ରାସ୍ତା ମରାମତି କରିବାକୁ ଭୁଲିଗଲା ଜାଇକା, ଖାଲରେ ପଡ଼ି ୨ ଭଉଣୀ ଆହତ

Advertisment
ରାସ୍ତା ମରାମତି କରିବାକୁ ଭୁଲିଗଲା ଜାଇକା, ଖାଲରେ ପଡ଼ି ୨ ଭଉଣୀ ଆହତ

Sambad

କଟକ: ସହରର ରାଜାବଗିଚାସ୍ଥିତ ନେତାଜୀ ସିଟି କଲେଜ ସମ୍ମୁଖସ୍ଥ ରାସ୍ତା ଖାଲରେ ପଡି ବାମ୍ଫିସାହିର ଦୁଇ ଭଉଣୀ ଆହତ ହୋଇଛନ୍ତି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ଦୁହେଁ ଏସ୍‌ସିବରେ ଭର୍ତ୍ତି ହୋଇଛନ୍ତି। ଜାଇକା କାମ ପାଇଁ ଉକ୍ତ ରାସ୍ତାକୁ ଖୋଳା ଯାଇଥିବା ବେଳେ ଦୀର୍ଘ ଦିନ ଧରି ମରାମତି କରାଯାଇ ନ ଥିବାରୁ ଏଭଳି ଅଘଟଣ ଘଟିଛି। ଏହାକୁ ନେଇ ସାଧାରଣରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ଜାଇକା ଖୋଳିଥିବା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଗତ ୧୭ ତାରିଖ ଶନିବାର ଦିନ ନିଗମ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଦଶହରାକୁ ଆଉ ୧୫ ଦିନରୁ କମ ସମୟ ଥିବା ବେଳେ କେଉଁଠି ରାସ୍ତା ମରାମତି ହେଉଥିବା ଦେଖିବାକୁ ମଳୁନାହିଁ। ଜାଇକା ରାସ୍ତା ମରାମତି କରୁନଥିବା ବେଳେ ଏହା ଏବେ ସହରବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି।

ନେତାଜୀ ସିଟି କଲେଜ ସମ୍ମୁଖସ୍ଥ ରିଂ ବନ୍ଧ ରାସ୍ତାର ଖାଲରେ ପଡି ଦୁଇ ଭଉଣୀ ଆହତ ହେବାକୁ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରାହ୍ନରେ ଦୁଇ ଭଉଣୀ କୌଣସି ଏକ କାମରେ ସ୍କୁଟି ନେଇ ଉକ୍ତ ରାସ୍ତାରେ ଯାଉଥିବା ବେଳେ ଖାଲରେ ପଡି ଭାବେ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ଲୋ‌କେ ଉଦ୍ଧାର କରି ଏସ୍‌ସିବକୁ ପଠାଇଥିଲେ। ଉକ୍ତ ରାସ୍ତାରେ ୬ ମାସରୁ ଅଧିକ ଦିନ ପୂର୍ବେ ଜାଇକା ରାସ୍ତା ଖୋଲି କାମ କରିବା ପରେ ଏହାର ମରାମତି କରିବା ଦିଗ ପ୍ରତି ଆଖି ବୁଜି ଦେଇଛି। ଦଶହରା ପୂର୍ବରୁ ରାସ୍ତା ମରାମତି କାମ ଶେଷ ହେବ ବୋଲି ଜାଇକା କର୍ତ୍ତୃପକ୍ଷ କହୁଥିବା ବେ‌ଳେ ତାହା ପାଣିର ଗାର ସାବ୍ୟସ୍ତ ହୋଇଛି। ଏଭଳି ଅଘଟଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସମାଜସେବୀ ଡକ୍ଟର ଅଭୟ ରଂଜନ ପଟ୍ଟନାୟକ ଜିଲ୍ଲାପାଳ, ସିଏମ୍‌ସି ଓ ୫-ଟି ସଚିବଙ୍କୁ ଟ୍ବିଟ୍‌ କରି ଏଥିପାଇଁ ଜିଲ୍ଲା ପ୍ରଶାସନ ବା ସିଏମ୍‌ସି କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe