ନିଶାଡ଼ିଙ୍କୁ ନିର୍ଯାତନା! ଜିଲ୍ଲାରେ ୪ଟି ସରକାରୀ ନିଶାନିବାରଣ କେନ୍ଦ୍ର; ୧୫ରୁ ଅଧିକ ବେଆଇନ

Advertisment

ଗୋଟିଏ ଗୋଟିଏ ରୁମ୍‌ରେ ରହୁଛନ୍ତି ୧୦ରୁ ୧୫

ଗୋଟିଏ ଗୋଟିଏ ରୁମ୍‌ରେ ରହୁଛନ୍ତି ୧୦ରୁ ୧୫

ନିଶାଡ଼ିଙ୍କୁ ନିର୍ଯାତନା! ଜିଲ୍ଲାରେ ୪ଟି ସରକାରୀ ନିଶାନିବାରଣ କେନ୍ଦ୍ର; ୧୫ରୁ ଅଧିକ ବେଆଇନ

Sambad

କଟକ: କଟକ ଜିଲ୍ଲାରେ ବିନା ସ୍ବୀକୃତିରେ ରହିଛି ୧୫ରୁ ଅଧିକ ନିଶା ନିବାରଣ କେନ୍ଦ୍ର। ଏମାନଙ୍କ ନିକଟରେ କୌଣସି ସରକାରୀ ଅନୁମୋଦନ ସଂକ୍ରାନ୍ତ କାଗଜପତ୍ର ବି ନାହିଁ। ନିଶାସକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କୌଣସି ସରକାରୀ ତାଲିମ୍ ପାଇ ନଥିବାରୁ ସେମାନଙ୍କୁ ବାନ୍ଧି ଶାରୀରିକ ନିର୍ଯାତନା ଦିଆଯାଉଛି। ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ନିଶାଡ଼ି ଏବେ ବେଆଇନ ନିଶା ନିବାରଣ କେନ୍ଦ୍ରରେ ବିପଦପୂର୍ଣ୍ଣ ଢଂଗରେ ଦିନ କାଟୁଛନ୍ତି। ବ୍ୟବସ୍ଥାର ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନର କୌଣସି ପ୍ରକାର ସ୍କ୍ବାଡ୍ ବ୍ୟବସ୍ଥା ନାହିଁ କି ଆଜି ସୁଦ୍ଧା ଥରଟିଏ ବି ଚଢ଼ଉ କରାଯାଇନାହିଁ। ତେବେ ଏହି ଅନୁଷ୍ଠାନଗୁଡ଼ିକକୁ ଚଲାଇବା ପାଇଁ କିଏ ସୁରକ୍ଷା ଦେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ସାମାଜିକ ସୁରକ୍ଷା ଏବ˚ ସଶକ୍ତିକରଣ ବିଭାଗ ଅଧୀନରେ କଟକ ଜିଲ୍ଲାରେ ୪ଟି ସରକାରୀ ଅନୁଦାନପ୍ରାପ୍ତ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛନ୍ତି। ଫକିରପଡ଼ାରେ ଥିବା ପ୍ରୋଜେକ୍ଟ ସ୍ବରାଜ, ବାଙ୍କୀରେ ମୁକ୍ତି ସଦନ, ଖପୁରିଆରେ ନବଜୀବନ ଓ ବଡ଼ ଡାକ୍ତରଖାନାରେ ମାନସିକ ରୋଗ ବିଭାଗ ଅଧୀନରେ ଗୋଟିଏ ନିଶାନିବାରଣ କେନ୍ଦ୍ର କାର୍ଯ୍ୟ କରୁଛନ୍ତି। ପ୍ରତି ସରକାରୀ ସଂସ୍ଥାରେ ୧୫ଟି ବେଡ୍‌ର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଜିଲ୍ଲାରେ ପ୍ରାୟ ୧୫ରୁ ଅଧିକ ବେଆଇନ ନିଶାମୁକ୍ତି କେନ୍ଦ୍ର ଖୋଲାଯାଇଛି। ଏଥିରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ନିଶାଗ୍ରସ୍ତ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ଗୋଟିଏ ଗୋଟିଏ ଅନୁଷ୍ଠାନରେ ୫୦ରୁ ଉର୍ଦ୍ଧ୍ବ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଉଛି। କିନ୍ତୁ ଏହି ଅନୁଷ୍ଠାନକୁ କୌଣସି ପ୍ରକାର ସରକାରୀ ଅନୁମୋଦନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଜିଲ୍ଲା ପ୍ରଶାସନ ନିକଟରେ ବି ବେଆଇନ ଅନୁଷ୍ଠାନ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ନିୟମ ଅନୁଯାୟୀ, ସରକାରୀ ଅନୁଦାନପ୍ରାପ୍ତ ନିଶା ନିବାରଣ କେନ୍ଦ୍ରରେ ଡାକ୍ତର ଜଣେ, ଦୁଇ ଜଣ ନର୍ସ, ଓ୍ବାର୍ଡ ବଏ ଦୁଇ ଜଣ, ସୁରକ୍ଷା କର୍ମୀ ଦୁଇ ଜଣ, ପିଅର ଏଜୁକେଟର ଜଣେ, କାଉନସେଲର ଜଣେ, ସୋସିଆଲ୍ ଓ୍ବାର୍କର ଜଣେ ଲେଖାଏ ନିୟୋଜିତ ହୋଇଥାନ୍ତି। ପିଅର ଏଜୁକେଟରଙ୍କ କାମ ନିଶାସକ୍ତ ବ୍ୟକ୍ତିଙ୍କୁ ଶିକ୍ଷିତ କରାଯିବା କ୍ଷେତ୍ରରେ ଧ୍ୟାନ ଦେବା। ନିଶାସକ୍ତ ବ୍ୟକ୍ତିଙ୍କ ସହିତ ସିଧାସଳଖ ସମ୍ପର୍କରେ ରହୁଥିବା ଏହି କର୍ମଚାରୀଙ୍କୁ ବାର୍ଷିକ ୪ ଥର ତାଲିମ ଦିଆଯାଇଥାଏ।

ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ କିଭଳି କାଉନସେଲିଂ କରାଯାଇ ନିଶା ଛଡ଼ାଯିବ, ଔଷଧ ଖୁଆଯିବ ଏବଂ ଦୈନିକ ଯୋଗ, ପ୍ରାଣାୟମ କରାଯିବ, ପାଠ ପଢ଼ାଯିବ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କୁ ତାଲିମ୍ ପ୍ରଦାନ କରାଯାଉଛି। ଲକ୍ଷଣ ଦେଖି ଔଷଧ ଓ ଇଞ୍ଜେକ୍ସନ କେତେ ମାତ୍ରାରେ ଦିଆଯିବ, ସେ ନେଇ ବି ପରାମର୍ଶ ଦିଆଯାଇଥାଏ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସି କ୍ୟାମେରା ସହିତ ବାହାରୁ ଆସୁଥିବା ଅତିଥିଙ୍କ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ମୁଭମେଣ୍ଟ ରେଜିଷ୍ଟର ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକ ଦିନର ଖାଦ୍ୟ ସାରଣୀ, ନିଶାଗ୍ରସ୍ତ ବ୍ୟକ୍ତିଙ୍କ ପୃଥକ ମେଡିକାଲ୍‌ ରେଜିଷ୍ଟର ଇତ୍ୟାଦି ରହିବା ଜରୁରି। ବାହାରୁ ଆସୁଥିବା ଅତିଥି ଜଣକ କେଉଁ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ କଣ ଖାଇବାକୁ ଦେଉଛି, ଏସବୁ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଏ। ନିଶା ନିବାରଣ ପାଇଁ ଦିଆଯାଉଥିବା ଇଞ୍ଜେକ୍ସନ ଏବ˚ ଔଷଧ ସମ୍ପର୍କରେ ମଧ୍ୟ ଟିକିନିଖି ତଥ୍ୟ ରେଜିଷ୍ଟର‌୍‌ରେ ଉଲ୍ଲେଖ ରହିଥାଏ। ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ଗଲା ପ୍ରାୟ ୫ ବର୍ଷ ହେବ ଆରମ୍ଭ ହୋଇଥିବା ବେଳେ କଟକ ଜିଲ୍ଲାରେ ବେଆଇନ ନିଶା ନିବାରଣ କେନ୍ଦ୍ରଗୁଡ଼ିକ ଦୀର୍ଘ ବର୍ଷ ହେବ ଚାଲି ଆସୁଛି। ସରକାରୀ ଅନୁମୋଦନ ମିଳି ନଥିବାରୁ ଏହାର କର୍ମଚାରୀ କୌଣସି ବିଧିବଦ୍ଧ ତାଲିମ୍ ନେଇ ନାହାନ୍ତି। କିଭଳି ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବ, ସେ ନେଇ ତାଲିମ ନଥିବାରୁ କର୍ମଚାରୀମାନେ ନିଶାସକ୍ତ ବ୍ୟକ୍ତିଙ୍କୁ ଶାରୀରିକ ନିର୍ଯାତନା ଭଳି ମାରାତ୍ମକ କୌଶଳ ପ୍ରୟୋଗ କରୁଛନ୍ତି।

ଏହି ବେଆଇନ ଅନୁଷ୍ଠାନରେ କେତେ ନିଶାସକ୍ତ ବ୍ୟକ୍ତି ଚିକିତ୍ସିତ ହେବାର ବ୍ୟବସ୍ଥା ଅଛି ଓ କେତେ ରହୁଛନ୍ତି, କେଉଁ ଇଞ୍ଜେକ୍ସନ ଓ ଔଷଧ କେତେ ମାତ୍ରରେ ଦିଆଯାଉଛି, ସେ ନେଇ କୌଣସି ଯାଞ୍ଚର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ନାହିଁ। ଯେଭଳି ବେଆଇନ ନର୍ସିଂ ହୋମ ଉପରେ ସିଡିଏମଓ ଅଫିସର ଚଢ଼ଉ ନିୟମିତ ହେଉଛି, ସେହିଭଳି ଏ ପ୍ରକାର ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଖୋଲିଥିବା ଅନୁଷ୍ଠାନର ଯାଞ୍ଚ ପାଇଁ ଜିଲ୍ଲା କି ପୁଲିସ ପ୍ରଶାସନର କୌଣସି ପ୍ରକାର ସ୍କ୍ବାଡ୍ ନାହାନ୍ତି। ତେଣୁ ବେଆଇନ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ନିଶାସକ୍ତ ବ୍ୟକ୍ତିଙ୍କ ଜୀବନ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି। ସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷ ବିକାଶ ମହାପାତ୍ର କହିଛନ୍ତି ଯେ ନିଶା ନିବାରଣ କେନ୍ଦ୍ରରେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ବୈଜ୍ଞାନିକ କୌଶଳରେ ନିଶା କିଭଳି ଛାଡ଼ିବେ ସେ ନେଇ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। କିନ୍ତୁ କଟକ ସହରରେ ଏହି ବେଆଇନ ନିଶାନିବାରଣ କେନ୍ଦ୍ରରେ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ରଖି ଶାରୀରିକ ନିର୍ଯାତନା ଦିଆଯାଉଛି। ଭୟଭୀତ କରାଇ ଚିକିତ୍ସା କରାଯାଉଛି। ଏହାଦ୍ବାରା ସେମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଅଭିଜ୍ଞ କାଉନସେଲର କି ଅନ୍ୟ କର୍ମଚାରୀ ନାହାନ୍ତି। ଗୋଟିଏ ରୁମରେ ଯେଉଁ ତିନିରୁ ଚାରି ଜଣ ରହିବା କଥା ସେଠି ୧୦ରୁ ୧୫ ଜଣଙ୍କୁ ତଳେ ଶୋଉଛନ୍ତି। ଗୋଟିଏ ଶୌଚାଳୟକୁ ପାଖାପାଖି ୨୦ରୁ ୨୫ ଜଣ ବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe