କରୋନା ବଦଳାଇ ଦେଲା ପରିଚୟ : କଟକର ପ୍ରଥମ ମହିଳା ଡେଲିଭରି ଲେଡି ହେଲେ କଣ୍ଠଶିଳ୍ପୀ ‌ଜ୍ୟୋସ୍ନା

Advertisment
କରୋନା ବଦଳାଇ ଦେଲା ପରିଚୟ : କଟକର ପ୍ରଥମ ମହିଳା ଡେଲିଭରି ଲେଡି ହେଲେ କଣ୍ଠଶିଳ୍ପୀ ‌ଜ୍ୟୋସ୍ନା

କଟକ: ନିଜର ନିଶା ଆଉ ପେସା ଥିଲା ସଂଗୀତ। ଜଣେ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ବି ସୃଷ୍ଟି କରିଥିଲେ। କିନ୍ତୁ କରୋନା ତାଙ୍କର ପେସା ବଦଳାଇ ଦେଲା। ଯେଉଁ ସମୟରେ ମେଲୋଡି ଓ ସଂଗୀତ କାର୍ଯ୍ୟକ୍ରମ ବର୍ଷକର ଆୟର ବ୍ୟବସ୍ଥା କରେ ସେ ସମୟରେ କରୋନା ପାଇଁ ସବୁ ବନ୍ଦ ହେଇଗଲା। ଗଣେଶ ପୂଜାରୁ ଏଯାଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ବାଲିଯାତ୍ରା ବା କାର୍ତ୍ତିକେଶ୍ବର ପୂଜା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନର ସୁଯୋଗ ବି ନାହିଁ। ପୁଣି ବର୍ଷକ ପରେ ଯାହା କିଛି।

ଏଭଳି ସ୍ଥିତିରେ ପେସା ବଦଳାଇ ଏବେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କଟକ ମହାନଗରରେ ତାଙ୍କୁ କୁହାଯାଉଛି ପ୍ରଥମ ଡେଲିଭରି ଲେଡି। ନିଜର ଏଭଳି ନିଆରା ପରିଚୟ ସୃଷ୍ଟି କରିଥିବା ୪୨ ବର୍ଷ ବୟସ୍କା ଜ୍ୟୋସ୍ନା ପାତ୍ର ହେଉଛନ୍ତି ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ବାସିନ୍ଦା।। ଗଲା ୧୫ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ୟାସେଟରେ ଗୀତ ଗାଇ ଆସୁଥିବାବେଳେ ଏବେ ଜ୍ୟୋତ୍ସ୍ନା ଘର ଘର ବୁଲି ଅନ୍‌ଲାଇନରେ ଆସୁଥିବା ବିଭିନ୍ନ ସାମଗ୍ରୀ ଡେଲିଭରି କରୁଛନ୍ତି।

publive-image

ଜ୍ୟୋତ୍ସ୍ନାଙ୍କ ସ୍ବାମୀ ପ୍ରଭାକର ପାତ୍ର ଦୁଇ ବର୍ଷ ତଲେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଘରେ ୧୬ ବର୍ଷର ଝିଅ ପ୍ରିୟଙ୍କା। ଘର ଚଳାଇବା ଓ ଝିଅର ପାଠ ପଢ଼ା ଭଳି ସମସ୍ତ ଖର୍ଚ୍ଚ ଜ୍ୟୋସ୍ନା ସଂଗୀତରୁ ହେଉଥିବା ରୋଜଗାରରୁ ତୁଲାଉଥିଲେ। କିନ୍ତୁ ଏପ୍ରିଲ ମାସରୁ ସେ ସବୁ ଆୟର ବାଟ ବନ୍ଦ। ଜ୍ୟୋସ୍ନାଙ୍କ ଘର ଚଳିବା କଷ୍ଟକର ହୋଇପଡ଼ିଥିଲା। ଗୀତ ଗାଇ ଯାହା ଦୁଇସା ‌ରୋଜଗାର କରି ସଞ୍ଚୟ କରିଥିଲେ, ତାହା ବି ଧିରେଧିରେ ସରିଗଲା। ସଞ୍ଚୟ ଟଙ୍କାରେ ବହୁ କଷ୍ଟରେ ଏହି ଛଅ ମାସ ପରିବାର ଚଳାଇ ଥିବାବେଳେ ଏବେ ଜ୍ୟୋସ୍ନା ନିଜର ବିକଳ୍ପ ପେସା ବାଛି ନେଇଛନ୍ତି।

ଗଲା ପ୍ରାୟ ୨ ମାସ ହେବ ଜ୍ୟୋସ୍ନା ଏକ ଘରୋଇ ଅନ୍‌ଲାଇନ୍‌ ଡ଼େଲିଭରି ସଂସ୍ଥାରେ ଯୋଗଦେଇ କାମ ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସକାଳ ୬ଟା ୩୦ ମିନିଟ୍‌ରୁ ନିଜ ଡ଼୍ୟୁଟିରେ ଯୋଗଦେଇ ଦିନ ତମାମ୍ ୫୦ରୁ ଅଧିକ ଘର ବୁଲି ସେ ସାମଗ୍ରୀ ଡେଲିଭରି କରି ଆସୁଛନ୍ତି।

ଜ୍ୟୋତ୍ସ୍ନା କହିବା ଅନୁଯାୟୀ ଗଲା ୧୫ ବର୍ଷ ହେଲା ଷ୍ଟେଜ ଉପରେ ଗୀତ ଗାଇ ଆସୁଥିଲି। ବିଭିନ୍ନ କ୍ୟାସେଟରେ କଣ୍ଠଦାନ କରିଛି। ସ୍ବାମୀଙ୍କ ପରଲୋକ ପରେ ସେହି ଆୟରୁ ସେ ଓ ତାଙ୍କ ଝିଅ ଚଳିବାରେ କୌଣସି ସମସ୍ୟା ହେଉ ନଥିଲା।

କିନ୍ତୁ ଗଲା ୬ ମାସ ହେଲା କରୋନା ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସବୁକିଛି ଓଲଟପାଲଟ କରି ଦେଇଛି। ତୁରନ୍ତ ବିକଳ୍ପ ରୋଜଗାର ପାଇଁ ଏହି ଡେଲିଭରି କାମକୁ ବାଛିବାକୁ ପଡିଲା। ପ୍ରଥମେ ଏହି କାମ ବହୁ କଷ୍ଟ ଦେଇଥିଲା। ହେଲେ ଝିଅ ମୁହଁକୁ ଚାହିଁ ନିଜକୁ ଦୃଢ କଲି। ଏବେ ଏ କାମରେ ବେଶ ସହଜ ହୋଇଗଲେଣି। କଟକ ସହରରେ ସବୁ ବେଳେ ଗ୍ରାହକ ମାନଙ୍କ ଠାରୁ ଭଲ ବ୍ୟବହାର ମିଳିଥାଏ। ମହିଳା ଭାବେ ଏ କାର୍ଯ୍ୟ କରୁଥିବାରୁ ଅନେକ ବି ସମ୍ମାନ ମଧ୍ୟ କରନ୍ତି। ଆଗାମୀ ଦିନରେ କରୋନା ସ୍ଥିତି ସୁଧୁରିଲେ ଗୀତ ଗାଇବା ସହ ଏହି କାମ ବି ଜାରି ରଖି‌ବେ ବୋଲି କୁହନ୍ତି ଜ୍ୟୋତ୍ସ୍ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe