କେବେ ସୁଧୁରିବ ସିଡିଏ ସେକ୍ଟର୍‌ ୧୩ ବାସିନ୍ଦାଙ୍କ ସମସ୍ୟା?

ରାସ୍ତା, ପାଣି, ଲାଇଟ୍‌ ବ୍ୟବସ୍ଥା ବି ନାହିଁ, ୪ ଗୁଣ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ବଢ଼ାଇଲାଣି ସିଡିଏ

କେବେ ସୁଧୁରିବ ସିଡିଏ ସେକ୍ଟର୍‌ ୧୩ ବାସିନ୍ଦାଙ୍କ ସମସ୍ୟା?

କଟକ-ସିଡିଏ: ଟଙ୍କା ଜମା କରିବାର ପ୍ରାୟ ୧୮ ବର୍ଷ ପରେ ସେକ୍ଟର ୧୩ରେ ଜମି ଖଣ୍ଡେ ପାଇଥିଲେ ଲୋକ। ସେମାନେ ୧୯୯୫\୯୬ରେ ଟଙ୍କା ଜମା କରିଥିଲା ବେଳେ ୫ ବର୍ଷ ପରେ ଅର୍ଥାତ ୨୦୦୧ରେ କିଛି ଲୋକଙ୍କୁ ଜମି ମିଳିଗଲା ସିନା କିନ୍ତୁ ସେହି ସମୟରେ ମାମଲା ଅଦାଲତକୁ ଯିବାରୁ ପ୍ରକୃତ ଜମି ପାଇବାକୁ ୧୮ ବର୍ଷ ଲାଗି ଗଲା। ଏଠାରେ ମୋଟ ୧୭୦୦ ପରିବାର ରହିବା ପାଇଁ ଜମି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ଟି ପରିବାର ଘର ତିଆରି କରି ରହିଲେଣି। ଅନ୍ୟ ପ୍ଲଟ ଗୁଡିକରେ ଘର ନିର୍ମାଣ ଚାଲିଛି। ହେଲେ ସିଡିଏର ନିୟମ ଆଉ ଚୁକ୍ତି ଅନୁଯାୟୀ ଏଠାରେ ଯେଉଁ ସବୁ ମୌଳିକ ସୁବିଧା ରହିବା କଥା ସେସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଶାସନ ଏଯାଏ ସଫଳ‌ ହୋଇପାରିନାହିଁ। ଫଳରେ ବର୍ଷବର୍ଷ ଧରି ଲୋକଙ୍କର ଲାଗି ରହିଥିବା ମାନସିକ ଆଉ ଆର୍ଥିକ ସମସ୍ୟା ଦୂର ହୋଇପାରୁ ନାହିଁ। ବିଦ୍ୟୁତ ଲାଇନ, ସ୍ବେରେଜ, ଡ୍ରେନ ଓ ରାସ୍ତା ନିର୍ମାଣ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଇଲେକ୍ଟ୍ରି ଲାଇନ ପାଇଁ ୨୦ ୧୭, ଅଗଷ୍ଟ ୩୦ରେ ୬ କୋଟି ୮ ଲକ୍ଷ ଟଙ୍କା ଜମା ହୋଇଥିଲା। ଏଥିରେ ଛୋଟ ବଡ ମୋଟ ୨୧ଟି ଟ୍ରାନ୍ସଫର୍ମର ବସିବା ସହ ସବୁ ଲୋକଙ୍କ ଘର ରାସ୍ତାରେ ଖୁଣ୍ଟ ସହ ତାର ଟଣା ଯିବା କଥା। କିନ୍ତୁ ୨୧ଟି ଟ୍ରାନ୍ସଫର୍ମରରୁ ଏଯାଏ ମାତ୍ର ୭ଟି ଟ୍ରାନ୍ସଫର୍ମର ବସିଥିବା ବେଳେ ସେଥିରୁ ମାତ୍ର ୩ଟି କାମ କରୁଛି। କିଛି ଜାଗାରେ ତାର ଗୁଡିକ ରାସ୍ତା ଉପରେ ଝୁଲୁଛି ତ ଆଉ କିଛି ଜାଗାରେ ରାସ୍ତାକୁ ଛୁଉଁଛି। ଅନେକ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସାଧାରଣ ଲୋକଙ୍କ ସହ ବୁଲା ପଶୁ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସବୁ ଲୋକଙ୍କ ଘର ରାସ୍ତାରେ ଖୁଣ୍ଟ ଓ ତାର ଟଣା ନ ହୋଇ ପାରିବା ଯୋଗୁଁ ଲୋକେ ୧କିମି ଦୂରରୁ ସର୍ଭିସ ଟାଣି ଲାଇନ ଆଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ପ୍ରାୟ ୧୬ ବର୍ଷ ତଳେ ତିଆରି ହୋଇଥିବା ସ୍ବେରେଜ ଲାଇନ ଓ ଚାମ୍ବର ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଂଗି ରୁଜି ଗଲାଣି। ଅନେକ ତ ସଂପୂର୍ଣ୍ଣ ପୋତି ହୋଇ ଗଲାଣି। ଫଳରେ ମଇଳା ପାଣି ଠିକରେ ନିଷ୍କାସନ ହୋଇପାରୁନି। ଅନେକ ସ୍ବେରେଜ ଚାମ୍ବର ଉପରେ କଭର ନଥିବା ହେତୁ ଛୋଟ ବଡ ଦୁର୍ଘଟଣା ଘଟୁଛି। ସ୍ବେରେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟୁଇଟ କରାଯାଇଥିଲା।

ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିଏମସି କମିସନରଙ୍କ ନିକଟକୁ ଚିଠି ଆସିବା ପରେ ସିଏମସି କମିସନର ସ୍ବେରେଜ କାମ ଦୁଇ ମାସ ମଧ୍ୟରେ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୬ମାସ ବିତିଯାଇଥିଲେ ବି କାମ ହେଇ ପାରି ନାହିଁ। ସେପଟେ ସବୁ ଲୋକଙ୍କ ଘର ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନାହିଁ। ଡ୍ରେନେଜ ଚାମ୍ବର ଉପରେ କଭର ନଥିବା ହେତୁ ବର୍ଷା ପାଣି ସବୁ ରାସ୍ତାରେ ଜମା ହୋଇ ରହୁଛି। ୨୦୧୯ ଫନି ବାତ୍ୟା ପୂର୍ବରୁ ଏଠାରେ ୧୦୦ଟି ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିବା ବେଳେ ସେଗୁଡିକ ବାତ୍ୟାରେ ନଷ୍ଟ ହୋଇ ଏବେ ମାତ୍ର ୫ଟି ଷ୍ଟ୍ରିଟ୍ ଲାଇଟ ଜଳୁଛି। ସାରା ଅଞ୍ଚଳ ରାତିରେ ଅନ୍ଧାର ରହୁଥିବାରୁ ଅସାମାଜିକଙ୍କ ଉତ୍ପାତ ବଢୁଛି। ଏଠାରେ ଏକ ପୁଲିସ ଆଉଟ ପୋଷ୍ଟ ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ତାହା ବି ଆଜିଯାଏ ସମ୍ଭବ ହୋଇ ପାରିନାହିଁ।
ଅନ୍ୟ ପଟେ ଖରସୁଆଁ ନାଳକୁ ଅବରୋଧ କରି ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ପାଚେରି ନିର୍ମାଣ କରିବା ପରେ ଏହି ଅଞ୍ଚଳର ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନାହିଁ। ତେଣୁ ବର୍ଷାରେ ସାରା ଅଞ୍ଚଳ ଉବୁଟୁବୁ ହେଉଛି। ଏଭଳି ସ୍ଥିତିରେ କିନ୍ତୁ ପ୍ରଥମରୁ ଲୋକେ ୫୦ ପଇସା ହିସାବରେ ଜମିର ବର୍ଗଫୁଟ୍ ଅନୁସାରେ ସିଡିଏକୁ ଗ୍ରାଉଣ୍ଡ ରେଣ୍ଟ୍ ଦେଉଥିଲେ। କିନ୍ତୁ ଗତ ତିନି ମାସ ହେଲା ବିନା ନୋଟିସରେ ଲୋକଙ୍କ ଠାରୁ ବର୍ଗଫୁଟକୁ ୧ଟଙ୍କା ୯୬ ପଇସା ହିସାବରେ ଗ୍ରାଉଣ୍ଡ ରେଣ୍ଟ୍ ଆଦାୟ କରାଯାଉଛି। ଏ ସଂପର୍କରେ ସେକ୍ଟର ୧୩ ଆବାସିକ ସଂଘର ସଭାପତି ବିଜ୍ଞାନ ଶର୍ମା ଓ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ମୌଳିକ ଦାବି ପୂରଣ ପାଇଁ ଅତୀତରେ ବହୁବାର ସଂଘର୍ଷ କରିଛୁ। ଆଗାମୀ ଦିନରେ ଯଦି ଅଞ୍ଚଳର ସମସ୍ୟାର ସମାଧାନ ନ ହୁଏ ତେବେ ପୁଣି ରାଜରାସ୍ତାକୁ ଯିବାକୁ ପଛାଇବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe