ମେଧାବୀ ଛାତ୍ରୀ ଏବେ କଟକର ପ୍ରଥମ ଜମାଟୋ ଡେଲିଭରି ଗାର୍ଲ

ପରିବାରର ଭରଣପୋଷଣ ପାଇଁ ସଂଘର୍ଷ

ମେଧାବୀ ଛାତ୍ରୀ ଏବେ କଟକର ପ୍ରଥମ ଜମାଟୋ ଡେଲିଭରି ଗାର୍ଲ

କଟକ: କଟକର ପ୍ରଥମ ଅନଲାଇନ୍ ଖାଦ୍ୟ ଡେଲିଭରି ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ। ଏହି ମେଧାବୀ ଛାତ୍ରୀ ଏବେ କରୋନା କାଳରେ ପାଲଟିଛନ୍ତି ଡେଲିଭରି ଗାର୍ଲ। ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଯୋଗୁଁ ବାପାଙ୍କ କାମ ବନ୍ଦ ହୋଇଯିବାରୁ ବାପାଙ୍କୁ ସହାୟତା କରିବା ସହ ପରିବାର ପୋଷିବା ପାଇଁ ଆଗେଇ ଆସିଛନ୍ତି ସେ। ପାଠ ପଢା ବୟସରେ ନିଜ ବାପାଙ୍କ ବାଇକ ଧରି ସେ ଏବେ ଘର ଘର ବୁଲି କରୁଛନ୍ତି ଖାଦ୍ୟ ଡେଲିଭରି। ଏହି କାମ କରି ବଳକା ସମୟରେ ନିଜ ପାଠ ପଢାକୁ ବଜାୟ ରଖିଛନ୍ତି ବିଷ୍ଣୁପ୍ରିୟା। ତେବେ ଖାଦ୍ୟ ଡେଲିଭରି ସଂସ୍ଥା ଜୋମାଟୋରେ ଅନେକ ଯୁବକ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିବା ବେଳେ କଟକରେ ପ୍ରଥମ ଥର ପାଇଁ ଜଣେ ଝିଅ ଭାବେ ଜୋମାଟୋରେ ଡେଲିଭରି ଗାର୍ଲ ଭାବେ କାର୍ଯ୍ୟ କରି ସେ ଏବେ ଚର୍ଚ୍ଚାରେ।

କଟକର କାଠଗଡ ସାହିରେ ରହୁଥିବା ବିଷ୍ଣୁପ୍ରିୟା ସ୍ୱାଇଁଙ୍କ ବୟସ ୧୮ ବର୍ଷ। ଶୈଳବାଳା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ଜଣେ ମେଧାବୀ ଛାତ୍ରୀ। ପରିବାରର କେବଳ ବାପା ମା ଓ ଦୁଇ ଭଉଣୀ। କରୋନା ମହାମାରୀ ଯୋଗୁଁ ତାଙ୍କ ବାପାଙ୍କ ଟ୍ରାନ୍ସପୋର୍ଟରେ କାମ ବନ୍ଦ ହୋଇଯିବା ଓ ପରେ ବାପାଙ୍କ ଦେହ ଖରାପ ଯୋଗୁଁ କୌଣସି କାମ ନ ମିଳିବାରୁ ସେ ନିଜେ ଆଗେଇ ଆସିଛନ୍ତି ପରିବାରର ଭରଣପୋଷଣ ପାଇଁ। କରୋନା ସଙ୍କଟ ପରିସ୍ଥିତିରେ ସମସ୍ୟା ଆଗରେ ହାର ନମାନି ସେ ମୁକାବିଲା କରୁଛନ୍ତି।

publive-image

ସକାଳୁ ପ୍ରଥମେ କଲେଜର ଅନଲାଇନ କ୍ଲାସ କରିବା ପରେ ଅପରାହ୍ନ ସମୟରେ ଜମାଟୋରେ ଖାଦ୍ୟ ଡେଲିଭରି କରନ୍ତି। ପ୍ରତ୍ୟେକ ଦିନ ୨ ରୁ ୩ ଘଣ୍ଟା ସମୟ ଦେଇଥାନ୍ତି ଏହି ଖାଦ୍ୟ ଡେଲିଭରି କାମ ପାଇଁ। ପରେ ସନ୍ଧ୍ୟା ସମୟରେ ପୁଣି ନିଜ ପାଠପଢା ବଜାୟ ରଖନ୍ତି। ତେବେ ଅର୍ଡର ଅନୁଯାୟୀ ଗୋଟିଏ ଡେଲିଭରି ପିଛା ମାତ୍ର ୧୨ରୁ ୧୫ ଟଙ୍କା ପାରିଶ୍ରମିକ ପାଉଛନ୍ତି। ଏହାକୁ ମିଶାଇ ମାସରେ ନିଜ ପରିଶ୍ରମ ଅନୁଯାୟୀ ୭ ରୁ ୮ ହଜାର ଟଙ୍କା ରୋଜଗାର କରିଥାନ୍ତି ସେ। ଏଥିରେ ତାଙ୍କ ପରିବାର ଚଳିବା ସହ ପାଠପଢା ଖର୍ଚ୍ଚ ମଧ୍ୟ ତୁଲାଉଥିବା ବିଷ୍ଣୁପ୍ରିୟା କହିଛନ୍ତି। ବିଷ୍ଣୁପ୍ରିୟା କହିଛନ୍ତି ଯେ ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ନିଜେ ରୋଜଗାର କରିବା ସହିତ ପାଠପଢା ଜାରି ରଖି ସଫଳ ହେବାକୁ ସଂଘର୍ଷ କରି ଚାଲିବେ ବୋଲି ବିଷ୍ଣୁପ୍ରିୟା କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe