କଟକ ସହରର ସ୍ବାବଲମ୍ବୀ ମହିଳା, ଘରେ ତନ୍ତ ବସାଇ ବୁଣୁଛନ୍ତି ମାଣିଆବନ୍ଧ ଶାଢ଼ି-କପଡ଼ା-ଲୁଙ୍ଗି-ଗାମୁଛା

କଟକ ସହରର ସ୍ବାବଲମ୍ବୀ ମହିଳା, ଘରେ ତନ୍ତ ବସାଇ ବୁଣୁଛନ୍ତି ମାଣିଆବନ୍ଧ ଶାଢ଼ି-କପଡ଼ା-ଲୁଙ୍ଗି-ଗାମୁଛା

Sambad

କଟକ: ଏବେ ସହରୀ ମହିଳାଙ୍କ ମନ କିଣୁଛି ଝୁନା ଦାସଙ୍କ ପ୍ରସ୍ତୁତ ମାଣିଆବନ୍ଧ ଶାଢୀ। ପୂର୍ବରୁ ଏହି ଶାଢ଼ୀର ବେଶ ଚାହିଦା ରହି ଆସିଥିବାବେଳେ ଏବେ ଏହାକୁ ରୋଜଗାରର ମାଧ୍ୟମ କରିପାରିଛନ୍ତି କଟକର ଝୁନା ଦାସ। ପରିବାର ଆର୍ଥିକ ପରିସ୍ଥିତି ଠିକ ନଥିବାବେଳେ ପରିବାର ପୋଷିବା ପାଇଁ ଅଣ୍ଟା ଭିଡିଛନ୍ତି ଝୁନା। ଏବଂ ଏଭଳି କାର୍ଯ୍ୟ କରି ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କଟକ ବକ୍ସିବଜାର ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ରହୁଥିବା ରବି ନାରାୟଣ ଦାସଙ୍କ ପତ୍ନୀ ଝୁନା ଦାସଙ୍କ ବୟସ ମାତ୍ର ୨୯ ବର୍ଷ। ସ୍ୱାମୀ, ଶାଶୂ, ଶ୍ବଶୁର ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅଧୀନ ମାଣିଆବନ୍ଧ ହରିହରପାଟଣା ଗ୍ରାମରେ ତାଙ୍କ ଜନ୍ମ। ଏକ ବୁଣାକାର ପରିବାରରେ ଜନ୍ମ ହୋଇଥିବାବେଳେ ପିଲାବେଳୁ ଶିଖିଥିଲେ ଶାଢ଼ୀ, ଡ୍ରେସ, ଲୁଙ୍ଗି, ଗାମୁଛା ବୁଣା କାମ। ସ୍ୱାମୀ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଓ ଶ୍ବଶୁରଙ୍କ ଚା’ ଦୋକାନରୁ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ପୋଷିବା ବହୁ କଷ୍ଟ ହୋଇଥାଏ। ଏଭଳି ସ୍ଥିତିରେ ସେ ପିଲାବେଳୁ ଶିଖିଥିବା ବୁଣା କାମକୁ ଏବେ ବ୍ୟବସାୟର ରୂପ ଦେଇଛନ୍ତି। ନିଜ ଘରେ ଆରମ୍ଭ କରିଛନ୍ତି ଶାଢ଼ୀ ବୁଣା କାମ। ନିଜ ସମ୍ପର୍କୀୟ ଭାଇଙ୍କ ସାହାଯ୍ୟରେ ଘର ବାରଣ୍ଡାରେ ଏକ ତନ୍ତ ବସାଇଛନ୍ତି।

publive-image Sambad

ଘରର ସମସ୍ତ କାମ କରିବା ସହ ଦିନକୁ ୪ ରୁ ୫ ଘଣ୍ଟା ସମୟ ଦେଇଥାନ୍ତି ଏହି ବୁଣା କାମ ପାଇଁ। ରଙ୍ଗବେରଙ୍ଗ ଶାଢ଼ୀ ବୁଣିବାରେ ସେ ବେଶ ଦକ୍ଷ। କେବଳ ଶାଢ଼ୀ ନୁହେଁ ଡ୍ରେସ, ଲୁଙ୍ଗି, ଗାମୁଛା ଇତ୍ୟାଦି ବି ସେ ବୁଣୁଛନ୍ତି। ଗୋଟିଏ ଶାଢ଼ୀ କିମ୍ବା ଡ୍ରେସ ବୁଣିବାକୁ ୧୦ ରୁ ୧୨ ଦିନ ସମୟ ଲାଗିଥାଏ ତାଙ୍କୁ। ଏହି ବୁଣା ସାମଗ୍ରୀ ମାଣିଆବନ୍ଧ ସମେତ ସହରର ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥାଏ। ଝୁନାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ଏବେ ଚାହିଦା ବଢିବା ସହିତ ଗ୍ରାହକ ସଂଖ୍ୟା ବି ବଢି ଚାଲିଛି। କିନ୍ତୁ ଏଥିରେ ବି ଯାହା ରୋଜଗାର ହୋଇଥାଏ ତାହା ସମୁଦ୍ରକୁ ଶଙ୍ଖେ ବୋଲି ଝୁନା କୁହନ୍ତି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳିଲେ ସେ ଏହି କାମକୁ ବହୁ ଆଗକୁ ନେଇ ପାରନ୍ତେ ବୋଲି କହିଛନ୍ତି ଝୁନା। ମାଣିଆବନ୍ଧ ଶାଢ଼ୀର ବହୁ ଚାହିଦା ରହି ଆସିଛି। ଏଥିପ୍ରତି ସରକାର ଦୃଷ୍ଟି ଦେଇ ବୁଣାକାର ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲେ ଏହାର ଚାହିଦା, ପ୍ରଚାର ପ୍ରସାର ହୋଇପାରନ୍ତା। ଏହି କାମକୁ ଆହୁରି ଭଲ ଭାବେ କରିବା ସହ ଅସହାୟ ମହିଳା ମାନଙ୍କୁ ଏହି କାମରେ ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ‌ବୋଲି ଝୁନା କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe