ଏମ୍‌ଏସ୍‌ ଲ’ ବିଶ୍ବବିଦ୍ୟାଳୟରେ ୪ କରୋନା ପଜିଟିଭ୍‌, ପରୀକ୍ଷା ତାରିଖରେ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

Advertisment

ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା: କୁଳପତି

ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା: କୁଳପତି

ଏମ୍‌ଏସ୍‌ ଲ’ ବିଶ୍ବବିଦ୍ୟାଳୟରେ ୪ କରୋନା ପଜିଟିଭ୍‌, ପରୀକ୍ଷା ତାରିଖରେ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

Sambad

କଟକ: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଆଜି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ କିଛିଦିନ ପାଇଁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ, ଆସନ୍ତାକାଲିର କାର୍ଯ୍ୟକ୍ରମକୁ କର୍ତ୍ତୃପକ୍ଷ ପରିବର୍ତ୍ତନ କରିବେ ନାହିଁ ବୋଲି ମନା କରିବାରୁ ଏନେଇ ଛାତ୍ରଛାତ୍ରୀ ଆଶଙ୍କାରେ ଅଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ପଜିଟିଭ୍‌ ଥିବା ବେଳେ କିଛି ଛାତ୍ରଙ୍କଠାରେ ଏହାର ଲକ୍ଷଣ ମଧ୍ୟ ଦେଖାଯାଇଛି। ପରୀକ୍ଷା ପରିଚାଳନାରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିୟୋଜିତ ରହିବେ। ଏପରି ସ୍ଥିତିରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପରୀକ୍ଷା ହଲରେ ବସିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଦେଖାଯାଇଛି। ପରୀକ୍ଷା ପରେ ବିଶ୍ବବିଦ୍ୟାଳରେ ସଂକ୍ରମଣ ବ୍ୟାପିଲେ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ କୁହାଯାଇଛି।ଏମ୍‌ଏସ୍‌  ଲ’ ବିଶ୍ବବିଦ୍ୟାଳୟ‌ ଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟାର୍‌ର ‘କପି ରାଇଟ୍‌’ ବିଷୟର ଆସନ୍ତାକାଲି ପରୀକ୍ଷା ହେବ। ଅନୁଷ୍ଠାନର ୨୪୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ମାତ୍ର ପରୀକ୍ଷା ପୂର୍ବରୁ ଆଜି ବିଶ୍ବବିଦ୍ୟାଳୟର କୁଳପତି, ଏଲ୍‌ଏଲ୍‌ବି ବିଭାଗର ମୁଖ୍ୟ ଓ ୨ଜଣ କର୍ମଚାରୀ ପଜିଟିଭ୍‌ ଥିବା ବେଳେ ୫ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରେ ଏହାର ଲକ୍ଷଣ ଦେଖାଯାଇଛି।

କରୋନା ମାମଲା ବାହାରିବା ପରେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ କିଛିଦିନ ପାଇଁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ କର୍ତ୍ତୃପକ୍ଷ ନିକଟରେ ଦାବି କରାଯାଇଛି। ମାତ୍ର ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଗତକାଲି ବିଶ୍ବବିଦ୍ୟାଳୟରେ ଏକ ବୈଠକ କରାଯାଇଥିଲା। ଏଥିରେ କରୋନା ସଂକ୍ରମିତ ହୋଇଥିବା କୁଳପତିଙ୍କଠାରୁ ସମସ୍ତ ଆକ୍ରାନ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଆସନ୍ତାକାଲି ପରୀକ୍ଷା ପରିଚାଳନାରେ ନିୟୋଜିତ ଥିବା ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ। ଏଭଳି ସ୍ଥିତିରେ ପରୀକ୍ଷା କରାଗଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହାକୁ କିଛିଦିନ ପାଇଁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରାଯାଇଛି। ମାତ୍ର କର୍ତ୍ତୃପକ୍ଷ ଏଥିରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ବିଶ୍ବବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ବନ୍ଦ କରାଯିବ ନାହିଁ ବୋଲି କୁଳପତି ପ୍ରଫେସର କମଲଜିତ୍‌ ସିଂହ କହିଛନ୍ତି। ପରୀକ୍ଷା ପାଇଁ ସମସ୍ତ କ୍ଲାସ୍‌ରୁମ୍‌ ଓ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି। ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ କୋଭିଡ୍‌ ନିୟମ ପାଳନ କରିବାକୁ କୁହାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ତେବେ, ବିଶ୍ବବିଦ୍ୟାଳୟରେ ସଂକ୍ରମଣ ବ୍ୟାପିଲେ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe