Sambad
କଟକ: କଟକର ବକ୍ସି ବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ଏକ ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌର ନିଗମ ପକ୍ଷରୁ ୨୦୧୮ରେ ଯୋଜନା ହୋଇଥିଲା। ଏଥିପାଇଁ କାରିଗରଙ୍କୁ ଅର୍ଡର ବି ଦିଆଯାଇଥିଲା। କାରିଗର ଅଧା କାମର ବିଲ୍ ଦାଖଲ କରିଥିଲେ ବି ସିଏମସି ଆଉ ଧରାଛୁଆଁ ଦେଉନି। ଫଳରେ ମୂର୍ତ୍ତି କାମ ବି ସଂପୂର୍ଣ୍ଣ ହୋଇପାରୁନି। ନିଗମ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ୪ ବର୍ଷ ହେଲା ମୂର୍ତ୍ତି କାମ ଶେଷ ହୋଇପାରୁନି। ଆସନ୍ତା ବର୍ଷ ବକ୍ସି ଜଗବନ୍ଧୁଙ୍କ ୨୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ ଏହାକୁ ସ୍ଥାପନ କରିବାକୁ ବକ୍ସି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଛି। ବକ୍ସି ଜଗବଂଧୁଙ୍କ ମୂର୍ତ୍ତି ସ୍ଥାପନ ପାଇଁ ୨୦୧୮ରେ ନିଗମର ଶିକ୍ଷା ଓ ଚିତ୍ତ ବିନୋଦନ ଷ୍ଟାଣ୍ଡିଂ କମିଟିରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପରେ ଏହାକୁ କାଉନ୍ସିଲ ବୈଠକରେ ମଧ୍ୟ ଗୃହୀତ କରାଗଲା। ବକ୍ସି ବଜାରର ଗୋଲେଇ ଛକରେ ପାଞ୍ଚ ଫୁଟ ଉଚ୍ଚ ପିଣ୍ଡି ଉପରେ ବକ୍ସି ଜଗବନ୍ଧୁଙ୍କ ସାତ ଫୁଟ ଉଚ୍ଚତାର ଘୋଡା ଚଢା ମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା। ଏଥିପାଇଁ ୨୧ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା। ଟଙ୍କା ମଞ୍ଜୁର ହେବା ସହିତ ସମସ୍ତ ବିଭାଗରୁ ଅନୁମତି ମଳିବା ପରେ ୨୦୧୯ ଫେବ୍ରୁଆରିରେ କାମ ପାଇଁ ଟେଣ୍ଡର ହୋଇଥିଲା। କାଠଗଡ଼ା ସାହିର ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କୁ ପ୍ରତିମୂର୍ତ୍ତି ନିର୍ମାଣର ଦାୟିତ୍ବ ଦିଆଯାଇଥିଲା।
ସଂପୂର୍ଣ୍ଣ ମୂର୍ତ୍ତିଟିକୁ ନିର୍ମାଣ କରିବା ପାଇଁ ୬ଟି ପର୍ଯ୍ୟାୟରେ ଟଙ୍କା ଦେବାକୁ ନିଗମ ପକ୍ଷରୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଟି ଓ ଫାଇବର ଢାଞ୍ଚା ତିଆରି ଶେଷ ହେବା ପରେ ନିଗମରେ କାମର ବିଲ୍ ଦାଖଲ ହୋଇଥିଲା। ବାରମ୍ବାର ଦାବି ପରେ ନିଗମ ପକ୍ଷରୁ ୬ମାସ ପରେ ସାଢେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ କରୋନା ପାଇଁ ଦେଢ ବର୍ଷ କାମ ବନ୍ଦ ଥିଲା। ମାତ୍ର ୨୦୨୨ରେ କାମ ପୁଣି ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ମହମ ଢାଞ୍ଚା ସହ ପ୍ରତିମୂର୍ତ୍ତିର କିଛି ଅଂଶକୁ ବ୍ରୋଞ୍ଜ୍ରେ କରାଯାଇଛି। ଏହାର ବିଲ୍ ୩ ମାସରୁ ଅଧିକ ଦିନ ପୂର୍ବରୁ ନିଗମରେ ଦାଖଲ କରାଯାଇଛି। କାମ ଦେଖି ଟଙ୍କା ଦେବାକୁ କର୍ତ୍ତୃପକ୍ଷ କହୁଥିବା ବେଳେ ଏହାକୁ ଦେଖିବାକୁ ନିଗମର ଇଂଜିନୟିର ଓ ଅଧିକାରୀଙ୍କ ନିକଟରେ ସମୟ ମିଳୁନାହିଁ। ପୌର ନିଗମ ଟଙ୍କା ଦେବାରେ ବିଳମ୍ବ କରିବାକୁ ନେଇ ବକ୍ସି ବଜାର ବ୍ୟବସାୟୀ ସଂଘ ଅଧିକାରୀଙ୍କୁ ଚିଠି ଲେଖୁଥିଲେ ବି ଏ ଦିଗରେ କେହି ଧ୍ୟାନ ଦେଉ ନଥିବା ସଂଘ ସଭାପତି ସଲିଲ ଘୋଷ କହିଛନ୍ତି। ୮ମାସର କାମକୁ ନିଗମର ଅଧିକାରୀଙ୍କ ପାଇଁ ୪ ବର୍ଷରୁ ଅଧିକ ସମୟ ଲାଗିଲାଣି। ଠିକ୍ ସମୟରେ ଟଙ୍କା ମିଳୁ ନଥିବାରୁ ଜିନିଷ କିଣିବା ଓ ଅନ୍ୟାନ୍ୟ ବିଷୟ କରିବାରେ ବିଳମ୍ବ ହେଉଥିବା ଶିଳ୍ପୀ ଶ୍ରୀ ରଣା କହିଛନ୍ତି। ଆସନ୍ତା ବର୍ଷ ବକ୍ସି ଜଗବନ୍ଧୁଙ୍କ ୨୫୦ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ଏହାର ସ୍ଥାପନ ଆସନ୍ତା ତିନି ମାସ ମଧ୍ୟରେ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଅନ୍ୟପଟେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ଉପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମେୟର ସୁବାସ ସିଂହ କହିଛନ୍ତି।
Follow Us