thebigger.com
କଟକ: ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛି, ସରକାର ନିବୃତ ରହିବେ ବୋଲି ଆଶା ଅଛି- ଦୀର୍ଘବର୍ଷ ଧରି ଲଣ୍ତନରେ ରହି ଆସୁଥିଲେ ମଧ୍ୟ ପ୍ରତି ୩ ବର୍ଷରେ ଅନୁଷ୍ଠିତ ହେଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟର ବାର୍ଷିକ ବୈଠକରେ ମୁଁ ଯୋଗ ଦିଏ। ଶୈଳବାଳା ମହିଳା ମହାବିଦ୍ୟାଳୟର ବିକାଶ ହେଉଛି ମୋର ମୂଳ ଲକ୍ଷ୍ୟ। ଅବଶ୍ୟ କରୋନା ମହାମାରୀ ଯୋଗୁଁ ଏହି ସମୟରେ ଓଡ଼ିଶା ଯାଇ ପାରିନି। କଲେଜରେ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦାର୍ଥ ବିଜ୍ଞାନ ଓ ଇତିହାସ ବିଭାଗରେ ଶ୍ରେଷ୍ଠ ଛାତ୍ରୀଙ୍କୁ ବାର୍ଷିକ ପୁରସ୍କାର ଦେବାକୁ ଅର୍ଥ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏଭଳି କାର୍ଯ୍ୟ ସବୁକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ସରକାର ଏବେ ରାସ୍ତା ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟର ଜମିକୁ ଅଧିଗ୍ରହଣ କରିବା ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ମୁଁ ଗଭୀର ଭାବେ ମର୍ମାହତ। ଏହି ପବିତ୍ର ଶିକ୍ଷାନୁଷ୍ଠାନର ଯେଉଁ ଜମି ସମଗ୍ର ବିଶ୍ବରେ ଓଡ଼ିଶାର ଗର୍ବ ଓ ଗୌରବ ସୃଷ୍ଟି କରିଛି ସେହି ଜମିକୁ ଓଡ଼ିଶା ସରକାର ଅଧିଗ୍ରହଣ କରି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଆଦୌ ସ୍ବାଗତ ଯୋଗ୍ୟ ଓ ଗ୍ରହଣୀୟ ନୁହେଁ। ଓଡ଼ିଶାର କୌଣସି ବୁଦ୍ଧିଜୀବୀ ଏଭଳି ନିଷ୍ପତ୍ତିକୁ ହୁଏତ ଗ୍ରହଣ କରୁ ନଥିବେ। ମୁଁ ଆଶା କରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟରେ ଯଥାଶୀଘ୍ର ହସ୍ତକ୍ଷେପ କରି ଶୈଳବାଳା କଲେଜର ଜମି ଅଧିଗ୍ରହଣ ପରିକଳ୍ପନାକୁ ଦୂରେଇ ଦେବେ। ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଅବଗତ କରାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ ଓଡ଼ିଶାର ନାରୀ ଶିକ୍ଷାରେ ଯେଉଁ ସୁଯୋଗ ଓ ଇତିହାସ ସୃଷ୍ଟି କରିଥିଲା ତାହା କେବଳ ଓଡ଼ିଶାରେ ନୁହେଁ, ବ୍ରିଟିଶ ଇତିହାସରେ ବି ସ୍ଥାନ ପାଇଛି।
ଅନିତା ଅମିର୍ତ୍ତ
ଶୈଳାବାଳାଙ୍କ ନାତୁଣୀ (ଲଣ୍ଡନରେ ଅବସ୍ଥାପିତ)
ଶୈଳବାଳା କଲେଜର ସୁରକ୍ଷା ପାଇଁ ୭୦ ବର୍ଷ ବୟସରେ ବି ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ
ଓଡ଼ିଶାର ନାରୀ ଶିକ୍ଷାର ମହାନ ପ୍ରତୀକ ହେଉଛି ଶୈଳବାଳା ମହିଳା ମହାବିଦ୍ୟାଳୟ। ଐତିହାସିକ କଟକ ସହରର ସଭ୍ୟତାରେ ଶୈଳବାଳା ମହାବିଦ୍ୟାଳୟ ହେଉଛି ନାରୀ ଶିକ୍ଷାର ଅମୂଲ୍ୟ ମୁକସାକ୍ଷୀ। ଶୈଳବାଳା କଲେଜ ପ୍ରତିଷ୍ଠା ହୋଇ ନଥିଲେ ଅନେକ ଛାତ୍ରୀ ସ୍କୁଲ ଶିକ୍ଷା ପରେ ହୁଏତ ସେ ସମୟରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥାନ୍ତେ। ୧୯୬୦ ମସିହାରେ ଆମ ଘରେ ବି ଶୈଳାବାଳା କଲେଜରେ ସ୍ଥାନ ନମିଳିଲେ ମୋତେ ଅନ୍ୟ କଲେଜରେ ପାଠ ପଢିବାକୁ ବାରଣ କରାଯାଇଥିଲା। ଏଥିରୁ ବୁଝା ପଡ଼େ ଓଡ଼ିଶାରେ ନାରୀ ଶିକ୍ଷା ପାଇଁ ଶୈଳବାଳା ମହିଳା ମହାବିଦ୍ୟାଳୟର କିଭଳି ଅମୂଲ୍ୟ ଅବଦାନ ରହିଛି। ଯେଉଁ ମହିଳା ମହାବିଦ୍ୟାଳୟ ସମଗ୍ର ଓଡ଼ିଶାରେ ଏକ ସ୍ବାଭିମାନର ପ୍ରାଚୀର ପାଲଟିଛି ସେହି ଶିକ୍ଷାନୁଷ୍ଠାନର ଜମିକୁ କେଉଁ ନୈତିକତାର ଆଧାରରେ ଓଡ଼ିଶା ସରକାର ରାସ୍ତା କରିବାକୁ ଦଖଲ କରୁଛନ୍ତି। କାହା ସ୍ବାର୍ଥରେ ଏବଂ କେଉଁଭଳି ଭୋଟ ବ୍ୟାଙ୍କ ପାଇଁ ଓଡ଼ିଶାର ଅମୂଲ ମୂଲ ଐତିହ୍ୟ ସମ୍ପତ୍ତି ଓ ସ୍ବାଭିମାନକୁ ଏଭଳି ଦଖଲ କରାଯାଉଛି। ଏହି କାର୍ଯ୍ୟକୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହିଥିବା ନାରୀ ସମାଜ ଆଦୌ ଗ୍ରହଣ କରିବ ନାହିଁ। ଏଭଳି କାର୍ଯ୍ୟରେ ଶୈଳବାଳା ସମ୍ପତ୍ତିର ସୁରକ୍ଷା ପାଇଁ ଦରକାର ପଡିଲେ ୭୦ବର୍ଷ ବୟସରେ ମୋ ଭଳି ଅନେକ ମହିଳା ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ। ଶୈଳବାଳାର ସୁରକ୍ଷା ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ଐତିହ୍ୟର ସୁରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ଶହଶହ ମହିଳା, ଯୁବତୀ ଓ ଛାତ୍ରୀମାନେ ଆତ୍ମବଳି ଦେବାକୁ ପଛାଇବେ ନାହିଁ। ଏଭଳି କାର୍ଯ୍ୟରୁ ଓଡ଼ିଶା ସରକାର ଯଥାଶୀଘ୍ର ଦୂରେଇ ଯାଇ ଏହାର ବିକଳ୍ପ ଖୋଜିବାକୁ ମୋର ଅନୁରୋଧ।
ଡକ୍ଟର ମିରା ଦାସ, ପୁରାତନ ଛାତ୍ରୀ
ଅବସରପ୍ରାପ୍ତ ପ୍ରାଧ୍ୟାପିକା
ଓଡ଼ିଶା ସରକାର ଶୈଳବାଳା କଲେଜ୍ ସଂପତ୍ତିକୁ ସୁରକ୍ଷା ଦିଅନ୍ତୁ
ଓଡ଼ିଶା ସରକାର ରାଜ୍ୟର ସୁରକ୍ଷା ପାଇଁ ଯତ୍ନବାନ ହେବା ଜରୁରୀ। ଏହି ସୁରକ୍ଷା ହେଉଛି ଓଡ଼ିଶାର ଐତିହ୍ୟ, ପରମ୍ପରା, ସ୍ବାଭିମାନ ଓ ଇତିହାସର। ରାସ୍ତାର ବିକାଶ ପାଇଁ ବଳପୂର୍ବକ ଓଡ଼ିଶାର ସ୍ବାଭିମାନ ଓ ଐତିହ୍ୟ ସମ୍ପନ୍ନ ଜମିକୁ ଜବରଦଖଲ କରିବା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶା ସରକାର ଏଭଳି କାର୍ଯ୍ୟରୁ ନିବୃତ ରହି ଐତିହ୍ୟ ସମ୍ପନ୍ନ ଶୈଳବାଳା ମହିଳା ମହାବିଦ୍ୟାଳୟର ସମ୍ପତ୍ତିର ସୁରକ୍ଷା କରିବା ଦରକାର। ଯେଉଁ ଶୈଳବାଳା ମହିଳା ମହାବିଦ୍ୟାଳୟ ଦୀର୍ଘବର୍ଷରୁ ବିଶ୍ବବିଦ୍ୟାଳୟ ପାଇଁ ଦାବି କରି ଆସୁଛି, ଏବଂ ସେହି ଦାବିକୁ ଯେଉଁ ସରକାର ପୂରଣ କରି ପାରୁନାହାନ୍ତି, ସେ ସରକାର ସେହି ଶିକ୍ଷାନୁଷ୍ଠାନର ଜମିକୁ ଜବର ଦଖଲ କରିବା ସ୍ପୃହଣୀୟ ନୁହେଁ। ଦୟା କରି ଶୈଳବାଳା ମହିଳା ମହାବିଦ୍ୟାଳୟ ପାର୍ଶ୍ବରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଉ। ଓଡ଼ିଶା ସ୍ବାଭିମାନ, ଇତିହାସ, ଐତିହ୍ୟ, ସଂସ୍କୃତି ସର୍ବୋପରି କଟକ ସହରର ବହୁମୂଲ୍ୟ ଶୈଳବାଳା ମହିଳା ମହାବିଦ୍ୟାଳୟର ଅବଦାନକୁ ବୁଝି ପାରୁନଥିବା ଅଧିକାରୀମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ନହେଲେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଶୈଳବାଳା ମହିଳା ମହାବିଦ୍ୟାଳୟର ଶିକ୍ଷାରେ ମଣିଷ ହୋଇଥିବା ସମଗ୍ର ନାରୀ ସମାଜ ଏବଂ କଟକର ଛାତ୍ରୀ ଓ ମହିଳାମାନେ ଓଡ଼ିଶା ସରକାରଙ୍କୁ କ୍ଷମା ଦେବେ ନାହିଁ।
ଶାଦମା ଜାହିନ୍, ପୂର୍ବତନ ଛାତ୍ରୀ
Follow Us