The News Insight
କଟକ: ଆଚାର୍ଯ୍ୟ ହରିହରରେ ଖୋଲା ଆକାଶ ତଳେ ଗଡୁଛନ୍ତି ରୋଗୀ। ରିପୋର୍ଟ ନଆସିଲେ ଆଡମିସନ୍ ମିଳୁନି। ଏପଟେ ରୋଗୀ ରହିବା ପାଇଁ ଥିବା ଧର୍ମଶାଳା ବି କୋଭିଡ୍ ଆଇସୋଲେସନ୍ ପାଇଁ ବନ୍ଦ। ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଏଭଳି ଘଟଣାର ସମାଧାନ ଓ କୋଭିଡ୍ ସଂକ୍ରମଣ କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ କୋଭିଡ୍ ଆଇସୋଲେସନ୍ ୱାର୍ଡ ହୋଇଥିବା ଧର୍ମଶାଳାକୁ ଖାଲି କରିଛନ୍ତି। ଫଳରେ ରୋଗୀ ଦିନେ ଦୁଇଦିନ ଭିତରେ ଏହା ରୋଗୀଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର ହେଉ ବା ଏସ୍ସିବିରେ ରୋଗୀ ସଂପର୍କୀୟଙ୍କ ପାଇଁ ପରିସର ଭିତରେ ରାତ୍ରୀ ଆଶ୍ରୟସ୍ଥଳୀ ଖଣ୍ଡିଏ ନିର୍ମାଣ ହୋଇପାରିନି। ଅନ୍ୟପଟେ ଏବେ ୧୦ ବେଡ୍ ବିଶିଷ୍ଟ ପାଲେଟିଭ୍ କେୟାର ୟୁନିଟ୍କୁ କୋଭିଡ୍ ଆଇସୋଲେସନ୍ ୱାର୍ଡଭାବେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୨୮୪ବେଡ୍ ଥିବାବେଳେ ଏବେ ଏହାକୁ ୫ଶହ ଶଯ୍ୟା ବିଶିଷ୍ଟ କରିବା ପାଇଁ ପ୍ରଶାସନ ଯୋଜନା କରୁଛି। ହେଲେ ଏବେ କିନ୍ତୁ ଶଯ୍ୟା ଅଭାବ ଥିବାରୁ କର୍ତ୍ତୃପକ୍ଷ ଏହାର ମୁକାବିଲା ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ବିନା କୋଭିଡ୍ ପରୀକ୍ଷାରେ ରୋଗୀଙ୍କୁ ଆଡ୍ମିସନ୍ ମିଳିବନି। ରୋଗୀ ଆସିଲେ ପ୍ରଥମେ ଆଇସୋଲେସନ୍ରେ ରହିବେ। ରିପୋର୍ଟ ଆସିଲେ ୱାର୍ଡକୁ ଯିବେ। ନଚେତ୍ ପଜିଟିଭ୍ ଥିଲେ ଏସ୍ସିବି କୋଭିଡ୍ ହସ୍ପିଟାଲକୁ ଯିବେ। ବର୍ଷ ବର୍ଷ ହେଲା ଟେଷ୍ଟିଂ ରିପୋର୍ଟ ନାଁରେ ରୋଗୀ ଦିନ ଦିନ ଧରି ଖୋଲା ଆକାଶ ତଳେ ପଡିରହୁଛନ୍ତି। ମାଗଣା ଚିକିତ୍ସା ବ୍ୟବସ୍ଥା ଭିତରେ ଅଲଟ୍ରାସାଉଣ୍ଡ ପାଇଁ ୧୨ଦିନରୁ ଅଧିକ ଅପେକ୍ଷା କରିବାକୁ ପଡୁଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ ଥିବା ଧର୍ମଶାଳାରେ ଭଡା ଦେଇ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ରହୁଥିଲେ। କିନ୍ତୁ କୋଭିଡ୍ ପାଇଁ ଧର୍ମଶାଳାକୁ ବ୍ୟବହାର କରାଯିବାରୁ ରୋଗୀଙ୍କ ରହିବା ପାଇଁ କେନ୍ଦ୍ର ପରିସରରେ ଖୋଲା ଆକାଶକୁ ଛାଡିଦେଲେ ଅନ୍ୟ କିଛି ବିକଳ୍ପ ନଥିଲା। ଏବେ ଦୁଇଦିନରେ ୩ଶହ ଉପରେ ପରୀକ୍ଷା କରାଯାଇଥିବାବେଳେ ମାତ୍ର ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ଯାହାଫଳରେ କର୍ତ୍ତୃପକ୍ଷ ଧର୍ମଶାଳାକୁ ଖାଲି କରି ଦୁଇଦିନ ଭିତରେ ସାନିଟାଇଜ କରିବା ସହ ରୋଗୀଙ୍କ ପାଇଁ ଉପଲବ୍ଧ କରିବାକୁ ଯୋଜନା କରିଛନ୍ତି। ୧୫ରେ ଆଚାର୍ଯ୍ୟ ହରିହରର ପରିଚାଳନା କମିଟି ବୈଠକ ରହିଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।
Follow Us