ଉତ୍କଳ ଗୌରବଙ୍କ ସମାଧିପୀଠର ଉଦ୍‌ବେଗଜନକ ଦୃଶ୍ୟ, କେବେ ଛେଳି ବୁଲୁଛନ୍ତି ତ କେବେ ପଶୁ କରୁଛନ୍ତି ମଳତ୍ୟାଗ

Advertisment
ଉତ୍କଳ ଗୌରବଙ୍କ ସମାଧିପୀଠର ଉଦ୍‌ବେଗଜନକ ଦୃଶ୍ୟ, କେବେ ଛେଳି ବୁଲୁଛନ୍ତି ତ କେବେ ପଶୁ କରୁଛନ୍ତି ମଳତ୍ୟାଗ

Sambad

କଟକ: କେତେବେଳେ କୁଳବୃଦ୍ଧ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ଉପରେ ଛେଳି ବୁଲୁଛନ୍ତି ତ କେତେବେଳେ ପଶୁ ମଳ ତ୍ୟାଗ କରୁଛନ୍ତି। ଏଭଳି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନଙ୍କ ସମାଧିପୀଠ ଏବଂ ମଧୁସୂଦନଙ୍କ ସ୍ମୃତି ସହ ଜଡ଼ିତ ବିଭିନ୍ନ ପୀଠର ଦୁଃସ୍ଥିତି କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବଙ୍କ ଭୂମିକା ଥିଲା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ଶୈକ୍ଷିକ, ଔଦ୍ୟୋଗିକ, ସାମାଜିକ ତଥା ନ୍ୟାୟିକ ବ୍ୟବସ୍ଥାର ଉତ୍‌ଥାନ କ୍ଷେତ୍ରରେ ଉତ୍କଳ ଗୌରବଙ୍କ ଭୂମିକା ବି ସର୍ବ ପ୍ରଥମେ ସ୍ମରଣୀୟ। କିନ୍ତୁ ଉତ୍କଳ ଗୌରବଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବର ପରିସରରେ ଥିବା ତାଙ୍କ ସମାଧିପୀଠର ଶୋଚନୀୟ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ଏହାର ବିକାଶ ପାଇଁ ନିକଟରେ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ସତ। କିନ୍ତୁ ଆଗକୁ ବିକାଶ ହେବ ବୋଲି ଏବେ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତିରେ ସମାଧିପୀଠକୁ ଛାଡ଼ି ଦିଆଯିବା କେତେ ସମୀଚୀନ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ୧୯୦୩ରେ ଯେଉଁଠି ସ୍ବତନ୍ତ୍ର ପ୍ରଦେଶ ଗଠନର ଦାବି ପ୍ରଥମେ ଗୃହୀତ ହୋଇଥିଲା, ସେହି ସମାବେଶ ସ୍ଥଳ ଉଦ୍‌ଗା ପଡ଼ିଆର ଦୁରାବସ୍ଥା ବି ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ଉତ୍କଳ ସମ୍ମିଳନୀ ସମାବେଶର ଶହେ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ଶତବାର୍ଷିକୀ ସ୍ମୃତିସ୍ତମ୍ଭ ଚାରି ପଟ ଅଞ୍ଚଳର ସଂପୂର୍ଣ୍ଣ ଜବରଦଖଲ ହୋଇ ସାରିଥିବା ବେଳେ ସ୍ମୃତିସ୍ତମ୍ଭ ଉପରେ ଲୁଗା ଶୁଖିବାର ଦୃଶ୍ୟ ବି ଅନେକଙ୍କୁ ଆନ୍ଦୋଳିତ କରିଛି। ଅନେକ ସଂଗଠନ ଏଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇ ଥିଲେ ବି ପ୍ରଶାସନ ଏଥିପ୍ରତି ସମ୍ବେଦନଶୀଳ ନ ହେବା ଘଟଣା ଅସନ୍ତୋଷର କାରଣ ହୋଇଛି। ବାସ୍ତବରେ ଏ ସ୍ଥିତି କେବେ ସୁଧୁରିବ, ପୀଠର ବିକାଶ ପରର କଥା, ଓଡ଼ିଆ ଜାତିର ଚିର ନମସ୍ୟଙ୍କ ସ୍ମୃତିକୁ ସମ୍ମାନଜନକ ସ୍ଥିତିରେ ସାଇତି ରଖିବାକୁ ପ୍ରଶାସନ କେବେ ସଚେତନ ଆଉ ସତର୍କ ହେବ, ତାହା ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe