Public Policy Institute of California
କଟକ: ବହୁଚର୍ଚ୍ଚିତ ଦୁର୍ଦ୍ଦାନ୍ତ ହାଡ଼ିଆ ହତ୍ୟାକାଣ୍ଡ ମାମଲାରେ ୫ ମାସ ପରେ କମିସନରେଟ୍ ପୁଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ କାବୁ କରିଥିବା କୁହାଯାଉଛି। ଆନ୍ଧ୍ରପ୍ରଦେଶରୁ ଜଣେ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ କାବୁ କରି କଟକ ଅଣାଯାଉଥିବା ଚର୍ଚ୍ଚା ହେଉଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟତମ ସହଯୋଗୀ ଶାନ୍ତନୁର ଭାଇ ଦୀପକକୁ କାବୁ କରିବାକୁ ପୁଲିସ ତନାଘନା ଚଳାଇଛି।
ଇମାମପଡ଼ା ଗଡ଼ା ନିକଟରେ ୨୦୨୦ ସେପ୍ଟେମ୍ବର ୨ ତାରିଖରେ ହାଡ଼ିଆକୁ ଶିବାଜୀ ନଗର ଅଞ୍ଚଳର ଦୁଇ ଭାଇ ଦୀପକ ଓ ଶାନ୍ତନୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଶିବାଜୀ ନଗରରେ ଥିବା ଏହି ଦୁଇ ଭାଇଙ୍କ ବାଡ଼ିରେ ହାଡ଼ିଆ ଚୋରା ମଦ ଲୁଚାଇ ରଖୁଥିଲା। ଦୁଇ ଭାଇ ହାଡ଼ିଆକୁ ବିରୋଧ କରିଥିଲେ। ହାଡ଼ିଆ ସେପ୍ଟେମ୍ବର ୨ ତାରିଖ ସକାଳେ ଦୁଇ ଭାଇଙ୍କୁ ଏହି ଘଟଣାକୁ କେନ୍ଦ୍ର କରି ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ସେଦିନ ରାତିରେ ହାଡ଼ିଆକୁ ଇପସାର୍ ଗଡ଼ା ନିକଟରେ ଦୁଇ ଭାଇ ଖଣ୍ଡାରେ ବିଭତ୍ସ ଭାବେ ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତଙ୍କ ପ୍ରକୃତ ଘର ବଡ଼ମ୍ବା ଅଞ୍ଚଳରେ ହୋଇଥିବା ବେଳେ ସେମାନେ ଶିବାଜୀନଗରରେ ଘର କରି ରହୁଥିଲେ। ହତ୍ୟାକାଣ୍ଡ ପରେ ପ୍ରଥମେ ଦୁଇ ଭାଇ ବଡମ୍ବାରେ ଥିବା ନିଜ ଘରକୁ ଯାଇଥିଲେ।
କିନ୍ତୁ ସେଠାରେ ପୁଲିସ ପହଞ୍ଚିଯିବାରୁ ଫୋନ୍ ସୁଇଚ୍ ଅଫ୍ କରି ଫେରାର ହୋଇଯାଇଥିଲେ। ଦୁଇ ଭାଇଙ୍କୁ ଧରିବାକୁ ପୁଲିସ ବଡମ୍ବା ପରେ ନରସିଂହପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଚଢ଼ଉ କରିଥିଲା। କିନ୍ତୁ ସେମାନେ ବାରମ୍ବାର କୌଶଳକ୍ରମେ ଜିଲ୍ଲା ବଦଳାଉଥିବାରୁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ହାଡ଼ିଆ ହତ୍ୟାକାଣ୍ଡ ମାମଲାରେ ଲାଲବାଗ ଥାନା ପୁଲିସ ଚାନ୍ଦିନୀଚୌକ ଅଞ୍ଚଳର ଏକ ମାତ୍ର ପ୍ରତ୍ୟକ୍ଷଦର୍ଶୀ ମୁକେଶ ସୁସ୍ଥ ଥିବା ବେଳେ ହାଡ଼ିଆକୁ ହତ୍ୟା କରାଯାଇଥିବା ଖଣ୍ଡା ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ଲାଗିପାରି ନାହିଁ। ଇପସାର ଗଡ଼ା ନିକଟରେ ଥିବା ହାଡ଼ିଆର ବାଲିଗୋଡ଼ି ଦୋକାନରେ ମୁକେଶ କାମ କରୁଥିବା ବେଳେ ହତ୍ୟାକାଣ୍ଡ ଦିନ ଦୁଇ ଭାଇ ପ୍ରଥମେ ମୁକେଶକୁ ହାଣିଥିଲେ। ପରେ ହାଡ଼ିଆକୁ ହାଣିଥିଲେ।
ମୁକେଶ ହତ୍ୟାକାରୀଙ୍କୁ ସ୍ପଷ୍ଟ ଭାବେ ଦେଖିଥିବାରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୁଲିସ ପାଇଁ କଷ୍ଟକର ହେବନାହିଁ ବୋଲି କୁହାଯାଉଛି। ପୁଲିସ ଦୁଇ ଭାଇଙ୍କ ମୋବାଇଲ୍ ଟ୍ରାକ୍ କରୁଥିବାରୁ ଏମାନେ ଭୟରେ ୬ ମାସ ହେବ ମୋବାଇଲ ବ୍ୟବହାର କରିବା ବି ଛାଡ଼ିଦେଇଥିଲେ। ପରିସ୍ଥିତି ଏଭଳି ହେଲା ଯେ ଓଡ଼ିଶାରେ ଯେଉଁ ଜିଲ୍ଲାରେ ଦୀପକ ଓ ଶାନ୍ତନୁଙ୍କ ସମ୍ପର୍କୀୟ ଥିଲେ ସେମାନେ ପୁଲିସ ଭୟରେ ଆଶ୍ରୟ ଦେଲେନାହିଁ। ତେଣୁ ଶାନ୍ତନୁ ଆନ୍ଧ୍ର ପ୍ରଦେଶ ଚାଲିଯାଇ ଆତ୍ମଗୋପାନ କରିଥିବା କୁହାଯାଉଥିବା ବେଳେ ଦୀପକର ଖୋଜଖବର ମିଳିପାରି ନାହିଁ।
Follow Us