ଟାଙ୍ଗୀ: ସୁନାମ ନୁହେଁ ଦୁର୍ନାମ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି କଟକ ଜିଲ୍ଲାର ଟାଙ୍ଗୀ ପୁଲିସ୍ । ପୁଲିସ୍ ଆଉଟପୋଷ୍ଟରେ ଡ୍ୟୁଟି ସମୟରେ ରାସଲୀଳା ଚାଲିଥିବା ଘଟଣା ପଦାକୁ ଆସିଥିବା ବେଳେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ପାଇଁ ଟାଙ୍ଗୀ ପୁଲିସ୍ ଖାକିରେ ପୁଣି ଥରେ ଦାଗ ଲାଗିଛି। ଘଟଣା ପଦାକୁ ଆସିବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛି ଟାଙ୍ଗୀ ପୁଲିସ୍।
ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳୀ ପୁଲିସ୍ ଆଉଟପୋଷ୍ଟରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ପରେ ସଂପୃକ୍ତ ହୋମଗାର୍ଡଙ୍କ ସମେତ ତିନିଜଣଙ୍କୁ ଅଟକ ରଖିଛି ଟାଙ୍ଗୀ ପୁଲିସ୍। ଏହି ଘଟଣାରେ ଟାଙ୍ଗୀ ପୁଲିସ୍ ଗଣମାଧ୍ୟମ ଆଗରେ କିଛି ପ୍ରକାଶ କରିନଥିବା ବେଳେ ଚର୍ଚ୍ଚା ନ ଥମିବାରୁ ଆସନ୍ତାକାଲି ଏହି ଘଟଣାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ୍ ରହେମାନର ଆଡ୍ଡା ସ୍ଥଳୀଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳୀ, ହାଜତରେ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ତିନି ଜଣ ପୁଲିସ୍ କର୍ମଚାରୀ ଜେଲ୍ ଯିବା ଆଦି ଘଟଣାରେ ଟାଙ୍ଗୀ ଥାନା ପୁଲିସ୍ ରାଜ୍ୟରେ କୁଖ୍ୟାତି ଅର୍ଜନ କରିଛି।
ଜାତୀୟ ରାଜପଥ ପାର୍ଶ୍ୱ ତଥା କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସର ସବୁଠାରୁ ରୋଜଗାରିଆ ଥାନା ହେଉଛି ଟାଙ୍ଗୀ ଥାନା। ଏହି ଥାନାରେ ହୋମ୍ ଗାର୍ଡ ଠାରୁ ଆଇ.ଆଇ.ସି ପର୍ଯ୍ୟନ୍ତ ପୋଷ୍ଟିଂ ହେବାକୁ ହେଲେ ବଡ଼ବଡ଼ିଆଙ୍କ ଆଶୀର୍ବାଦ ଲୋଡ଼ାପଡେ।
କେତେକ ଅସାଧୁ ପୁଲିସଙ୍କ ପାଇଁ ଟାଙ୍ଗୀ ଥାନା ଦିନକୁ ଦିନ ବଦନାମ୍ ହେଉଛି। ରାଜ୍ୟ ପୁଲିସ୍ ମହାନିର୍ଦେଶକ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ପୁଣି ଥରେ ଚର୍ଚ୍ଚାରେ ଟାଙ୍ଗୀ ପୁଲିସ୍: ଦୁଷ୍କର୍ମ ଉଦ୍ୟମ କରି ଧରାପଡ଼ିଲେ ହୋମଗାର୍ଡ
Advertisment
Follow Us