୨ ବର୍ଷ ଧରି ରାସ୍ତାରେ ନର୍ଦ୍ଦମା ପାଣି: ଘରୁ ବାହାରି ପାରୁ ନାହାନ୍ତି ୧୨୦ ପରିବାର

୨ ବର୍ଷ ଧରି ରାସ୍ତାରେ ନର୍ଦ୍ଦମା ପାଣି: ଘରୁ ବାହାରି ପାରୁ ନାହାନ୍ତି ୧୨୦ ପରିବାର

Sambad

କଟକ: ମହାନଗର ନିଗମ ୫୧ ନମ୍ବର ୱାର୍ଡ ନୂଆପଡାସ୍ଥିତ ବଂଶଲ୍‌ ଷ୍ଟିଲ୍‌ ଲେନ୍‌ ବାସିନ୍ଦା ଦୁଇବ‌ର୍ଷ ଧରି ଜଳବନ୍ଦିରେ ଅଛନ୍ତି। ଲେନ୍‌ର ରାସ୍ତା ଉପରେ ଦୁଇବର୍ଷରୁ ଅଧିକ ସମୟ ଧରି ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟଜଳ ଜମି ରହୁଛି। ଲେନ୍‌ର ରାସ୍ତା ଓ ଡ୍ରେନ୍‌ ନୂଆପଡ଼ାର ମୁଖ୍ୟରାସ୍ତାରୁ ଦେଢ ଫୁଟ ତଳେ ଥିବା ବେଳେ ଏପରି ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ଲେନ୍‌ର ରାସ୍ତା ଓ ଡ୍ରେନକୁ ଉଚ୍ଚା କରିବା ପାଇଁ ସିଏମ୍‌ସି ନିକଟରେ ବାରମ୍ବାର ଦାବି କରାଯାଇଥିବା ବେଳେ ଏହାର କୌଣସି ସୁଫଳ ଲେନ୍‌ ବାସିନ୍ଦା ପାଇ ପାରୁନାହାନ୍ତି।  ନୂଆପଡା ଦୁର୍ଗାମଣ୍ଡପ ନିକଟରେ ଥିବା ବଂଶଲ୍ ଷ୍ଟିଲ୍‌ ଲେନ୍‌ର ୧୨୦ରୁ ଅଧିକ ପରିବାରର ୬ଶହରୁ ଅଧିକ ଲୋକଙ୍କ ପାଇଁ ଜଳବନ୍ଦି ଏକ ପ୍ରମୁଖ ସମସ୍ୟା ହୋଇଛି। ଦୁଇବର୍ଷ ଧରି ଲେନ୍‌ର ରାସ୍ତାରେ ଲେନ୍‌ ବାସିନ୍ଦାଙ୍କ ଘରୁ ବାହାରୁଥିବା ବର୍ଜ୍ୟପାଣି ସେମାନଙ୍କ ଘର ଆଗରେ ଜମି ରହିଛି। ଖରାଦିନେ ୬ରୁ ୭ ଇଞ୍ଚ ପାଣି ଜମି ରହୁଥିବା ବେଳେ ବର୍ଷାଦିନେ ଦୁଇ ଫୁଟର ପାଣି ଜମିବା ସହ ଲେନ୍‌ ବାସିନ୍ଦାଙ୍କ ଘରେ ପଶୁଛି।

ପରିସ୍ଥିତି ଏପରି ହୋଇଛି ଯେ ଲେନ୍‌ ବାସିନ୍ଦାଙ୍କ ଘରକୁ ବନ୍ଧୁବାନ୍ଧବ ଆସୁ ନାହାନ୍ତି କି ସେମାନେ ଘରୁ ବାହାରି ପାରୁ ନାହାନ୍ତି। ୨ ବର୍ଷ ତଳେ ଲେନ୍‌ ସମ୍ମୁଖରେ ଥିବା ନୂଆପଡ଼ା ମୁଖ୍ୟରାସ୍ତାକୁ ଉଚ୍ଚା କରାଯାଇଥିଲା। ମୁଖ୍ୟ ରାସ୍ତା ଓ ଡ୍ରେନ୍‌ ଉଚ୍ଚା ହୋଇଯିବାରୁ ‌ଲେନ୍‌ରୁ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଦୀର୍ଘମାସ ଧରି ରାସ୍ତାରେ ପାଣି ଜମି ରହିବାରୁ ଏହା ଆଖପାଖ ଅଞ୍ଚଳକୁ ଦୁର୍ଗନ୍ଧମୟ କରିବା ସହ ମଶା ଓ ମାଛି ବଂଶ ବୃଦ୍ଧି ପାଇଛି। ଲେନ୍‌ର ପାଣି ନିଷ୍କାସନ ପାଇଁ ଏହାର ଡ୍ରେନ୍‌ ଓ ରାସ୍ତାକୁ ଉଚ୍ଚା କରିବାକୁ ଲେନ୍‌ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଛି। ମାତ୍ର ରାସ୍ତା ଓ ଡ୍ରେନ ଉଚ୍ଚା କରିବା ଦିଗରେ ସିଏମ୍‌ସି ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନାହିଁ। ୪୫ ବର୍ଷ ତଳେ ଏହି ଲେନ୍‌ଟି ନିର୍ମାଣ ହୋଇଥିଲା। ଏବେ ଏଠାରେ ୧୨୦ରୁ ଅଧିକ ପରିବାର ରହୁଥିବା ବେଳେ ସେମାନଙ୍କ ଘର ଆଗରେ ବର୍ଷର ସବୁ ସମୟରେ ପାଣି ଜମି ରହୁଛି। ଏହାର ପ୍ରତିକାର ପାଇଁ ସିଏମ୍‌ସିକୁ କୁହାଯାଇଥିବା ବେଳେ କିଛି ସୁଫଳ ମଳିନାହିଁ ବୋଲି ଲେନ୍‌ ବାସିନ୍ଦା କରୁଣାକର ଦାସ, ପ୍ରଭାତ ଚନ୍ଦ୍ର ରଥ, ଗୌରାଙ୍ଗ ଚରଣ ରାୟ, ବାଲୁଙ୍କେଶ୍ବର ମହାନ୍ତି ପ୍ରମୁଖ କହିବା ସହ ଏହାର ପ୍ରତିକାର ପାଇଁ ସିଏମ୍‌ସି ମେୟର୍‌, କମିସନର୍‌ଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe