ହ୍ରାସ ପାଉଛି ଭୂତଳ ଜଳସ୍ତର: ଏଣିକିି ମହାନଦୀ ପାଣି ପିଇବେ କଟକବାସୀ

Advertisment

ସିଡିଏରେ ୧୨୯ ମିଲିୟନ୍‌ ଲିଟର ବିଶୋଧନ ପ୍ରକଳ୍ପ କାର୍ଯ୍ୟକ୍ଷମ

ସିଡିଏରେ ୧୨୯ ମିଲିୟନ୍‌ ଲିଟର ବିଶୋଧନ ପ୍ରକଳ୍ପ କାର୍ଯ୍ୟକ୍ଷମ

ହ୍ରାସ ପାଉଛି ଭୂତଳ ଜଳସ୍ତର: ଏଣିକିି ମହାନଦୀ ପାଣି ପିଇବେ କଟକବାସୀ

କଟକ: କଟକ ସହର ଦୁଇ ପଟେ ମହାନଦୀ ଓ କାଠଯୋଡ଼ି। କିନ୍ତୁ କଟକିଆ କାହିଁ କେଉଁ ଯୁଗରୁ ପିଇ ଆସୁଥିଲେ ମାଟିତଳ ପାଣି। ଭୂତଳ ଜଳସ୍ତର ହ୍ରାସ ଏବେ ସାରା ଦେଶର ସମସ୍ୟା ହୋଇଥିବା ବେଳେ କଟକିଆଙ୍କ ପାଇଁ ଏବେ ଏହି ସମସ୍ୟାର ସମାଧାନ ବାଟ ବାହାରିଛି। ମହାନଦୀର ପାଣିକୁ ବିଶୁଦ୍ଧ କରାଯାଇ ଲୋକଙ୍କୁ ପାନୀୟ ଉପଯୋଗୀ ଜଳ ଯୋଗାଇ ଦିଆଯିବା ପାଇଁ ପ୍ରକଳ୍ପ ନିର୍ମ‌ାଣ କାମ ଶେଷ ହୋଇଛି। ଫଳ‌ରେ ଲୌହଯୁକ୍ତ, ନାଲିଆ ଓ ଗୋଳିଆ ପାଣି ପିଉଥିବା କଟକବାସୀଙ୍କୁ ଆଉ ପାନୀୟ ଜଳକୁ ନେଇ ରହିଥିବା କଷ୍ଟ ଭୋଗିବାକୁ ପଡିବ ନ‌ାହିଁ। ଏଭଳି ଏକ ବୃହତ୍ତ ପ୍ରକଳ୍ପ କଟକ ସିଡିଏ ସେକ୍ଟର-୧୩ରେ କାର୍ଯ୍ୟକ୍ଷମ ହୋଇଛି।

ଅତ୍ୟାଧୁନିକ ଯନ୍ତ୍ରପାତି ଖଂଜାଯାଇ ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି। ସିଡିଏରେ ନିର୍ମାଣ ହୋଇଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଗତ ତିନି ଦିନ ହେବ ଏଠାରୁ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ ‌କରାଯାଉଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ପ୍ରଥମେ ସିଡିଏ ଅଞ୍ଚଳକୁ ଏହି ବୃହତ୍‌ ପାନୀୟ ଜଳ ପ୍ରକଳ୍ପରୁ ପାନୀୟ ଜଳ ‌ଯୋଗାଣ କରାଯିବ। ପରବର୍ତ୍ତୀ ସମୟରେ ଏହା ସହରର ଅନ୍ୟସ୍ଥାନମାନଙ୍କୁ ଯୋଗାଣ କରାଯିବ ବୋଲି ଇଂଜିନିୟର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। ଏଥିପାଇଁ କଟକରେ ୪୫ଟି ପାଣି ଟାଙ୍କି ନିର୍ମାଣ କାମ ବିଶେଷ ହୋଇଛି। ଏଥିପାଇଁ ମହାନଦୀର ଚହଟା‌ଠାରେ ଉଚ୍ଚ କ୍ଷମତାସଂପନ୍ନ ମୋଟର ଲଗାଇ ଜଳ ଉତ୍ତୋଳନ କରାଯାଉଛି। ମହାନଦୀରୁ ଉତ୍ତୋଳନ ହେଉଥିବା ପାଣିକୁ ସିଡିଏ ସେକ୍ଟର-୧୩ରେ ଥିବା ମେଗା ଟ୍ରିଟମେଣ୍ଟ୍ ପ୍ଲାଣ୍ଟ (ବିଶୋଧନାଗାର)ରେ ୩ଟି ପର୍ଯ୍ୟାୟରେ ବ‌ି‌ଶୋଧନ କରାଯାଉଛି।

publive-image

ତଥ୍ୟ ମୁତାବକ, କଟକ ସହରରେ ବ୍ରିଟିଶ ଅମଳରୁ ଭୂତଳ ଜଳ ଉତ୍ତୋଳନ କରାଯାଇ ଲୋକଙ୍କୁ ଓଭର ହେଡ ଟାଙ୍କି ମାଧ୍ୟମରେ ଜଳ ଯୋଗାଣ କରାଯାଉଥିଲା। କଟକ ସହରରେ ଥିବା ୨ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପାଇଁ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ କରିବାକୁ ପଡୁଥିଲା। ଫଳରେ କଟକ ସହରାଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ଓ ପାନୀୟ ଜଳର ମାନକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। କଟକର ସିଡିଏ (ମର୍କତନଗର), ଖାନନଗର, ବାଦାମବାଡି ଓ କାଠଯୋଡି ନଦୀକୁ ଲାଗି ରହିଥିବା ଅଞ୍ଚଳରେ ବି ଲୋକେ ଲୌହଯୁକ୍ତ ପାଣି ପିଉଥିଲେ। ପାଣି ଗୋଳିଆ ଓ ନାଲି ରଙ୍ଗର ରହୁଥିଲା। ଏହାକୁ ଦୃଷ୍ଟିରେ ରଖି ୧୦ ବର୍ଷ ତଳେ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ସିଡିଏ ସେକ୍ଟର-୧୩ରେ ପ୍ରାୟ ୩ ଏକରରୁ ଅଧିକ ଜମିରେ ୧୨୯ ମିଲିୟନ ଲିଟର କ୍ଷମତା ଥିବା ଏକ ଜଳ ବିଶୋଧନାଗାର (ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍) ନିର୍ମାଣ କରାଯାଇଥିଲା। ଏହି ପ୍ଲାଣ୍ଟରୁ ସମଗ୍ର ସହରରକୁ ପାନୀୟ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାର ବିଶୋଧନ ଶୈଳୀ ଅନ୍ୟ ପାରମ୍ପରିକ ବିଶୋଧନ ପ୍ରକ୍ରିୟାଠାରୁ ଭିନ୍ନ ରହିଛି। ଏଥିପାଇଁ ଏକାଧିକ ଚାମ୍ବର ପ୍ରତିଷ୍ଠା କରାଯାଇଛି। ଇଂ. ଶ୍ରୀ ବେ‌ହେରା କହିଛନ୍ତି କି, ଏହି ପ୍ରକଳ୍ପ ଦୀର୍ଘ ଦିନର ଆଶା ପୂରଣ କରିଛି। ଏବେ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ ଆରମ୍ଭ କରାଯାଇଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ସିଡିଏ ଅଞ୍ଚଳକୁ ଜଳ ଯୋଗାଣ ଆରମ୍ଭ ହେବ। ଏହି ପାଣି ଉଚ୍ଚମାନର ଓ ସଂପୂର୍ଣ୍ଣ ପାନୀୟ ଉପଯୋଗୀ ହୋଇପାରିବ ବୋଲି ଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe