ରେଭେନ୍ସା ଠିକା ଅଧ୍ୟାପକଙ୍କ ଦରମା ପ୍ରସଙ୍ଗ, କୋର୍ଟ ମାମଲାକୁ ଆଳ କରି ହାତ ବାନ୍ଧି ବସିଛନ୍ତି କର୍ତ୍ତୃପକ୍ଷ

ରେଭେନ୍ସା ଠିକା ଅଧ୍ୟାପକଙ୍କ ଦରମା ପ୍ରସଙ୍ଗ, କୋର୍ଟ ମାମଲାକୁ ଆଳ କରି ହାତ ବାନ୍ଧି ବସିଛନ୍ତି କର୍ତ୍ତୃପକ୍ଷ

Sambad

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ସେଲ୍‌ଫ ଫାଇନାନ୍ସିଂ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ୩୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦରମା ଗତ ୬ବର୍ଷ ଧରି ବଢୁ ନଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ନେଇ ନିରବ ରହିବା ସେମାନଙ୍କ ଚିନ୍ତା ବଢାଇ‌ ଦେଇଛି। ଅନ୍ୟପଟେ ୨୦୧୭ରେ କିଛି ଠିକା ଅଧ୍ୟାପକ ପୁନର୍ବାର ସାକ୍ଷାତକାରକୁ ନେଇ କୋର୍ଟରେ ଆଶ୍ରୟ ନେଇଥିଲେ। ମାତ୍ର ଏହାକୁ ଦରମା ବୃଦ୍ଧି ନକରିବା ପାଇଁ କର୍ତ୍ତୃପକ୍ଷ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ସେପଟେ କୋର୍ଟ କେସ୍‌କୁ ନେଇ ଦରମା ବୃଦ୍ଧି କରୁନଥିବା କର୍ତ୍ତୃପକ୍ଷ ୨୦୧୯ରେ ଜଣେ ଠିକା ଅଧ୍ୟାପକଙ୍କ ଦରମା ବୃଦ୍ଧି କରିଥିବା ବେଳେ ଦରମା ବଢାଇବା ପାଇଁ ଗତ ଜୁଲାଇରେ ଏକ କମିଟି ଗଠନ କରି ପ୍ରସ୍ତାବ ଗୃହୀତ କରିଛନ୍ତି। ଏଭଳି ସ୍ଥିତିରେ କର୍ତ୍ତୃପକ୍ଷ ଯାହା କହୁଛନ୍ତି ତାହାର ଓଲଟା କରୁଥିବା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ସେଲ୍‌ଫ ଫାଇନାନ୍ସିଂ ବିଭାଗର ଅସ୍ଥାୟୀ ଅଧ୍ୟାପକଙ୍କ ଦରମା ପ୍ରତି ବର୍ଷ ବଢାଇବାକୁ ନେଇ ୩୦ ଏପ୍ରିଲ ୨୦୧୬ରେ ବସିଥିବା ଏକ୍‌ଜିକ୍ୟୁଟିଭ୍‌ କାଉନସିଲ୍‌(ଇସି)ରେ ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ଇସିର ନିଷ୍ପତ୍ତି ଅନୁସାରେ ଠିକା ଅଧ୍ୟାପକଙ୍କ ଦରମା ବଢିଥିଲା। ମାତ୍ର ବିଶ୍ବବିଦ୍ୟାଳୟ ତରଫରୁ ୨୦୧୭ରେ ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ବିଭାଗରେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଯେଉଁମାନେ ପୂର୍ବରୁ ବିଭାଗରେ ଅଧ୍ୟାପକ ଓ ଅଧ୍ୟାପିକା ଭାବେ କାମ କରୁଥିଲେ ସେମାନଙ୍କୁ ସମାନ ପଦବି ପାଇଁ ଆଉଥରେ ସାକ୍ଷାତକାର ଦେବାକୁ କୁହାଯାଇଥିଲା।

ଏହାକୁ ଚ୍ୟାଲେଞ୍ଜ କରି କିଛି ଅସ୍ଥାୟୀ ଅଧ୍ୟାପକ ୨୦୧୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଚୟନ ପ୍ରକ୍ରିୟା ଚାଲିବ, କିନ୍ତୁ ବିନା ଅନୁମତିରେ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାକ୍ଷାତକାର କରାଗଲା ମାତ୍ର ଫଳାପଳ ପ୍ରକାଶ କରାଗଲା ନାହିଁ। ଅନ୍ୟପଟେ ପୂର୍ବରୁ ବିଭାଗରେ କାମ କରୁଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପୁନର୍ବାର ସାକ୍ଷାତକାର କରାଗଲା ନାହିଁ। ମାତ୍ର କୋର୍ଟ ମାମଲାକୁ ଅାଳକରି କର୍ତ୍ତୃପକ୍ଷ ଠିକା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦରମା ଇସି ନିୟମ ଅନୁସାରେ ବଢାଇବା ଦିଗରେ ୬ବର୍ଷ ଧରି କୌଣସି ପଦକ୍ଷେପ ନେଉ ନାହାନ୍ତି। ମାମଲା ପ୍ରତ୍ୟାହାର କରିବା ପରେ ଦରମା ବଢାଯିବ ବୋଲି କର୍ତ୍ତୃପକ୍ଷ କହି ପରୋକ୍ଷରେ ଚାପ ପ୍ରୟୋଗ କରୁଥିବା କିଛି ଅଧ୍ୟାପକ ଅଭିଯୋଗ କରିଛନ୍ତି। ହେଲେ କୋର୍ଟ କେସ୍‌କୁ ଦେଖାଇ ଦରମା ବୃଦ୍ଧି କରୁ ନଥିବା କର୍ତ୍ତୃପକ୍ଷ ୨୦୧୯ରେ ଜଣେ ଠିକା ଅଧ୍ୟାପକଙ୍କ ଦରମାକୁ ଦୁଇ ଗୁଣ କରିଥିବା ବେଳେ ଗତ ଜୁନ୍‌ ୭ ତାରିଖରେ ଏକ ୪ଜଣିଆ କମିଟି ଗଠନ କରି ଜୁଲାଇରୁ ଦରମା ବୃଦ୍ଧି କରିବାକୁ ପ୍ରସ୍ତାବ ପାସ୍‌ କରିଥିଲେ। ସେପଟେ ଦରମା ବଢିବ କି ନବଢିବାକୁ ନେଇ କୋର୍ଟ କୌଣସି ଶୁଣାଣି କରି ନଥିବା ବେଳେ ଏହାକୁ ଆଳ କରି କର୍ତ୍ତୃପକ୍ଷ ନିଜ ଦାୟିତ୍ବରୁ ଖସିଯିବାକୁ ବସିଛନ୍ତି ବୋଲି କିଛି ଠିକା ଅଧ୍ୟାପକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe