ଜଗତପୁର ପୋଡ଼ାବର ଗାଁ, ଭୋଟ ବେଳେ ମହାନଗର, ଅନ୍ୟ ଦିନେ ଗାଁ

Advertisment
ଜଗତପୁର ପୋଡ଼ାବର ଗାଁ, ଭୋଟ ବେଳେ ମହାନଗର, ଅନ୍ୟ ଦିନେ ଗାଁ

Sambad

କଟକ: କଟକ ପୌର ନିଗମ (ଜଗତପୁର) ୱାର୍ଡ ନମ୍ବର ୪୯ରେ ରହିଛି ପୋଡ଼ାବର ଗାଁ। ଏହି ଗାଁ ରହିଛି ମହାନଗରରେ, ହେ‌ଲେ ଭିତ୍ତିଭୂମି ମଫସଲଠୁ ବି ହୀନ। ଅଞ୍ଚଳର ବିକାଶ ପ୍ରତି ସିଏମସି ଆଦୌ ଗୁରୁତ୍ବ ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୋଟ ବେଳେ ଗାଁଟି ମହାନଗର ନିଗମ ଥିବା ବେଳେ ଭୋଟ ସରିଲେ ପୁଣି ଗାଁ ହୋଇଯାଏ ବୋଲି ଗ୍ରାମର ବାସିନ୍ଦା ଗୌତମ ବେହେରା କହିଛନ୍ତି। ସିଏମ୍‌ସିର ଏହି ଗାଁରେ ଲୋକଙ୍କୁ ଏଯାଏ ମୌଳିକ ସୁବିଧା ଟିକେ ମିଳି ନାହିଁ। ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତ‌ା (ନାଳବନ୍ଧ) ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ରାସ୍ତାରେ ଚାଲିକି ଯିବା ବି କଷ୍ଟକର ହୋଇ ପଡିଛି। ବିପର୍ଯ୍ୟସ୍ତ କେନାଲ ବନ୍ଧ ରାସ୍ତା ଯୋଗୁଁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବିଜୁଳି ଖୁଣ୍ଟ ଅଛି ହେଲେ ଅଧିକାଂଶ ଖୁଣ୍ଟରେ ବୁଜୁଳି ବତି ନାହିଁ। ଡ୍ରେନ୍ ଅଛି ମାତ୍ର ଏହାର ସଂଯୋଗ ନାହିଁ। ସ୍ବେରେଜ, ଡ୍ରେନେଜ ବ୍ୟବସ୍ଥା ନ‌ାହିଁ। ଶହେରୁ ଅଧିକ ପରିବାର ତଥା ୫୨୫ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଏକ ପ୍ରକାର ସହରଠୁ ଅଲଗା ହୋଇଯାଇଛି।

ଏହି ଗାଁକୁ ଲାଗି ଶହ ଶହ ଲୋକ ଘର କରି ରହୁଛନ୍ତି। ସେମ‌ାନେ ମଧ୍ୟ ଏହି ରାସ୍ତ‌ାକୁ ବ୍ୟବହାର କରନ୍ତି। ବିରୂପା ନଦୀକୂଳ ତଥା କେନ‌ାଲ କୂଳକୁ ଲାଗି ରହିଥିବା ଗାଁର ବିକାଶ ପାଇଁ ରାଜନେତାଙ୍କ ଆନ୍ତରିକତ‌ା ରହୁ ନଥିବ‌‌ା ଅଭିଯୋଗ ହୋଇଛି। ରାସ୍ତା ଟେଣ୍ଡର କରାଯାଇଛି, କାମ ହେବ ବୋଲି ଦୁଇ ବର୍ଷ ହେବ କେବଳ ପ୍ରତିଶ୍ରୁତି ମିଳୁଛି। ସହରାଞ୍ଚଳ ପାଇଁ ଯେଉଁସବୁ ଯୋଜନା ରହିଛି, , ଏଠାରେ ତାହା ପହଞ୍ଚୁ ନାହିଁ। ଏହି ଶିଳ୍ପାଞ୍ଚଳର ବିକାଶ ପ୍ରତି ନିଗମ ଆଖି ବୁଜି ଦେଉଛି ବୋଲି ଅଞ୍ଚଳର ମୁରବୀମାନେ ଅଭିଯୋଗ କରିଛନ୍ତି। ବିରୂପା ନଦୀକୂଳ ନୂଆସାହିରେ ମଧ୍ୟ ସମାନ ଅବସ୍ଥା ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe