କଟକ ସହରରେ ଏବେ ବି ଶତାଧିକ ପରିବାର ଜଳବନ୍ଦି

ବନ୍ଧ ରାସ୍ତା ଉପରେ ଗୋରୁଗାଈ, ଗୋ’ ଖାଦ୍ୟ ଅଭାବ

କଟକ ସହରରେ ଏବେ ବି ଶତାଧିକ ପରିବାର ଜଳବନ୍ଦି

Sambad

କଟକ: ମହାନଦୀର ବନ୍ୟା ପାଣିରେ ଏବେ ବି କଟକ ସହରରେ ଶତାଧିକ ପରିବାର ଜଳବନ୍ଦି ଅବସ୍ଥାରେ ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଛନ୍ତି। ସେମାନେ ବସ୍ତିବାସିନ୍ଦା ନୁହନ୍ତି, ସହରକୁ ଆସି କୋଠାଘର ତୋଳି ରହିଥିବା ଲୋକ। ୫୫ ନମ୍ବର ୱାର୍ଡ ଅନ୍ତର୍ଗତ କହ୍ନେଇପୁର, ଭଦିମୂଳରେ ଏଭଳି ଶତାଧିକ ପରିବାର ଜଳବନ୍ଦିରେ ରହିବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। କହ୍ନେଇପୁର ପ୍ରାଥମିକ ବିଦ୍ୟାଳୟରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଭଦିମୂଳ ସ୍ଥିତ ଉତ୍କଳ ଗୋ ମଙ୍ଗଳ ସମିତିରେ ଘାସଚାଷ କାର୍ଯ୍ୟ କରୁଥିବା ୫୦ ଜଣ ଆଦିବାସୀଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ବିଧାୟକ ସୈାଭିକ ବିଶ୍ବାଳ। ଗତିରାଉତପାଟଣା ଆରମ୍ଭରୁ ପାଣି ଘେରରେ ରହିଥିବା ୫ ପରିବାରର ୧୬ ଜଣ ମଟର ଟ୍ୟୁବ୍ ଉପରେ ପଟା ଥୋଇ ବନ୍ଧ ଉପରକୁ ଆସି ନିଜର ଆବଶ୍ୟକ ସାମଗ୍ରୀ ସଂଗ୍ରହ କରୁଛନ୍ତି। ଧୀରକୃଷ୍ଣ, ସୁରେନ୍ଦ୍ର ସ୍ବାଇଁ, ଜାନକୀ ସ୍ବାଇଁ, କୁନ୍ତଳା ସ୍ବାଇଁ ଅଭିଯୋଗ କରିଛନ୍ତି ଯେ, ୧୬ ତାରିଖ ଦିନ ପ୍ରତି ଘରପିଛା ଏକ କେଜି ଚୁଡ଼ା, ୧୦୦ଗ୍ରାମ ଗୁଡ଼, ୨ଟି ୫ ଟଙ୍କାର ବିସ୍କୁଟ ସେମାନଙ୍କୁ ଦିଆଯାଇଥିଲା।

ତା’ ପରଠାରୁ ଆଉ କିଛି ମିଳିନି। ସେହିପରି ଜଳବନ୍ଦି ଅବସ୍ଥାରେ ଥିବା ପରିଡ଼ା ସାହିର ପ୍ରସନ୍ନ ପରିଡା, ଭାବଗ୍ରାହୀ ପରିଡ଼ା, ରବୀନ୍ଦ୍ର ପରିଡ଼ା, ମାଧବାନନ୍ଦ ପରିଡ଼ା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସେଠାରେ ୫୦ ପରିବାରର ୩୦୦ ଲୋକ ପାଣି ଘେରରେ ଅଛନ୍ତି। ଘର ଚାରି ପାଖରେ ଦେଢ ପୁରୁଷେ ପାଣି। ଅଗ୍ନିଶମ ବିଭାଗ ଡଙ୍ଗା କେଶବ ଧାମ୍ ପିଲା ମାନଙ୍କୁ ଉଦ୍ଧାର କରିଥି‌ଲା। କିନ୍ତୁ ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ବି କେହି ଶୁଣି ନଥିଲେ। ଆଜି ପର୍ଯ୍ୟନ୍ତ ବି କିଛି ଶୁଖିଲା ଖାଦ୍ୟ ପଦାର୍ଥ ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଚାଷୀ ବାଇଧର ସେଠୀ, ବାବୁ ସେଠୀ, ସନାତନ ରାଉତ, ସୀମା ରାଉତ, ବୁଲା ସେଠୀ ପ୍ରମୁଖ ୮ ଏକରରୁ ଉର୍ଦ୍ଧ୍ବ ଜମିରେ ବାଇଗଣ, ପୋଟଳ, ଭେଣ୍ଡି, ଜହ୍ନି, କାକୁଡି ଚାଷ କରିଥିଲେ ସବୁ ବନ୍ୟାରେ ନଷ୍ଟ ହୋଇଯାଇଛି। ଏମାନଙ୍କୁ ଆଜି ଘର ପିଛା ୫ କିଲୋ ଗୋଖାଦ୍ୟ ମିଳିଛି। କିନ୍ତୁ ଗୈାରାଙ୍ଗ ବେହେରା, ରତ୍ନାକର ବେହେରା, ଗୋପାଳ ବେହେରାଙ୍କର ୩୫ଟି ଗାଈଗୋରୁ ଥିଲେ ବି ସେମାନଙ୍କୁ ଗୋଖାଦ୍ୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe