ଜୀଅନ୍ତା ଜଳିଗଲେ ଯୁବତୀ, ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି; ଗାଡ଼ିରେ ପାଣି ନ ଥିଲା!

Advertisment
ଜୀଅନ୍ତା ଜଳିଗଲେ ଯୁବତୀ, ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି; ଗାଡ଼ିରେ ପାଣି ନ ଥିଲା!

Sambad

କଟକ: ସୂତାହାଟ ଖ୍ରୀଷ୍ଟିଆନ୍ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଜଣେ ୨୨ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ପୋଡ଼ି ଯାଇ ପ୍ରାଣ ହରାଇଛନ୍ତି। ସାହିଠାରୁ ଅଳ୍ପ ଦୂରରେ ଥିବା ଦମକଳ କେନ୍ଦ୍ର ଥାଇ ବି ଖବର ପାଇବାର ଅଧଘଣ୍ଟା ବିଳମ୍ବରେ ଦମକଳ ଗାଡ଼ି ପହଞ୍ଚିବା ଓ ଗାଡ଼ିରେ ପର୍ଯ୍ୟାପ୍ତ ପାଣି ନଥିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ନ ହେବାରୁ ଯୁବତୀଙ୍କ ଜୀବନ ଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ସେକ୍ ସାଜିତ୍ ଅଲ୍ଲୀ ପତ୍ନୀ ଓ ଝିଅ ଲତିଫା ସେକ୍‌ଙ୍କ ସହିତ ସୂତାହାଟ ଖ୍ରୀଷ୍ଟିଆନ୍ ସାହିରେ ସ୍ବର୍ଗତ ପ୍ରଦୀପ କୁମାର ଦାସଙ୍କ ଘରେ ଭଡ଼ାରେ ରହୁଥିଲେ। ଆଜି ରାତି ପ୍ରାୟ ୮ଟା ୩୦ ବେଳେ ସାଜିତ ଏବଂ ତାଙ୍କ ପତ୍ନୀ ବାହାରକୁ କୌଣସି କାମରେ ଯାଇଥିବା ବେଳେ ଘରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ପ୍ରଥମେ ରୋଷେଇ ଘରେ ଲାଗି ପରେ ଶୋଇବା ଘରକୁ ବ୍ୟାପି ଯାଇଥିଲା। ମାନସିକ ଭିନ୍ନକ୍ଷମ ଲତିଫା ସେହି ସମୟରେ ଘରେ ଶୋଇଥିଲେ। ନିଆଁ ଲାଗି ଥିବା ଜାଣିପାରି ପଡ଼ୋଶୀ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

publive-image Sambad

ବକ୍ସିବଜାର ଦମକଳ କେନ୍ଦ୍ରରୁ ତିନୋଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ବକ୍ସିବଜାର ଦମକଳ କେନ୍ଦ୍ରକୁ ଖବର ଦେବାର ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ପରେ ପ୍ରଥମ ଗାଡ଼ି ପହଞ୍ଚିଥିଲା। ପ୍ରଥମ ଗାଡ଼ିରେ ପର୍ଯ୍ୟାପ୍ତ ପାଣି ନଥିବାରୁ ତୁରନ୍ତ ନିଆଁକୁ ଲିଭା ଯାଇପାରି ନଥିଲା। ପରେ ପରେ ପହଞ୍ଚିଥିବା ଗାଡ଼ି ନିଆଁ ଲିଭାଇଲା ବେଳକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ରୋଷେଇ ଘରେ ଥିବା ୪ଟି ଗ୍ୟାସ୍ ସିଲିଣ୍ଡର୍‌କୁ ବାହାରକୁ କାଢ଼ି ଆଣିବାରେ ସଫଳ ହୋଇଥିଲେ। ସିଲିଣ୍ଡର୍‌ ଫାଟିବା ପୂର୍ବରୁ ସେଗୁଡିକୁ ବାହାରକୁ ଅଣାଯାଇ ପାରି ଥିବାରୁ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇ ପାରିଥିବା କୁହାଯାଉଛି। ନଚେତ ଆଖପାଖ ଅଞ୍ଚଳ ବି ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତା। କିନ୍ତୁ ଏସବୁ ଭିତରେ ଘରେ ଶୋଇଥିବା ଲତିଫା ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଦମକଳ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଜଣେ ଯୁବତୀର ଜୀବନ ଗଲା ବୋଲି ଅଭିଯୋଗ ଆଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଥିବା ଘଟଣାର ତଦନ୍ତ କରାଯିବ ବ‌ୋଲି ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe