Bhubaneswar Buzz
କଟକ: ଖାନନଗରଠାରେ ହେବାକୁ ଥିବା ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି। ତାମିଲନାଡୁର ୟୁଆରସି କନ୍ଷ୍ଟ୍ରସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ୬୫ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନିର୍ମାଣ କରିବ। ଏଥି ପାଇଁ ପ୍ରାଥମିକଭାବେ ଡିଜାଇନ୍ ପ୍ରସ୍ତୁତ ହୋଇଥିବା ବେଳେ ଏହି ଡିଜାଇନ୍ରେ କିଛିଟା ପରିବର୍ତ୍ତନ କରିବା ପାଇଁ ପୂର୍ତ୍ତ ବିଭାଗ ସଚିବ ଡକ୍ଟର କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଖୁବ୍ଶୀଘ୍ର ଏହାର ଚୂଡାନ୍ତ ଡିଜାଇନ୍ ପ୍ରସ୍ତୁତ କରି ରିପୋର୍ଟ ପ୍ରକାଶ ପାଇବା ସହ କାର୍ଯ୍ୟ ଆରମ୍ଭ କରାଯିବା ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଚ୍ଚସ୍ତରୀୟ ବୈଠକରେ ସଚିବଙ୍କ ସମେତ ଓବିସିସିର ଏମ୍ଡି ଜେ.କେ.ଦାସ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଇଂ ପ୍ରଦୀପ ରଥଙ୍କ ସମେତ କନ୍ଷ୍ଟ୍ରକସନ୍ କମ୍ପାନିର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ କିପରି ତୁରନ୍ତ ଚୂଡାନ୍ତ ଡିଜାଇନ୍ ପ୍ରସ୍ତୁତ କରାଯାଇ କାମ ଆରମ୍ଭ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଦଶ ହଜାର ବର୍ଗ ମିଟରରେ ହେବାକୁ ଥିବା ଏହି ପ୍ରକଳ୍ପରେ ଜି-୨ କୋଠା ଅର୍ଥାତ୍ ତିନିମହଲା ବିଶିଷ୍ଟ ଉକ୍ତ ସିଏନ୍ବିଟି କଂପ୍ଲେକ୍ସରେ କିପରି ସୁବିଧାରେ ବସ୍ ଯାତାୟତ କରିପାରିବ, ଯାତ୍ରୀଙ୍କ ପାଇଁ ୱେଟିଂ ସେଡ୍, ଇ- ଭେଇକିଲ୍ ଚାର୍ଜିଂ ସହ ଟିକେଟ୍ କାଉଣ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ, ସେଥିପାଇଁ ଆଲୋଚନା କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୧, ଜାନୁଆରୀ ୨୩, ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଶୁଭ ଦେଇଥିଲେ।
Follow Us