ଲୁଚି ଯାଇଛି ହାଇଦର ଫେରାର ପଛର ରହସ୍ୟ; ମହାରାଷ୍ଟ୍ରରେ ପୁଅ, ପୁତୁରା ଓ ସହଯୋଗୀ!

Advertisment

ବଡ଼ ମେଡିକାଲର ସଂପୃକ୍ତିକୁ ନେଇ ତଦନ୍ତ ଥଣ୍ଡା

ବଡ଼ ମେଡିକାଲର ସଂପୃକ୍ତିକୁ ନେଇ ତଦନ୍ତ ଥଣ୍ଡା

ଲୁଚି ଯାଇଛି ହାଇଦର ଫେରାର ପଛର ରହସ୍ୟ; ମହାରାଷ୍ଟ୍ରରେ ପୁଅ, ପୁତୁରା ଓ ସହଯୋଗୀ!

କଟକ: ଗ୍ୟାଙ୍ଗଷ୍ଟର ହାଇଦର୍ ଏବେ ଚୌଦ୍ବାର ଜେଲରେ। କିନ୍ତୁ ହାଇଦର୍ ଫେରାର ଘଟଣାର ମୁଖ୍ୟ କାର୍ପଟଦାର୍ କୁହାଯାଉଥିବା ତା’ର ମଝିଆ ପୁଅ ସେକ୍‌ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଓ ଆଜାରୁଦ୍ଦିନର ସହଯୋଗୀ ମଧୁପାଟଣା ତିନିଘରିଆର କାଳିଆ ଏବେ କେଉଁଠି? ତେଲେଙ୍ଗାନାର ଜାହିରାବାଦରୁ ଏପ୍ରିଲ ୧୫ ତାରିଖରେ ହାଇଦର ଧରାପଡ଼ିବା ଘଟଣାକୁ ତିନି ମାସ ପୂରି ଗଲାଣି। କିନ୍ତୁ ଫେରାର ଘଟଣାର ମାଷ୍ଟରମାଇଣ୍ଡ ଏବେ ବି ପୁଲିସ ପାଇଁ ଅପହଞ୍ଚ। ଆଜାରୁଦ୍ଦିନ, କାଳିଆ ଓ ହାଇଦରର ଜ୍ବାଇଁଙ୍କ ମୋବାଇଲ୍ ଲୋକେସନ୍ କିଛି ଦିନ ତଳେ ମହାରାଷ୍ଟ୍ରରେ ଠାବ ହୋଇଥିଲା। ଅର୍ଥାତ କମିସନରେଟ୍ ପୁଲିସ ଜାହିରାବାଦରେ ପହଞ୍ଚିବା ପୂର୍ବରୁ ହାଇଦରକୁ ନିଜ ବନ୍ଧୁ ଘରେ ଏକୁଟିଆ ଛାଡ଼ିଦେଇ ଆଜାରୁଦ୍ଦିନ ମହାରାଷ୍ଟ୍ର ଆଡ଼କୁ ଚମ୍ପଟ୍ ମାରିଥିଲା। ପରେ ସେମାନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଛି। ଏବେ ସେମାନେ ମହାରାଷ୍ଟ୍ରରେ ଅଛନ୍ତି କି ଅନ୍ୟ ରାଜ୍ୟକୁ ଯାଇଛନ୍ତି, ସେ ନେଇ ପୁଲିସ ଟିମ୍ ତନାଘନା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦର ଏପ୍ରିଲ ୧୦ ତାରିଖ ଅପରାହ୍ନ ୪ଟାରୁ ୪ଟା ୩୦ ଭିତରେ ମଝିଆ ପୁଅ ଆଜାରୁଦ୍ଦିନ ସହାୟତାରେ ଫେରାର ହୋଇଯାଇଥିଲା। ପ୍ରଥମେ ବାଇକରେ ଯିବା ପରେ ଖୋର୍ଦ୍ଧାରୁ ଏକ କାର‌ରେ ଆଜାରୁଦ୍ଦିନ ଓ ସହଯୋଗୀ କାଳିଆ ହାଇଦରକୁ ତେଲେଙ୍ଗାନା ଆଡ଼କୁ ନେଇ ଯାଇଥିଲେ। ହାଇଦର‌୍‌ କଟକରୁ ଆଣିଥିବା ବାଇକ ଜ୍ବାଇଁ ଚଲାଇ କାର‌୍‌ ପଛେ ପଛେ ଯାଇଥିଲା। ୧୧ ତାରିଖରେ ଏମାନେ ହାଇଦ୍ରାବାଦ ମୁର୍ସିଦାବାଦରେ ପହଞ୍ଚିଥିଲେ। ଆଜାରୁଦ୍ଦିନ ପୂର୍ବରୁ ରହୁଥିବା ଏକ ଭଡ଼ା ଘରେ ସମସ୍ତେ ରହିଥିଲେ। ୧୨ ତାରିଖରେ ଜାହିରାବାଦରେ ଆଜାରୁଦ୍ଦିନର ଜଣେ ବନ୍ଧୁ ଘରେ ରହିଥିଲା ହାଇଦର। ପୁଣି ସେଠୁ ଯାଇ ସାଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦ ହୁଦନୁଲ ଅଞ୍ଚଳରେ ଆଉ ଜଣେ ବ୍ୟକ୍ତିଙ୍କ ଘରେ ଥିଲା। ସେହି ଅଞ୍ଚଳରୁ ୧୫ ତାରିଖରେ ପୁଲିସ ତାକୁ ଗିରଫ କରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହାଇଦର ଫେରାର ହେବାଠାରୁ ତେଲେଙ୍ଗାନାରେ ଆଶ୍ରୟ ନେବା ପଛରେ ସମ୍ପୃକ୍ତ ଉପରୋକ୍ତ ୭ କାର୍ପଟଦାରଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରିଲା ନାହିଁ। ଆଜାରୁଦ୍ଦିନ ନିଜ ନୂଆ ସିମ୍ କାର୍ଡରୁ ଘର ଲୋକଙ୍କ ସହିତ କଥା ହୋଇ ହାଇଦରକୁ ପରୋକ୍ଷରେ ଧରା ପକାଇଥିବାରୁ ଏବେ ହୁଏତ ସେମାନେ ସତର୍କ ହୋଇଯାଇଥିବା ଆଶଙ୍କା କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହାଇଦର ଫେରାର ପଛରେ ସମ୍ପୃକ୍ତ ବଡ଼ ଡାକ୍ତରଖାନାର ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ଜାଣିବା ପାଇଁ ଏପ୍ରିଲ ୧୫ ତାରିଖରେ କମିସନରେଟ୍ ପୁଲିସ ହାଇଦର ଚିକିତ୍ସା ସଂକ୍ରାନ୍ତ ସମସ୍ତ କାଗଜପତ୍ର ମାଗିଥିଲା।

ମାର୍ଚ୍ଚ ୨୩ ତାରିଖରୁ ଏପ୍ରିଲ ୧୦ ତାରିଖ ଭିତରେ ସର୍ଜରୀ ଓ୍ବାର୍ଡରେ ହାଇଦର ରହୁଥିବା କ୍ୟାବିନକୁ ଯାଇଥିବା ସମସ୍ତ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ଓ ସୁଇପରଙ୍କ ତାଲିକା ପୁଲିସକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଦେଇଛନ୍ତି। କେଉଁ ଆଧାରରେ ହାଇଦରକୁ କ୍ୟାବିନ୍ ମିଳିଥିଲା, ସେ ନେଇ ମଧ୍ୟ ତଥ୍ୟ ଦାଖଲ କରାଯାଇଛି। କିନ୍ତୁ ବଡ଼ ଡାକ୍ତରଖାନାରୁ ଜଣେ ହେଲେ କାହାରିକୁ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତ ଦର୍ଶାଇଲା ନାହିଁ। କେବଳ ସମ୍ବଲପୁର ଜିଲ୍ଲା ପୁଲିସ କନଷ୍ଟେବଳ ଏବ˚ ସମ୍ବଲପୁର ସର୍କଲ୍‌ ଜେଲ୍‌ ଵାର୍ଡର‌ଙ୍କୁ ଗିରଫ ଓ ନିଲମ୍ବିତ କରାଯାଇଛି। ହାଇଦରକୁ ବଡ଼ ଡାକ୍ତରଖାନାରୁ ଫେରାର କରିବାରେ କେବଳ କଣ ଏହି ଦୁଇ ଜଣ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିଲା? ବଡ଼ ଡାକ୍ତରଖାନାର କେହି ବି ଅଧିକାରୀ ଓ କର୍ମଚାରୀ ଏଥିରେ ସମ୍ପୃକ୍ତ ନଥିଲେ? ବଡ଼ ଡଡାକ୍ତରଖାନା ଦିଗଟିକୁ ଜାଣିଶୁଣି ଢିଲା ଛାଡ଼ି ଦିଆଯାଉନାହିଁ ତ? ହାଇଦରକୁ ୧୫ ତାରିଖରେ ଗିରଫ କରାଯିବା ପରେ ସେ ୧୬ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚୌଦ୍ବାର ଜେଲର ସଂଗରୋଧ ଗୃହକୁ ପଠାଇ ଦିଆଯାଇଥିଲା।

ଗିରଫ ହେବାର ୧୪ ଦିନ ଭିତରେ ରିମାଣ୍ଡ ଆବେଦନର ଯେଉଁ ନିୟମ ରହିଛି, ଏହା ଅତିକ୍ରମ କରିଥିବାରୁ ଆଉ ହାଇଦରକୁ ପୁଲିସ ରିମାଣ୍ଡରେ ଆଣିବ ନାହିଁ ବୋଲି ସୂଚନା ମିଳିଛି। ହାଇଦରକୁ ପୁଲିସ ୧୬ ତାରିଖରେ କଟକରେ ଫେରାର ଥିବା ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ପଚରାଉଚରା କରିଥିଲା। ସହଯୋଗୀଙ୍କ ପରବର୍ତ୍ତି କାର୍ଯ୍ୟପନ୍ଥା ସମ୍ପର୍କରେ ବି ପୁଲିସ ତଥ୍ୟ ହାସଲ କରିଛି। ତେଣୁ ହାଇଦରର ସୂଚନା ମୁତାବକ ଏବେ ହାଇଦର୍ ଫେରାରରେ ବ୍ୟବହୃତ ପଲସର୍ ବାଇକ ଓ ୭ କାର୍ପଟଦାରଙ୍କୁ ଗିରଫ କରିବାକୁ ପୁଣି ଥରେ ପୁଲିସ ଟିମ୍ ସଜବାଜ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe