Times Now
କଟକ: ଅପହରଣ ଓ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡାବନ୍ଧର ସୁରେଶ ପୂର୍ତ୍ତି(୪୬)କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ପୋକ୍ସୋ ଆଇନର ଧାରା ୬ ସହିତ ଆଇପିସିର ଦଫା ୩୬୩ ଓ ୩୬୬ରେ ସୁରେଶକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଟଙ୍କା ନ ଦେଲେ ସୁରେଶକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ପୀଡ଼ିତା ନାବାଳିକାଙ୍କୁ ତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଅଦାଲତ କହିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୪ ବର୍ଷୀୟା ପୀଡ଼ିତା ସଂପର୍କୀୟଙ୍କ ବିଭାଘର ଉତ୍ସବକୁ ଯାଇଥିବା ବେଳେ ତାକୁ ସେଠାରୁ କେହି ଅପହରଣ କରି ନେଇଥିଲା। ପୀଡ଼ିତା ଜଣେ ମୁକ ହୋଇଥିବା ବେଳେ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା।
୨୦୧୫, ଫେବ୍ରୁଆରି ୨୭ର ଏହି ଘଟଣା ହୋଇଥିବା ବେଳେ ପୀଡ଼ିତାଙ୍କ ବାପା ଖୋଜାଖୋଜି କରି ନିରାଶ ହେବା ପରେ ଏ ନେଇ ଗୁରୁଡ଼ିଝାଟିଆ ଥାନାରେ ୨୦୧୫, ମାର୍ଚ୍ଚ ୧ରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ସହିତ ସୁରେଶକୁ ପୁଲିସ ଏହି ମାମଲାରେ ଗିରଫ କରିଥିଲା। ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ସହିତ ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଥିଲା। ଅପହରଣ ପରେ ଜଙ୍ଗଲ ଭିତରେ ଏକ ନିଛାଟିଆ ସ୍ଥାନକୁ ନେଇ ସୁରେଶ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରିଥିବା ତଦନ୍ତରୁ ପ୍ରମାଣ ମିଳିଥିଲା। ଦୁଷ୍କର୍ମ ପରେ ପୀଡ଼ିତା ଗର୍ଭବତୀ ହୋଇଥିଲେ। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୨୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେସାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।
Follow Us