ଗୌରୀଶଙ୍କର ଥିଲେ ‌ନାଗରିକ ସମାଜର ସୁ‌ଯୋଗ୍ୟ ପ୍ରତିନିଧି

Advertisment

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ

ଗୌରୀଶଙ୍କର ଥିଲେ ‌ନାଗରିକ ସମାଜର ସୁ‌ଯୋଗ୍ୟ ପ୍ରତିନିଧି

କଟକ: ସାମ୍ବାଦିକତା, ଭାଷା ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ର‌ଦେଶ ଗଠନ ପାଇଁ ଆନ୍ଦୋଳନ ଆଦି ବହୁବିଧ କ୍ଷେତ୍ରରେ କାର୍ଯ୍ୟକରି କର୍ମବୀର ଗୌରୀଶଙ୍କର ସଫଳ ହୋଇଥିଲେ। ଇଂରେଜ ସରକାରଙ୍କ ଅଧୀନରେ ଚାକିରିରେ ଥାଇ ମଧ୍ୟ ସେ ଏସବୁ କଥା ଚିନ୍ତା କରି ପାରୁଥିଲେ। ସେ ସମୟରେ କଟକ ଟାଉନହଲ୍‌ ନିର୍ମାଣ ପାଇଁ ୧୧ ହଜାର ଟଙ୍କା ଦେଇଥିଲେ। ସେ କୌଣସି ସଂପଦଶୀଳ ପରିବାର ସଦସ୍ୟ ନଥିଲେ ମଧ୍ୟ ପ୍ରବଳ ଇଚ୍ଛାଶକ୍ତି ବଳରେ ସେ ‌ଏସବୁ କଥା କରିପାରୁଥିଲେ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଶ୍ରୀରାମଚନ୍ଦ୍ରଭବନରେ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହି‌ଥିଲେ ଯେ, ଗୌରୀଶଙ୍କର ରାୟ ଥିଲେ ନାଗରିକ ସମାଜର ସୁଯୋଗ୍ୟ ପ୍ରତିନିଧି। ହେଲେ, ଆଜିକାଲି ନାଗରିକ ସମାଜ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ଠିକ୍‌ରେ ନିର୍ବାହ କରୁ ନାହାନ୍ତି। ଏଥିପାଇଁ ଗଣତନ୍ତ୍ର ଅବକ୍ଷୟମୁଖୀ ହେବାରେ ଲାଗିଛି। ସମାଜ ପ୍ରତି ସାମ୍ବାଦିକ ଓ ଅମଲାତନ୍ତ୍ରୀଙ୍କର ଗୁରୁଦାୟିତ୍ବ ରହିଥିବା ବେଳେ ଅମଲାତନ୍ତ୍ରୀମାନେ ସତକଥା କହିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଥିଲେ। ଆମ ଆଚରଣ ଓ ଉଚ୍ଚାରଣରେ ଆମେ ଗୌରୀଶଙ୍କର ଦାୟାଦ କି ନାହିଁ ବୋଲି ନିଜକୁ ନିଜେ ପ୍ରଶ୍ନ ପଚାରିବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ କହିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକର ମେୟର ସୁବାସ ଚନ୍ଦ୍ର ସିଂହ କହିଥିଲେ, କଟକ ପୌର ପରିଷଦ ଗଠନ ପାଇଁ ‌କର୍ମବୀର ଗୌରୀଶଙ୍କର ହିଁ ନକ୍ସା ପ୍ରସ୍ତୁତି କରିଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶା ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ ହୋଇଥିଲା। କଟକର ଟାଉନ୍ ହଲ, କାୟସ୍ଥ ସମାଜ ଗଠନ, ରେଭେନ୍‌ସା କଲେଜ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ସ୍ବତନ୍ତ୍ର ଅତିଥି କେନ୍ଦ୍ର ସାହିତ୍ୟ ଏକ‌ାଡେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ, କର୍ମବୀର ଗୌରୀଶଙ୍କର ରାୟଙ୍କୁ ବହୁମୁଖୀ ପ୍ରତିଭା ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ମାଧ୍ୟମରେ ଗୌରୀଶଙ୍କର ଭାଷା ସୁରକ୍ଷା, ସ୍ବାଧୀନତା ସଂଗ୍ରାମ, ସମାଜ ସଂସ୍କାର କ୍ଷେତ୍ରରେ ଦୀର୍ଘ ୫୦ ବର୍ଷ ଧରି ଆନ୍ଦୋଳନ କରିଥିଲେ ବୋଲି ପ୍ରଫେସର ସିଂହ କହିଥିଲେ।

କର୍ମବୀର ଗୌରୀଶଙ୍କର ରାୟ ସ୍ମୃତି ସଂସଦ, ଓଡ଼ିଶା ସାହିତ୍ୟ ଏକାଡେମି, କଟକ ମହାନଗର ନିଗମ, ଓଡ଼ିଶା ପ୍ରଦେଶ କାୟସ୍ଥ ସଭା, ଉତ୍କଳ ସାହିତ୍ୟ ସମାଜର ମିଳିତ ଉଦ୍ୟମରେ ଆୟୋଜିତ ଜୟନ୍ତୀ ସମାରୋହରେ ସ୍ମୃତି ସଂସଦର ସଭାପତି ଉଦୟ ଶଙ୍କର ରାୟ ସଭାପତିତ୍ବ କରିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିରଞ୍ଚି କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମି ସଭ୍ୟ ମନୋଜ ପଟ୍ଟନାୟକ, ସାହିତ୍ୟିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓଡ଼ିଶା ପ୍ରତି ଗୌରୀଶଙ୍କର ରାୟଙ୍କ ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ। ସମାରୋହରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ଓ ଦେବପ୍ରସାଦ ଚାଟାର୍ଜୀଙ୍କୁ ଚଳିତବ‌ର୍ଷର ମର୍ଯ୍ୟାଦାଜନକ ‘ଗୌରୀଶଙ୍କର ସମ୍ମାନ’ ପ୍ରଦାନ କରାଯାଇଥିଲା। ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଜିତ କୁମାର ମହାପାତ୍ର ସଭା ସଂଯୋଜନା କରିଥିଲେ। ବୈଜୟନ୍ତୀ ମିଶ୍ର ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe