୨୪ ବର୍ଷ ପରେ କର୍କଟ କେନ୍ଦ୍ରରେ ହଜିଲା ଭାଇକୁ ପାଇଥିଲେ ଭଉଣୀ: ମାସେ ବି ରହିଲାନି ସୁଖ, ଭାଇର ମୃତ୍ୟୁ

Advertisment
୨୪ ବର୍ଷ ପରେ କର୍କଟ କେନ୍ଦ୍ରରେ ହଜିଲା ଭାଇକୁ ପାଇଥିଲେ ଭଉଣୀ: ମାସେ ବି ରହିଲାନି ସୁଖ, ଭାଇର ମୃତ୍ୟୁ

newindianexpress.com

କଟକ: ୨୪ ବର୍ଷ ପରେ ନିଜ ହଜିଲା ଭାଇକୁ ଫେରି ପାଇଥିଲା ଭଉଣୀ। ହେଲେ ଏହି ଖୁସି ମାସେ ବି ରହିଲାନି। ଗତ ମାସ ୯ ତାରିଖରେ ଭାଇ-ଭଉଣୀ ଏକାଠି ହେବା ଘଟଣାକୁ ନେଇ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଭାବବିହ୍ବଳ ପରିବେଶ। ହେଲେ ସେହି ଖୁସି ଆଜି ସବୁ ଦିନ ପାଇଁ ହଜିଗଲା। ପୁଣି ଏକୁଟିଆ ହୋଇଗଲା ଭଉଣୀ ବବିତା ମହାରଣା। କର୍କଟ ରୋଗରେ ଆକ୍ରାନ୍ତ  ଭାଇ ହିମାଂଶୁ ମହାରଣାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଭାଇ-ଭଉଣୀଙ୍କୁ ଏକାଠି କରିଥିବା ସ୍ବେଚ୍ଛାସେବୀ-ଶବସାଥୀ ଅଭିମନ୍ୟୁ ଦାସ ଆଜି ହିମାଂଶୁଙ୍କ ଶେଷକୃତ୍ୟ ଖାନନଗର ସ୍ବର୍ଗଧାମରେ କରିଥିବା ବେଳେ ସେଠାରେ ଭଉଣୀ ବବିତା ଉପସ୍ଥିତ ଥିଲେ। ଏଥିପାଇଁ ସମସ୍ତ ଖର୍ଚ୍ଚ କର୍କଟ କେନ୍ଦ୍ର ପକ୍ଷରୁ କରାଯାଇଥିବା ଜଣାପଡିଛି।

ସୁନ୍ଦରଗଡ଼ ଜିଲ୍ଳା ବୀରମିତ୍ରପୁର ଅଞ୍ଚଳର ନିରଞ୍ଜନ ମହରଣାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ଥିଲା ପରିବାର। ହଠାତ୍‌ ଏକମାତ୍ର ପୁଅ ହିମାଂଶୁ କାହାକୁ କିଛି ନକହି ଯୁକ୍ତ ୨ ପଢିବା ସମୟରେ ୧୯୯୭ରେ ଘରୁ କେଉଁଆଡେ ପଳାଇଥିଲା। ପରିବାରବର୍ଗ ବିଭିନ୍ନ ସ୍ଥାନ‌ରେ ଖୋଜାଖୋଜି କରିବା ପରେ ବି ତାଙ୍କୁ ନପାଇ ‌ଶେଷରେ ପୁଅ ଆଉ ଏ ଦୁନିଆରେ ନାହିଁ ଭାବି ମନକୁ ବୁଝାଇ ସାରିଥିଲେ। ଏହାରି ଭିତରେ ବଡ ଭଉଣୀର ବାହାଘର ସରି ସେ ରାଜ୍ୟ ବାହାରେ ରହୁଥିବା ବେଳେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ନିରଞ୍ଜନଙ୍କ ଶ୍ବଶୁର ଘର କଟକର ଦରଘାପାଟଣା ଅଞ୍ଚଳରେ। ପୁଅ ହିମାଂଶୁ ଘରୁ ପ୍ରଥମେ ଗୋଆ ଓ ପରେ ମୁମ୍ବାଇ ଚାଲିଯାଇ ସେଠାରେ ଏକ ଜାହାଜରେ କାମ କରୁଥିଲେ।

ତେବେ ସେଠାରେ ତାଙ୍କ ଦେହ ଖରାପ ହେବା ପରେ ଜଣେ ଓଡିଆ ଲୋକ ତାଙ୍କୁ ଆଣି ରଖିଥିଲେ। ହିମାଂଶୁଙ୍କ ଦେହ ଅଧିକ ଖରାପ ହେବାପରେ ଜଣେ ମହିଳା ତାଙ୍କୁ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆଣି ରାସ୍ତାରେ ଛାଡି ପଳାଇ ଥିଲେ। କର୍କଟ କେନ୍ଦ୍ରରେ ଅଜଣା ରୋଗୀ ଭାବେ ହିଂମାଶୁଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ସ୍ବେଚ୍ଛାସେବୀ ଅଭିମନ୍ୟୁ ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ସେବାର ଦାୟିତ୍ବ ନେଇଥିଲେ। ହିମାଂଶୁଙ୍କ ପରିଚୟ ପାଇ ଅଭିମନ୍ୟୁ ତାଙ୍କ ମାମୁଁ ଘର ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ ସେଭଳି ତତ୍ପରତା ନ ଦେଖାଇବା ପରେ କଟକ ବଙ୍ଗାଳିସାହିର ଏକ ମଠରେ ଭଉଣୀ ବବିତା ରହୁଥିବା ଜାଣି ତାଙ୍କ ସହିତ ଯୋଗାଯୋଗ କରିବା ପରେ ସେ କର୍କଟ କେନ୍ଦ୍ରରେ ପହଞ୍ଚିଥିଲେ ବବିତା। ଦୀର୍ଘ ୨୪ ବର୍ଷ ପରେ ଭାଇ-ଭଉଣୀଙ୍କର ଭେଟ ହୋଇଥିଲା। କିନ୍ତୁ ଆଜି ହିମାଂଶୁଙ୍କ ମୃତ୍ୟୁ ପୁଣି ବବିତାଙ୍କ ଆଖିରେ ଲୁହ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe