୧୪ ବର୍ଷର ବାଳକ କାନ୍ଧରେ ପରିବାର ବୋଝ, ବାପା ଚାଲିଗଲେ, ମା’ଙ୍କୁ କିଡ୍‌ନି ରୋଗ

ଭାଇ-ଭଉଣୀଙ୍କ ବସ୍ତାନିରେ ଡୋରି

୧୪ ବର୍ଷର ବାଳକ କାନ୍ଧରେ ପରିବାର ବୋଝ, ବାପା ଚାଲିଗଲେ, ମା’ଙ୍କୁ କିଡ୍‌ନି ରୋଗ

କଟକ: କଥା‌ରେ ଅଛି, ଦୁଃଖ ଆସିଲେ ଏକା ଆସେନି, ସାଂଗରେ ସାଥୀ ସହ‌ୋଦରକୁ ନେଇ ଆସିଥାଏ। ବାପା ମରିବାର ଦେଢ ମାସ ହୋଇନି, ଏବେ ମା’ଙ୍କୁ କିଡିନୀ ‌ରୋଗ। ପକେଟରେ ଟଙ୍କା ନ‌ାହିଁ, ନାହିଁ କୌଣସି ସମ୍ବଳ. କେମିତି ଆଗକୁ ବଢିବେ, ପରିବାର କେମିତି ଚଳିବ? ଏଭଳି ଏକ ବିରାଟ ଦୁଃଖ ଅଜାଡ଼ି ହୋଇପଡିଛି ଘରର ବଡ଼ପୁଅ ନାବାଳକ ଶୁଭଙ୍କର ଜେନା(୧୪)ଙ୍କ ଉପରେ। ୯ମ ଶ୍ରେଣୀରେ ପଢୁଥିବା ଶୁଭଙ୍କର ଏବେ ପରିବାର ଚଳାଇବାକୁ ସ୍କୁଲ ବଦଳ‌ରେ କାମ କରିବାକୁ ବାହାରିଛନ୍ତି। ନିଜ ବସ୍ତାନିରେ ଡୋରି ବାନ୍ଧି ଅନ୍ୟ ଘରେ କାମ କରିବାକୁ ବାଧ୍ୟ ହୋଇଛନ୍ତି। ବିଧବା ମା’ ସହିତ ବୃଦ୍ଧା ଆଇମା’ ଓ ସାନଭଉଣୀର ପେଟ ପୋଷିବାକୁ ଆଗଭର ହୋଇଛନ୍ତି ନାବାଳକ ଶୁଭଙ୍କର। ଖେଳିବା, ବୁଲିବା ବୟସରେ ପରିବାର ବୋଝ ଶୁଭଙ୍କର ମୁଣ୍ଡ ଉପରେ ପଡିଛି। ସାନଭଉଣୀ ଶ୍ରାବଣୀ ଏବେ ଷଷ୍ଠ ଶ୍ରେଣୀରେ ପଢୁଛି। ତା’ ପାଠ‌ରେ ବି ଡୋରି ବନ୍ଧା ହେବାର ଆଶଙ୍କା ରହିଛି। ଦୁର୍ଦ୍ଦଶ‌ାରେ ଥିବା ଏହି ପରିବାର ଏବେ କଟକ ବଡ଼ମେଡିକାଲ୍‌ର ଅସହାୟ ୱାର୍ଡରେ ରହୁଛନ୍ତି।

ଶ୍ରାବଣୀ ବହି ବସ୍ତାନି ଧରି ମା’ର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଛି। ଏଠାରେ ବହି ଧରି ପାଠ ପଢୁଛି। ପୁରା ପରିବାର ଏବେ ଭାଂଗି ପଡିଛି। ଯାଜପୁରରୋଡରେ ଘର ଭଡ଼ା ନେଇ ରହୁଥିବା ଅନୁରାଧା ଜେନା(୩୫)ଙ୍କ ସ୍ବାମୀଙ୍କର ଗତ ଦୁଇମାସ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଘରର ଏକମାତ୍ର ରୋଜଗାରକ୍ଷମଙ୍କ ମୃତ୍ୟୁ ପ‌ରେ ଏବେ ପୁଅ ଉପରେ ପରିବାରର ବୋଝ। ଅନୁରାଧା ନିଜେ କିଡ୍‌ନି ରୋଗରେ ପୀଡ଼ିତ ହୋଇ କଟକ ବଡ଼ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୯ମ ଶ୍ରେଣୀରେ ପଢୁଥିବା ଶୁଭଙ୍କର ଏବେ ପାଠ ଛାଡି ପର ଘ‌ରେ କାମ କରି ଯାହା ରୋଜଗାର କରୁଛନ୍ତି, ସେଥିରେ ପୁରା ପରିବାର ଚଳୁଛି। ଭାଇ-ଭଉଣୀଙ୍କ ପାଠ ପ୍ରତି ପ୍ରବଳ ଆଗ୍ରହ ଥିଲେ ବି ଅର୍ଥାଭାବ ଓ ପରିବାର ଦୁର୍ଦ୍ଦଶା ଯୋଗୁଁ ଏ‌ମାନେ ଏବେ ପାଠ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏମାନଙ୍କୁ କେହି ସହଯୋଗରେ ହାତ ବଢାଇଲେ ପୁରା ପରିବାର ବଂଚି ଯାଆନ୍ତେ ବୋଲି ତାଙ୍କ ମା’ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe