କଟକ: ସପରିଚୟ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ କିଲ୍ଲା ପଡ଼ିଆରେ ଜାତୀୟ ଆଦିବାସୀ ମେଳା ଶୁକ୍ରବାର ସଂଧ୍ୟାରେ ଉଦ୍ଘାଟିତ ହୋଇଛି। କଟକ ସହରରେ ଆଦିବାସୀ ମେଳା ପ୍ରଥମଥର ପାଇଁ ଆୟୋଜିତ ହେଉଥିବାରୁ ପ୍ରଥମ ଦିନ ବି ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ। ସଂସ୍କୃତି ନଗରୀ କଟକରେ ଏଭଳି ମେଳା ପ୍ରତିବର୍ଷ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ମେୟର୍ ସୁବାସ ସିଂହ, ଜାତୀୟ ଆଦିବାସୀ ମେଳାକୁ ପୂର୍ଣ୍ଣ ସମର୍ଥନ କରିବାକୁ କଟକବାସୀଙ୍କୁ ଆହ୍ବାନ ଦେଇଥିଲେ। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ମେଳାକୁ ଆହୁରି ବ୍ୟାପକ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ଅତିଥି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରା, ଡେପୁଟି ମେୟର୍ ଦମୟନ୍ତୀ ମାଝୀ, ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ନଗର ସଂଯୋଜକ ରଞ୍ଜନ ବିଶ୍ବାଳ, ୧୬ନଂ ୱାର୍ଡ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ୧୪ନଂ ୱାର୍ଡ କର୍ପୋରେଟର୍ ବସନ୍ତ ବେହେରା, କର୍ମଚାରୀ ନେତା ରାଜୀବ ମହାନ୍ତି ପ୍ରମୁଖ ଆୟୋଜକ ସପରିଚୟ ଫାଉଣ୍ଡେସନ୍ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁବାଶିଷ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉଦ୍ଘାଟନ ସମାରୋହ ପରେ କୋରାପୁଟ ଦୁରୁଆ ସଂପ୍ରଦାୟର ଆଦିବାସୀମାନେ ପାରମ୍ପରିକ ଦଳଗତ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଦସ୍ୟ ସୁବୀର ପାଲ, ଧୀରେନ୍ ପରିଡ଼ା ଓ ଶାଶ୍ବତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମେଳାରେ ୨୭ଟି ରାଜ୍ୟର ଆଦିବାସୀମାନେ ୧୨୦ଟି ଷ୍ଟଲ୍ରେ ସେମାନଙ୍କ ପାରମ୍ପରିକ ଉତ୍ପାଦ, ସାଜସଜା ସାମଗ୍ରୀ, ଖାଦ୍ୟ ପଦାର୍ଥ, ଅଳଙ୍କାର ଆଦି ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ପ୍ରତିଦିନ ସଂଧ୍ୟାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଆଦିବାସୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଆଦିବାସୀ ଚାଲୁ ରହିବ।
Follow Us