କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି।

RG Kar medical collage rapist

RG Kar medical collage rapist Photograph: (sambad.in)

ଭୁବନେଶ୍ବର: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ରାୟ ଆସିବା ପରେ କଟକ ଏସ୍‌ସିବି ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। ଦୋଷୀ ସଞ୍ଜୟ ରାୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାର ଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଆଜୀବନ କାରାଦଣ୍ଡ ଠିକ୍ ନ୍ୟାୟ ନୁହେଁ ବୋଲି ସେମାନେ କହିଛନ୍ତି। ଯଦି ଦୋଷୀ ସଞ୍ଜୟ ରାୟକୁ ମୃତ୍ୟୁ ଦଣ୍ଡାଦେଶ ଯିଆ ଯାଇଥାନ୍ତା, ହୁଏତ ଆଗାମୀ ଦିନରେ ଏମିତି ଭୁଲ କେହି କରିବାକୁ ସାହସ କରି ନଥାନ୍ତେ। 

ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ କରିସାରିଥିଲେ ଯେ ଏହି ମାମଲାରେ ସର୍ବାଧିକ ଦଣ୍ଡ "ମୃତ୍ୟୁଦଣ୍ଡ" ଓ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହେବ। ଏହା ପରେ ମୃତ ଡାକ୍ତରଙ୍କ ପରିବାର ସହିତ ସିବିଆଇ ମଧ୍ୟ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ, ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ, କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଏହି ମାମଲାକୁ ବିରଳ ବୋଲି ବିବେଚନା କରୁନଥିବାରୁ ମୃତ୍ୟୁଦଣ୍ଡ ଦେଇନଥିବା ସାମ୍ନାକୁ ଆସିଛି।

ରାୟ ଶୁଣାଇବା ପୂର୍ବରୁ କୋର୍ଟ ସଞ୍ଜୟକୁ ନିଜର ପକ୍ଷ ରଖିବାକୁ କହିଥିଲେ। ଉତ୍ତରରେ ସଞ୍ଜୟ କହିଥିଲା, "କୌଣସି କାରଣ ବିନା ମୋତେ ଏଥିରେ ଜଡିତ କରାଯାଇଛି। ମୁଁ ସବୁବେଳେ ରୁଦ୍ରାକ୍ଷ ମାଳା ପିନ୍ଧେ। ଯଦି ମୁଁ କୌଣସି ଅପରାଧ କରିଥାଆନ୍ତି, ତେବେ ମାଳା ଅପରାଧ ସ୍ଥାନରେ ହିଁ ଛିଡ଼ି ଯାଇଥାନ୍ତା। ମୋତେ କହିବାକୁ ଅନୁମତି ଦିଆଗଲା ନାହିଁ। ଅନେକ କାଗଜପତ୍ରରେ ଜୋରଜବରଦସ୍ତ ଦସ୍ତଖତ କରାଯାଇଥିଲା।" ଏହା ଶୁଣିବା ପରେ କୋର୍ଟ କହିଥିଲେ ଯେ, "ତୁମ ଉପରେ ଲାଗିଥିବା ସମସ୍ତ ଆରୋପ ପ୍ରମାଣିତ ହୋଇସାରିଛି। ଏବେ ଏସବୁର କିଛି ଅର୍ଥ ନାହିଁ।"

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରର ସେମିନାର ହଲରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରାତି ଡ୍ୟୁଟି ସମୟରେ ବିଶ୍ରାମ କରୁଥିବା ବେଳେ ସଞ୍ଜୟ ମୃତକଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe