ଘଷିରେ କରୋନା ମୃତକଙ୍କ ଶବଦାହ: ଧୂଆଁ,ପାଉଁଶକୁ ନେଇ ଉତ୍ତେଜନା, ଲୋକଙ୍କ ରାସ୍ତାରୋକ

Advertisment
ଘଷିରେ କରୋନା ମୃତକଙ୍କ ଶବଦାହ: ଧୂଆଁ,ପାଉଁଶକୁ ନେଇ ଉତ୍ତେଜନା, ଲୋକଙ୍କ ରାସ୍ତାରୋକ

କଟକ: କରୋନା ସଂକ୍ରମିତଙ୍କ ମୃତଦେହକୁ କାଠରେ ନୁହେଁ, ଘଷିରେ ପୋଡ଼ା ଯାଉଛି। ଏଥିରୁ ବାହାରୁଥିବା ଧୂଆଁ ସାହିରେ ବସବାସ କରୁଥିବା ଲୋକଙ୍କ ଘରେ ପଶୁଛି। ପାଉଁଶ ଉଡ଼ି ରାସ୍ତା ଉପରେ ଯାଉଥିବା ଲୋକଙ୍କ ଦେହରେ ବାଜୁଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ମୃତଦେହକୁ ଅତ୍ୟନ୍ତ ଅସମ୍ମାନଜନକ ଅବସ୍ଥାରେ ଦାହ କରାଯାଉଥିବା ବେଳେ ଅନ୍ୟପଟେ ଆଖପାଖ ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉନାହିଁ। କଟକ ଶିଖରପୁର ନଦୀକୂଳ ସାହି ନିକଟ କାଳିଆବୁଦା ଶ୍ମଶାନର ଏହି ଦୃଶ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।

ଲୋକଙ୍କ ଅଭିଯୋଗ ଅନୁଯାୟୀ, କିଛିଦିନ ହେବ ଏହି ଶ୍ମଶାନରେ ଦିନକୁ ୧୦ ଶବ ଦାହ କରାଯାଉଥିବା ବେଳେ ଗୋଟିଏ ଜୁଇରେ ଏକାଥରେ ତିନୋଟି ଶବ ଦାହ କରାଯାଉଛି। ଏହାସହ ଶବଗୁଡ଼ିକୁ କାଠରେ ପୋଡ଼ା ନ ଯାଇ ଘଷିରେ ପୋଡ଼ା ଯାଉଥିବାରୁ ଏଥିରୁ ଧୂଆଁ ବାହାରି ନଦୀକୂଳ ସାହିରେ ବସ ବାସ କରୁଥିବା ଲୋକଙ୍କ ଘରେ ପଶୁଛି। ପାଉଁଶ ଉଡ଼ି ଯାତାୟାତ କରୁଥିବା ଲୋକ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦେହରେ ବାଜୁଛି। କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ଶବକୁ ଖାନନଗର ଓ ସତୀଚୌରାରେ ଦାହ କରିବାର ବ୍ୟବସ୍ଥା ଥିବା ବେଳେ ଏବେ କିଛି ଦିନ ହେବ କାଳିଆବୁଦାରେ ଦାହ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ମହାନଗର ନିଗମ କମିସନର୍‌ ଅନନ୍ୟା ଦାସଙ୍କୁ ଗତ ୨୧ ତାରିଖ ଦିନ ସାହି ବାସିନ୍ଦାଙ୍କ ପକ୍ଷରୁ ରାଧାମାଧବ ଜୀଉ କମିଟି ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନ ନିଆଯିବାରୁ ଆଜି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଏସିପି ଅମରେନ୍ଦ୍ର ପଣ୍ଡା, ପୂଜା କମିଟି ସଭାପତି ଜୟନ୍ତ ପ୍ରଧାନ, ପୂର୍ବତନ କର୍ପୋରେଟର୍‌ ପ୍ରଲୟା ବେଉରା, ବିଧାୟକଙ୍କ ପ୍ରତିନିଧି ଇଂ ସୁବ୍ରତ ଘଡେଇ(ମୁନା), ସିଏମସି ହେଲଥ ଅଫିସର୍‌ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ଆଗାମୀ ଦିନରେ ଯଥାସମ୍ଭବ କମ୍‌ ଶବକାଠରେ ପୋଡ଼ାଯିବ, ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯିବା ସହ ଏକ ମୋବାଇଲ ଭ୍ୟାନ ଆସି ସମସ୍ତଙ୍କ ଆଣ୍ଟି‌ଜେନ୍‌ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦାବି ଉପସ୍ଥାପନ ବେଳେ ବିଶ୍ୱଜିତ ମଲ୍ଲ, ସନ୍ତୋଷ ନାୟକ, ଦୀପକ ସ୍ୱାଇଁ, ସରୋଜ ମହାନ୍ତି, ଶୁକଦେବ ମହାନ୍ତି, ସନ୍ତୋଷ ବେଉରା, ଦୀପକ ବେହେରା, ବାଇନ ବେହେରା, ଭଗବତୀ ସାହୁ, କୁମାରୀ ସ୍ୱାଇଁ, ଦେବୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe