ସିଏମ୍‌ସିରେ ଠିକାଦାର ପ୍ରୀତି; ଟେଣ୍ଡର୍‌ ପେପ୍‌ର କିଣା ବାବଦରେ ଆଦାୟ ହେଉନି ଜିଏସ୍‌ଟି

୬ ମାସରେ ରାଜକୋଷକକୁ ୯ ଲକ୍ଷ ଟଙ୍କା କ୍ଷତି

ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ

Sambad

କଟକ: କଟକ ମହାନଗର ନିଗମର କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁଁ ରାଜକୋଷକୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ସିଏମ୍‌ସିର ବିଭିନ୍ନ ଠିକା କାମ ପାଇଁ ଡକାଯାଉଥିବା ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ଠିକାଦାରଙ୍କ ପେପର କିଣା ବାବାଦରେ ଜିଏସ୍‌ଟି ଆଦାୟ କରାଯାଉ ନାହିଁ। ସରକାରଙ୍କ କାମରେ ଅଂଶଗ୍ରହଣ କରିବାକୁ ‌ହେଲେ ଠିକାଦାରଙ୍କୁ ପେପର କିଣା ବାବଦରେ ଜିଏସ୍‌ଟି ଦେବାର ନିୟମ ରହିଛି। ସରକାରଙ୍କ ଅନ୍ୟ ସମସ୍ତ ବିଭାଗରେ ଏହାକୁ ପାଳନ କରାଯାଉ ଥିବା ବେଳେ ସିଏମ୍‌ସି ଏହାକୁ କିନ୍ତୁ କାର୍ଯ୍ୟକାରୀ କରୁ ନାହିଁ।  ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ସିଏମ୍‌ସି କର୍ତ୍ତୃପକ୍ଷ ୱାର୍କ ଅର୍ଡର ପାଇ କାମ କରୁନଥିବା କିମ୍ବ‌ା ଏପିଏସ୍‌ ଅର୍ଥ ଦାଖଲ କରୁନଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରୁନଥିବା ବେଳେ ଏବେ ‌ଠିକାଦାରଙ୍କ ଠାରୁ ପେପର କିଣା ବାବଦରେ ମଳିବାକୁ ଥିବା ରାଜସ୍ବକୁ ବି ମାଫ କରି ଦେଉଛନ୍ତି। ତେବେ ଏନେଇ ସିଏମ୍‌ସି ଇଂଜିନିୟରିଂ ଓ ଫାଇନାନ୍ସ ବିଭାଗର ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନଥିବାର ଉତ୍ତର ମିଳିଛି।

କଟକ ମହାନଗର ନିଗମର କେବଳ ଇଂଜିନିୟରିଂ ବିଭାଗରେ ପ୍ରତିବର୍ଷ ୬୦ରୁ ୮୦ କୋଟି ଟଙ୍କାର କାମ ହୋଇଥାଏ। ସେପଟେ କରୋନା ପାଇଁ ଗତ ଦେଢ ବର୍ଷ ମଧ୍ୟରେ ନିଗମର ଇଂଜିନିୟରିଂ ବିଭାଗରେ ଅଧିକ କାମ ହୋଇଛି। ଚଳିତ ବର୍ଷର ପ୍ରଥମ ୬ ମାସରେ ନିଗମ ପକ୍ଷରୁ ୫୨ କୋଟି ଟଙ୍କାର କାମ ପାଇଁ ଟେଣ୍ଡର କରାଯାଇଛି। ପ୍ରତି ଟେଣ୍ଡରରେ ୩ରୁ ଅଧିକ ଠିକାଦାର ଅଂଶ ଗ୍ରହଣ କରିଥାନ୍ତି। ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଠିକାଦାରଙ୍କୁ ସରକାରଙ୍କ ଠାରୁ ପେପ୍‌ର କିଣିବାକୁ ପଡିଥାଏ। ତେବେ ପେପ୍‌ର କିଣା ବାବଦ‌ରେ ୧୨ରୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ହୁଏ। ବିଏମ୍‌ସି, ବିଡିଏ, ୱାର୍କ ଡିପାର୍ଟମେଣ୍ଟ, କେଏମ୍‌ସି ଆଦି ବିଭାଗର ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ଠିକାଦାରଙ୍କୁ ପେପର କିଣା ବାବଦରେ ୧୨ ପ୍ରତିଶତ ଦେବାକୁ ପଡୁଥିବା ବେଳେ ଇଡକୋ ଓ ଏସ୍‌ପିଏଚ୍‌ସି ଆଦିରେ ପେପର ବାବଦକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡିଥାଏ। ମାତ୍ର କଟକ ମହାନଗର ନିଗମ ପକ୍ଷରୁ ଠିକାଦାରଙ୍କ ଠାରୁ ପେପର କିଣା ବାବଦକୁ ଜିଏସ୍‌ଟି ନିଆଯାଉ ନାହିଁ। ଏଥିରେ ୯ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ହୋଇଛି।

ସିଏମ୍‌ସିରେ ଚଳିତ ବ‌ର୍ଷ ହୋଇଥିବା ୫୨ କୋଟିର କାମ ପାଇଁ ଟେଣ୍ଡର ଭିତରେ ଏକ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ୩୫୦ରୁ ଅଧିକ କାମ ହୋଇଛି। ସେହିପରି ୨ରୁ ୫ଲକ୍ଷ ମଧ୍ୟରେ ୩ଶହରୁ ଅଧିକ କାମ, ୫ରୁ ୧୦ ଲକ୍ଷ ମଧ୍ୟରେ ୨୨୦ରୁ ଅଧିକ, ୧୦ରୁ ୫୦ ଲକ୍ଷ ମଧ୍ୟରେ ଦେଢ ଶହରୁ ଅଧିକ ଓ ୫୦ ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ୧୦ରୁ ଅଧିକ ଟେଣ୍ଡର କରାଯାଇଛି। ସେପଟେ ୧ ରୁ ୨ଲକ୍ଷର କାମ ପାଇଁ ୬ଶହ ଟଙ୍କାର ପେପ୍‌ର କିଣିବାକୁ ପଡିଥାଏ। ସେହିପରି ୨ରୁ ୫ ଲକ୍ଷ ପାଇଁ ୨ ହଜାର, ୫ରୁ ୧୦ ଲକ୍ଷ ପାଇଁ ୪ ହଜାର, ୧୦ରୁ ୫୦ ଲକ୍ଷ ପାଇଁ ୬ ହଜାର ଓ ୫୦ ଲକ୍ଷରୁ ଅଧିକ କାମ ପାଇଁ ୧୦ ହଜାର ଟଙ୍କାର ପେପ୍‌ର କିଣା ବାବଦରେ ଠିକାଦାରଙ୍କୁ ଟଙ୍କା ପୈଠ କରିବାକୁ ପଡିଥାଏ। ନିଗମ ଚଳିତ ବର୍ଷର ପ୍ରଥମ ୬ ମାସରେ ହୋଇଥିବା ଟେଣ୍ଡରରେ ୯ଲକ୍ଷ ୬୦ ହଜାରରୁ ଅଧିକ ରାଜସ୍ବ ପେପର କିଣା ବାବଦରେ ହରାଇଛି।

ଜିଏସ୍‌ଟି ଆକାରରେ ଆଦାୟ ହେଉଥିବା ଏହି ରାଜସ୍ବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବଣ୍ଟା ଯାଏ। ରାଜ୍ୟର ଅନ୍ୟ ନିଗମ ଓ ବିଭାଗରେ ଠିକାଦାରଙ୍କ ଠାରୁ ପେପର କିଣା ବାବଦରେ ଜିଏସ୍‌ଟି ନିଆଯାଉ ଥିବା ବେଳେ ସିଏମ୍‌ସି ଏହାକୁ ଆଦାୟ ନ କରିବା ପଛର କାରଣକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପେପର କିଣା ଉପରେ ସିଏମ୍‌ସିର ଅର୍ଥ ବିଭାଗ ଜିଏସ୍‌ଟି ନେଇଥାଏ ବୋଲି ସିଟି ଇଂଜିନିୟର ସୁବାରାଓ ପାତ୍ର କହିଛନ୍ତି। କିନ୍ତୁ ସିଏମ୍‌ସିରେ ପେପର କିଣା ବାବଦରେ ଜିଏସ୍‌ଟି ନିଆଯାଉ ଛି କି ନାହିଁ ତାହାର ସୂଚନା ତାଙ୍କ ପାଖରେ ନାହିଁ ବୋଲି ବିତ୍ତ ଅଧିକାରୀ ଲୁସି ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe