ଆଜି ଆନ୍ତର୍ଜାତିକ ଯୋଗ ଦିବସ: ଯୋଗ ଯୋଗୁଁ ସୁସ୍ଥ, ସକ୍ଷମ ଓ ସଫଳ

ଆଜି ଆନ୍ତର୍ଜାତିକ ଯୋଗ ଦିବସ: ଯୋଗ ଯୋଗୁଁ ସୁସ୍ଥ, ସକ୍ଷମ ଓ ସଫଳ

Sambad

କଟକ: ଶାରୀରିକ ସୁସ୍ଥତା ହେଉ ଅବା ମାନସିକ ଶାନ୍ତି, ଏସବୁ ପାଇଁ ଯୋଗ ହିଁ ମହୌଷଧୀ। ସୁସ୍ଥ, କର୍ମଚଞ୍ଚଳ ଓ ଚାପମୁକ୍ତ ରହିବା ପାଇଁ ଯୋଗାଭ୍ୟାସ ଜରୁରୀ। ଏହାକୁ ଅନୁଭବ କଲେଣି ନାଗରିକ ସମାଜ। ଏଥିପାଇଁ ଯୋଗ ଆଉ ମୁନିଋଷିଙ୍କ ଆଶ୍ରମ ପରିସରରେ ସୀମିତ ହୋଇ ରହିନାହିଁ। ଗାଁଠୁ ସହର ସବୁ ସ୍ଥାନରେ ଯୋଗର ଲୋକପ୍ରିୟତା ବଢ଼ିବାରେ ଲାଗିଛି। କିଏ ସୁସ୍ଥ ରହିବା ପାଇଁ ତ କିଏ ବୃତ୍ତି ଭାବେ ଯୋଗଭ୍ୟାସରେ ନିଗମ୍ନ। ଯୋଗକୁ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ସୁଫଳ ପାଇଥିବା କିଛି ବ୍ୟକ୍ତିଙ୍କ ପ୍ରତ୍ୟେକ୍ଷ ଅନୁଭବ ଓ ଅନୁଭୂତିକୁ ନେଇ ଯୋଗ ଦିବସର ସ୍ବତନ୍ତ୍ର ଉପସ୍ଥାପନା।

ଗୁରୁତର ସ୍ନାୟବିକ ରୋଗରୁ ମୁକ୍ତି ପାଇଛନ୍ତି ରଶ୍ମିତା
ମାନସିଂହପାଟଣାରେ ରହୁଥିବା ରଶ୍ମିତା ସାହୁ(୫୦ବର୍ଷ) ଆଣ୍ଠୁଗଣ୍ଠି ବାତ ସହିତ ଗୁରୁତର ସ୍ନାୟବିକ ରୋଗରେ ଆକ୍ରାନ୍ତ ଥିଲେ। ଏପରିକି ତାଙ୍କ ଶରୀରର ଅଣ୍ଟାଠୁ ପାଦ ପର୍ଯ୍ୟନ୍ତ ଅଂଶ ଅଛି କି ନାହିଁ, ତାହା ଅନୁଭବ କରି ପାରୁନଥିଲେ। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ପରେ ବି ସୁଫଳ ନ ମିଳିବାରୁ ସେ ଅଲିଶାବଜାର ଯୋଗକେନ୍ଦ୍ରରେ ଯୋଗଗୁରୁ ମନମୋହନ ବେହେରାଙ୍କ ତତ୍ତ୍ବାବଧାନରେ ଯୋଗଭ୍ୟାସ ଆରମ୍ଭ କଲେ। ପାଖାପାଖି ୬ମାସ ଯୋଗଭ୍ୟାସରେ ସେ ବିଭିନ୍ନ ପ୍ରକାର ଆସନ ସହିତ ସୂର୍ଯ୍ୟନମସ୍କାର ଆଦି ଅଭ୍ୟାସ କଲେ। ଏବେ ସେ ସଂପୂ୍ର୍ଣ୍ଣ ସୁସ୍ଥ। ତାଙ୍କର ପୂର୍ବ ଦୁର୍ବଳତା ବା ଅସୁସ୍ଥତା ଆଉ ନାହିଁ। ରଶ୍ମିତାଙ୍କ କହିବା ଅନୁସା‌ରେ, ଯୋଗଭ୍ୟାସ ଦ୍ବାରା ପୂର୍ବରୁ ଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ସ୍ନାୟବିକ ଦୁର୍ବଳତା ଆଉ ନାହିଁ। ଏବେ ସବୁ କାମ ପ୍ରତି ଉତ୍ସାହ ରହିଛି ଓ ଜୀବନକୁ ଉପଭୋଗ କଲାଭଳି ଲାଗୁଛି।

ଦୁଇଥର କୋଭିଡ୍‌କୁ ପରାସ୍ତ କରିପାରିଛନ୍ତି ବିଧାୟକ ମୋକିମ୍‌
ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌(୫୬ବର୍ଷ)ଙ୍କର ହୃଦ୍‌ରୋଗ ସମସ୍ୟା ରହିଛି। ଏପରିକି ଗତ କୋଭିଡ୍‌ରେ ସେ ଦୁଇଥର ସଂକ୍ରମିତ ହୋଇଥିଲେ। ଏହା ସତ୍ତ୍ବେ ସେ ନିଜ ବ୍ୟବସାୟ ଓ ଜ‌ନସେବା ପାଇଁ ଏବେ ଦିନକୁ ୧୨ରୁ ୧୪ଘଣ୍ଟା କାମ କରିପାରୁଛନ୍ତି। ଏହାର ରହସ୍ୟ ବିଷୟରେ ମୋକିମ୍ କହିଛନ୍ତି, ଯୋଗ ହିଁ ତାଙ୍କୁ ସୁସ୍ଥ, ସବଳ ଓ କର୍ମଚଞ୍ଚଳ କରିପାରିଛି। ୭/୮ବ‌ର୍ଷ ହେଲା ସେ ଦୈନିକ ଯୋଗଭ୍ୟାସ କରୁଛନ୍ତି। ଯୋଗକୁ ଘରେ, ବାହାରେ ସବୁଠି ଅଭ୍ୟାସ କରି ହେବ। ଏଥିପାଇଁ ବୟସ ବାଧକ ନୁହେଁ। ଯୁବକଙ୍କଠୁ ବୃଦ୍ଧ ସମସ୍ତେ ଏହାକୁ ଅଭ୍ୟାସ କରିପାରିବେ। ଯୋଗଦ୍ବାରା ଶରୀର ଫୂର୍ତ୍ତି ରହିବା ସହିତ ଶରୀର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୁଏ। ଯାହା ପାଇଁ ସେ କୋଭିଡ୍‌କୁ ପରାସ୍ତ କରିଛନ୍ତି ଓ ଏବେ ସଂପର୍ଣ୍ଣ ସୁସ୍ଥ, ସବଳ ଅଛନ୍ତି ତଥା ଦୈନିକ ଦୀର୍ଘ ସମୟ କାର୍ଯ୍ୟ କରିପାରୁଛନ୍ତି।

ବିଶ୍ବ ବିଜେତା ଛାତ୍ରୀ ସରସ୍ବତୀ ସାମଲ
ଯୋଗ ଅଭ୍ୟାସ କରି ବିଶ୍ବବିଜେତା ସାଜିଛନ୍ତ ୧୩ବର୍ଷର ଛାତ୍ରୀ ସରସ୍ବତୀ ସାମଲ। ତୁଳସୀପୁର ବାପୁଜୀ ଶିକ୍ଷାନିକେତନ ଅଷ୍ଟମ ଶ୍ରେଣୀ ଛାତ୍ରୀ ସରସ୍ବତୀ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର ପୁରସ୍କୃତ ହୋଇଛନ୍ତି। ଏବେ ସେ ବାରବାଟୀ‌ ଯୋଗ ଆସୋସିଏସନ୍‌ର ଗୁରୁ ଦେବାଶିଷ ହଲଦାରଙ୍କ ଠାରୁ ଯୋଗ ଶିକ୍ଷା କରୁଛନ୍ତି ଓ ନିୟମିତ ଯୋଗ ଅଭ୍ୟାସ କରୁଛନ୍ତି ସେ। ଯୋଗ ଅଭ୍ୟାସକୁ ନିଜେ ଉପଭୋଗ କରୁଥିବା ତଥା ଏଥିରୁ ଖୁସି ପାଉଛନ୍ତି। ଯୋଗରେ ନିଜ କ୍ୟାରିୟର ଗଢ଼ିବା ପାଇଁ ସଂକଳ୍ପ ‌ନେଇଥିବା କହିଛନ୍ତି ସରସ୍ବତୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe