ଆଦାୟ ହୋଇପାରୁନି ୨ କୋଟିର ହୋର୍ଡିଂ ଟିକସ, ନୋଟିସ୍‌ କରି ଚୁପ୍‌ ବସିଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ

ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ

Sambad

କଟକ: ମହାନଗର ନିଗମର ରାଜସ୍ବ ବୃଦ୍ଧି ପାଇଁ ବିଭିନ୍ନ ‌ଯୋଜନା ପ୍ରସ୍ତୁତ ହୋଇଛି। ସେଥିମଧ୍ୟରେ ହୋର୍ଡିଂ ଟିକସ ରାଜସ୍ବର ଏକ ପ୍ରମୁଖ ଉତ୍ସ। ମାତ୍ର ବିଭିନ୍ନ ଏଜେନ୍ସି ପାଖରେ ଏହି ଟଇକସ ୨କୋଟିରୁ ଅଧିକ ଟଙ୍କା ବାକି ଗଡ଼ୁଥିବା ବେଳେ ଏହାର ଆଦାୟ ଉପରେ ନିଗମ ପକ୍ଷରୁ ଉଦ୍ୟମ କରାଯାଉ ନାହିଁ। ନିଗମ ପକ୍ଷରୁ ହୋର୍ଡିଂ ଟିକସ ଦେଇ ନଥିବା ‌ଏଜେନ୍ସିଙ୍କୁ ଟଙ୍କା ଦେବା ପାଇଁ ଦେଢ଼ମାସ ତଳେ କେବଳ ଚିଠି କରି କର୍ତ୍ତୃପକ୍ଷ ବସି ପଡ଼ିଥିବ‌ା ଅଭିଯୋଗ ହୋଇଛି। ନିଗମରେ କରୋନା ପାଇଁ ରାଜସ୍ବ କମିଥିବା ବେଳେ କର୍ତ୍ତୃପକ୍ଷ‌ ହୋର୍ଡିଂ ଟିକସ ଆଦାୟ ଉପରେ ଗୁରୁତ୍ବ ନଦେବା ଅନେକ ପ୍ରଶ୍ନ ଛିଡ଼ା କରୁଛି। ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇବାକୁ ବିଭିନ୍ନ ବିଜ୍ଞାପନ ଏଜେନ୍ସିଠାରୁ ସିଏମ୍‌ସି ହୋର୍ଡିଂ ଟିକସ ଆଦାୟ କରିଥାଏ। ସିଏମ୍‌ସିରେ ୨୦୧୯-୨୦ ଓ ୨୦୨୦-୨୧ ଦୁଇବର୍ଷରେ ୨କୋଟି ୩୦ ଲକ୍ଷ ଟଙ୍କା ବାକି ପଡ଼ିଛି। ୨୦୧୯-୨୦ରେ ୪୨ ଲକ୍ଷ ବାକି ଥିବା ସମୟରେ ୨୦୨୦-୨୧ରେ ୧ କୋଟି ୮୮ ଲକ୍ଷ ଟଙ୍କା ବାକି ପଡ଼ିଛି। ସିଏମ୍‌ସି ପକ୍ଷରୁ ଗତ ଜୁଲାଇ ୨୬ ତାରିଖରେ ଟଙ୍କା ପୈଠ କରିବାକୁ ବିଭିନ୍ନ ଏଜେନ୍ସିଙ୍କୁ ଚିଠି କରାଯାଇଥିଲା।

୧୫ ଦିନ ମଧ୍ୟରେ ଏଜେନ୍ସି ଟଙ୍କା ଦାଖଲ ନକରିଲେ ସେମାନଙ୍କ ଦ୍ବାରା ଲଗାଯାଇଥିବା ବିଜ୍ଞାପନକୁ ନଷ୍ଟ କରିବାକୁ ଏଥିରେ କୁହାଯାଇଥିଲା। ଏହା ମଧ୍ୟରେ ଏଜେନ୍ସିଗୁଡ଼ିକୁ ଚିଠି କରିବାରେ ଏକ ମାସରୁ ଅଧିକ ଦିନ ବିତିଲାଣି। ମାତ୍ର, ନିଗମ ପକ୍ଷରୁ ବିଜ୍ଞାପନ ନଷ୍ଟ କରିବା କାର୍ଯ୍ୟକ୍ରମ ସହରର କେଉଁଠାରେ ଦେଖିବାକୁ ମିଳୁ ନାହିଁ। ଅନ୍ୟପଟେ କରୋନା ପାଇଁ ୨୦୨୦-୨୧ ବର୍ଷର ହୋର୍ଡିଂ ଟିକସକୁ ଛାଡ଼ କରିବାକୁ ଏଜେନ୍ସିଙ୍କ ପକ୍ଷରୁ ସିଏମ୍‌ସି ନିକଟରେ ଦାବି କରାଯାଇଥିଲା। କାଉନସିଲ୍‌ରେ ଏହାକୁ ୫୦ ପ୍ରତିଶତ ଛାଡ଼ କରିବା ନିଷ୍ପତ୍ତି ଉପରେ ଅନୁମୋଦନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଅନୁମୋଦନ ପାଇଁ ପଠାଯାଇଥିଲା। ମାତ୍ର ଏ ନେଇ ବିଭାଗରୁ କୌଣସି ନିର୍ଦ୍ଦେଶ ଆସି ନଥିବା ସୂଚନା ରହିଛି। ତେବେ ସିଏମ୍‌ସିରେ ଟଙ୍କା ନଥିବାରୁ ଅନେକ ଯୋଜନା ଏବେ ବନ୍ଦ ଥିବା ସମୟରେ ହୋର୍ଡିଂ ଟିକସ ବାବଦକୁ କୋଟି କୋଟି ଟଙ୍କା ଏଜେନ୍ସିଙ୍କ ଉପରେ ବାକି ଗଡ଼ିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅପରପକ୍ଷରେ, ଏ ସମ୍ପର୍କରେ ସିଏମ୍‌ସି ସଚିବ ଲତାଶ୍ରୀ ବାଗ କହିଛନ୍ତି ଯେ, ମହାନଗର ନିଗମ ପକ୍ଷରୁ ଗତ ୩ଦିନ ଧରି ବାକି ରଖିଥିବା କିଛି ଏଜେନ୍ସିଙ୍କ ବିଜ୍ଞାପନକୁ ନଷ୍ଟ କରାଯାଇଛି। ଆସନ୍ତା ଦିନରେ ବାକି ରଖିଥିବା ଅନ୍ୟ ସବୁ ଏଜେନ୍ସିଙ୍କ ବିଜ୍ଞାପନ ମଧ୍ୟ ନଷ୍ଟ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe