ବୁବୁ ଗଞ୍ଜେଇ ସାମ୍ରାଜ୍ୟ; କନ୍ଧମାଳରୁ କଟକ

ବୁବୁ ଗଞ୍ଜେଇ ସାମ୍ରାଜ୍ୟ; କନ୍ଧମାଳରୁ କଟକ

Sambad

କଟକ: ଗତକାଲି ଧରାପଡ଼ିଥିବା ଗଞ୍ଜେଇ ମାଫିଆ ବୁବୁ ଓରଫ ନାରାୟଣ ପତିର ସାମ୍ରାଜ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ବୁବୁ ଗଞ୍ଜେଇ ମୁଖ୍ୟତଃ କନ୍ଧମାଳ ଓ ଫୁଲବାଣୀରୁ କଟକ ଚାଲାଣ କରୁଥିଲା। ବସ୍‌ରେ ଗଞ୍ଜେଇ ଆସିବା ପରେ ଲିଙ୍କରୋଡ୍‌ ବିଏସ୍‌ଏନ୍‌ଏଲ୍ ଅଫିସ ସାମ୍‌ନା ନିଶାମଣି ହଲ୍‌ ନିକଟରେ ଅନଲୋଡ୍ ହେଉଥିଲା। ସେଠୁ ବୁବୁ ଗଞ୍ଜେଇ ଝିଙ୍କିରିଆକୁ ଚାଲାଣ କରୁଥିଲା। ସିଗାରେଟ୍‌ରୁ ପତି କାଢ଼ି ସେଥିରେ ଗଞ୍ଜେଇ ମିଶାଇ ବିଏସ୍‌ଏନ୍‌ଏଲ୍ ଅଫିସ ନିକଟ ଦୋକାନ, ବିଶିନାବର ଦୋକାନ ସମେତ ସହରର ଖୁଚୁରା ବ୍ୟବସାୟୀଙ୍କୁ ଚାଲାଣ କରୁଥିଲା। ସିଡିଏ କାଠଯୋଡ଼ିବିହାର ବସ୍ତି, ଡଗରପଡ଼ା ହନୁମାନ ମନ୍ଦିର ନିକଟ, ବୋସ୍‌ ସ୍କୁଲ ପଡ଼ିଆ, ମାଛୁଆବଜାର ଇତ୍ୟାଦି ଅଞ୍ଚଳକୁ ସେ ଚାଲାଣ କରୁଥିଲା। ଆଉ କିଛି ଗଞ୍ଜେଇ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲା ଓଲଟପୁରକୁ ଚାଲାଣ କରୁଥିଲା।

ବାପା-ମା’ ବି କୁଖ୍ୟାତ ମାଫିଆ
ବୁବୁର ମା’ ଓ ସ୍ବର୍ଗତ ବାପା ନିର୍ମଳ ଚନ୍ଦ୍ର ପତି କୁଖ୍ୟାତ ଗଞ୍ଜେଇ ବ୍ୟବସାୟୀ ଭାବେ ପରିଚିତ। ଏହି ପରିବାର ଏକଦା ବିଶିନାବର ଅଞ୍ଚଳରେ ରହୁଥିଲେ। ୧୯୯୦ ବେଳକୁ ବୁବୁର ମା’ ନାନି ନାଁରେ ପରିଚିତ ଥିଲା। ବିଶିନାବର ତାଳଦଣ୍ଡା କେନାଲ ନିକଟରେ ଏକ ପାନ ଦୋକାନ କରି ସେଥିରେ ଗଞ୍ଜେଇ ବ୍ୟବସାୟ କରିଆସୁଥିଲା। ତେବେ ଏହି ପରିବାର ଗଲା କିଛିବର୍ଷ ହେବ ଝିଙ୍କିରିଆରେ ନୂଆଘର କରିବା ପରେ ସେଠାକୁ ସ୍ଥାନାନ୍ତର ହୋଇଥିଲେ। ବୁବୁ ବିଳାସପୂର୍ଣ୍ଣ ଦୁଇମହଲା କୋଠା କରିଛି। ବାପା ନିର୍ମଳର ଦେହାନ୍ତ ପରେ ଏବେ ଗଞ୍ଜେଇ କାରବାର ନାନି ଓ ବୁବୁ ସମ୍ଭାଳୁଥିଲେ। ବିଶିନାବର ନିକଟରେ ଥିବା ଦୋକାନ ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ସମୟରେ ଭଙ୍ଗାଯାଇଛି। ଏବେ ଲିଙ୍କରୋଡ୍‌ ବିଏସ୍‌ଏନ୍‌ଏଲ୍ ଅଫିସ ସାମ୍‌ନାରେ ଦୋକାନ ଚାଲୁଥିଲା।

ଅବକାରୀ ଗୁଇନ୍ଦା ଧରିଥିଲା ୩ ଲକ୍ଷର ଗଞ୍ଜେଇ
୨୦୧୦-୧୧ ମସିହାରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବୁବୁର ବିଏସ୍‌ଏନ୍‌ଏଲ୍ ଅଫିସ ନିକଟରେ ଚଢ଼ଉ କରିଥିଲା। କନ୍ଧମାଳର ଜଣେ ଗଞ୍ଜେଇ ମାଫିଆ ସମେତ ବୁବୁକୁ ପୁଲିସ ଗିରଫ କରିଥିଲା। ୬୦ କେଜି ଓଜନର ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜିଲ୍ଲା ଅବକାରୀ ବିଭାଗ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ବୁବୁ ବିରୋଧରେ ୫ରୁ ଅଧିକ ଏନ୍‌ଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ଆଇନ ଜାଣିଥିଲା, ୫ କେଜି ରଖୁଥିଲା
ଏନ୍‌ଡିପିଏସ୍‌ ଆକ୍ଟରେ ଏକ ଗଞ୍ଜେଇ ମାମଲା ଯଦି ରୁଜୁ ହେଉଛି, କମର୍ସିଆଲ୍ କ୍ବାଣ୍ଟିଟି ଭାବେ ୨୦ କେଜି ଗଞ୍ଜେଇ ଏକକାଳୀନ ଜବତ ହେଲେ ସର୍ବନିମ୍ନ ଦଣ୍ଡବିଧାନ ୨୦ ବର୍ଷ ରହିଛି। ତେଣୁ ବୁବୁ ଚତୁରତାର ସହିତ ଏକକାଳୀନ ଗଞ୍ଜେଇ ଅଧିକ ପରିମାଣର ଗଚ୍ଛିତ କରୁ ନଥିଲା। ୫ କେଜିରୁ କମ୍‌ ପରିମାଣର ଗଞ୍ଜେଇ ପାଖରେ ରଖୁଥିଲା। ଯାହା ଫଳରେ ମାତ୍ର ଏକ ସପ୍ତାହ ଭିତରେ ଜେଲରୁ ଜାମିନ୍ ପାଇଯାଉଥିଲା। ଏଭଳି କୌଶଳରେ ବୁବୁ ୨୦୦୫ ମସିହାରୁ ଗଞ୍ଜେଇ ବ୍ୟବସାୟ କରିଆସୁଥିଲା। ସେଥିପାଇଁ ତା’ ନିକଟରୁ ଏକକାଳୀନ ୨୦ କେଜିରୁ ଅଧିକ ଓଜନ ଗଞ୍ଜେଇ କାରବାର ଧରିବାକୁ ପୁଲିସ ଛକି ରହିଥିଲା। ଗଲା ୧୧ ତାରିଖ ରାତିରେ ହିଁ ଶେଷରେ ପୁଲିସ ପକ୍ଷରୁ ବିଛାଯାଇଥିବା ଜାଲରେ ସେ ପଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe