୟ ୮ଟା ବେଳେ ହଠାତ ହୋଟେଲର ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଗ୍ୟାସ୍ ଲିକ୍ ହୋଇ ଜଳିଥିଲା। ଏହି ନିଆଁ ହୋଟେଲରେ ବ୍ୟାପିବା ସହିତ ସବ୍‌ରେଜିଷ୍ଟ୍ରାର ଅଫିସ ପରିସରକୁ ବି ବ୍ୟାପିଯାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ନିଆଁ ଲାଗିଥିବା ଅଞ୍ଚଳରେ ଜଣେ ବ୍ୟକ୍ତି ଫସିଥିବାରୁ ସ୍ଥାନୀୟ ଲୋକେ କୌଶଳକ୍ରମେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ତାଙ୍କୁ ଅସୁସ୍ଥ ଅବସ୍ଥାରେ ବର୍ଣ୍ଣ ୟୁନିଟରେ ଚିକିତ୍ସା କରାଯାଉଛି।
ଅନ୍ୟପଟେ ବିଡ଼ାନାସୀ ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସେତେବେଳକୁ ନିଆଁ ଅବକାରୀ ବିଭାଗର ମାଲଖାନା ଆଡ଼କୁ ବି ବ୍ୟାପିଯାଇଥିଲା। ମାଲଖାନାରେ ଥିବା ମଦ, ପୋଚ ଏହି ନିଆଁ ସଂସ୍ପର୍ଶରେ ଆସି ନିଆଁ ଜୋରରେ ଜଳିଥିଲା। ବକ୍ସିବଜାର ଦମକଳ କେନ୍ଦ୍ରରୁ ଆଉ ଗୋଟିଏ ଦମକଳ ଗାଡ଼ି ଆସି ଫୋମ୍ ମାଧ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ମାଲଖାନା ନିକଟରେ ଫସିଥିବା ଆଉ ଜଣେ ବ୍ୟକ୍ତିଙ୍କୁ ବି ଅଗ୍ନିଶମ ଅଧିକାରୀ ସରୋଜକାନ୍ତ ସାହୁ ଓ ଅନ୍ୟମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ବି ବଡ଼ ଡାକ୍ତରଖାନା ପଠାଯାଇଛି।

ଏହି ଘଟଣାରେ ଆଇନଜୀବୀ ପ୍ରଭାତ କୁମାର ପ୍ରହରାଜ କହିଛନ୍ତି ଯେ ଅବକାରୀ ବିଭାଗର କର୍ମଚାରୀ ଦୀର୍ଘ ବର୍ଷ ତଳର ମଦ ସବ ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ଏକ ଡ୍ରେନରେ ଢାଳି ଦେବା ଫଳରେ ଏହା ଗଣେଶ ଘାଟ ଯାଏ ବୋହିଯାଇଥିଲା। ତେଣୁ ନିଆଁ ବ୍ୟାପି ଯାଇଥିଲା। ଅନ୍ୟ କେଉଁଠି ଏହାକୁ ନଷ୍ଟ କରିବା କଥା। କିନ୍ତୁ ଡ୍ରେନରେ ଢାଳିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଶ୍ରୀ ପ୍ରହରାଜ କହିଛନ୍ତି।
ଅବକାରୀ ଏସପି ଦେବାଶିଷ ପଟେଲ କିନ୍ତୁ ଡ୍ରେନରେ ମଦ ଢଳାଯିବା ଘଟଣାକୁ ଖଣ୍ଡନ କରିଛନ୍ତି। ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ଏଭଳି ଅଘଟଣ ଘଟିଥିବା ଶ୍ରୀ ପଟେଲ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe