କଟକ-ଭୁବନେଶ୍ୱର ରାସ୍ତାରେ ଗୁଳି କରି ଲୁଟ୍‌

Advertisment

ଆହତ ବ୍ରାଉନ୍‌ସୁଗାର ବେପାରୀ ଏସ୍‌ସିବିରେ ଭର୍ତ୍ତି

ଆହତ ବ୍ରାଉନ୍‌ସୁଗାର ବେପାରୀ ଏସ୍‌ସିବିରେ ଭର୍ତ୍ତି

କଟକ-ଭୁବନେଶ୍ୱର ରାସ୍ତାରେ ଗୁଳି କରି ଲୁଟ୍‌

କଟକ/ଫୁଲନଖରା : କଟକ ଭୁବନେଶ୍ୱର ରାସ୍ତାର ତେଲେଙ୍ଗାପେଣ୍ଠ ନିକଟରେ ଦିନ ଦ୍ୱିପହରରେ ଗୁଳି ମାଡ଼ ହେବା ସହ ଟଙ୍କା ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ବ୍ରାଉନ୍‌ସୁଗାର ବେପାରୀ ଉପରକୁ ଗୁଳି ମାଡ଼ କରି ଟଙ୍କା ଲୁଟିଛନ୍ତି । ଖୋର୍ଧା ଜିଲ୍ଲା ସାମନ୍ତରାପୁର ଅଞ୍ଚଳର କାର୍ତ୍ତିକ ଖଟେଇ(୨୫)ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଦୁର୍ବୃତ୍ତମାନେ ତା’ ନିକଟରୁ ମୋଟ ୨୦ ହଜାର ୫୦୦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସଦର ଥାନା ପୁଲିସ କାର୍ତ୍ତିକକୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ଘଟଣା ସ୍ଥଳରୁ ଖୋକା ଜବତ ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ପ୍ରକାର ଗୁଳି ମାଡ଼ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଦୁଇଟି ପୃଥକ ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ପୁଲିସ ।

ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ସାମନ୍ତରାପୁର ଅଞ୍ଚଳର କାଲୁ ଖଟେଇଙ୍କ ପୁଅ କାର୍ତ୍ତିକ ପଲ୍‌ସର ୨୨୦(ଓଡ଼ି ୩୩ ଏନ୍‌ ୮୯୧୫ ପଲ୍‌ସର ୨୨)ରେ ନିଜ ସାଙ୍ଗ ଦଶରା କାହ୍ନା ସହିତ ଖୋର୍ଧାରୁ କଟକ ଆସୁଥିଲା । ତେଲେଙ୍ଗାପେଣ୍ଠ ଓଭରବ୍ରିଜ ଉପରେ ଏକ ନମ୍ବର ବିହୀନ କଳା ରଙ୍ଗରେ ବାଇକ୍‌ରେ ଆସୁଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଅଟକାଇବାକୁ ଉଦ୍ୟମ କରିଥିଲେ। ବାଇକ୍‌ରେ ବସିଥିବା ଜଣେ ଯୁବକ କାର୍ତ୍ତିକଙ୍କ ଡାହାଣ ଗୋଡ଼କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ମାରିଥିଲା। ସେ ତଳେ ପଡ଼ିଯିବା ପରେ ତା’ ସାଙ୍ଗ କାହ୍ନାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ସହିତ କାର୍ତ୍ତିକ ନିକଟରୁ ୨୦ ହଜାର ଏବଂ କାହ୍ନା ପାଖରେ ଥିବା ୫୦୦ ଟଙ୍କା ଲୁଟି ନେଇଥିଲେ। ତିନି ଦୁର୍ବୃତ୍ତ ଦ୍ରୁତ ଗତିରେ କଟକ ଆଡ଼କୁ ଖସିଯାଇଥିବା କାହ୍ନା ପୁଲିସକୁ ସୂଚନା ଦେଇଛନ୍ତି । ଦୁର୍ବୃତ୍ତଙ୍କ ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି କୁହାଯାଉଛି।

କାହ୍ନାଙ୍କ କହିବା ଅନୁଯାୟୀ, ରାସ୍ତା ଉପରେ କାର୍ତ୍ତିକ ପାଖାପାଖି ଅଧଘଣ୍ଟା ପଡ଼ି ଛଟ୍‌ପଟ୍‌ ହେବା ପରେ ସଦର ଥାନା ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ସଦର ଥାନାରେ ଆଇପିସିର ଦଫା ୩୯୪ ଏବଂ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ୍‌ରେ ମାମଲା(କେସ୍‌ ନଂ ୬୭) ରୁୁଜୁ ହୋଇଛି। ପୁଲିସ ରେକର୍ଡ ଅନୁଯାୟୀ, କାର୍ତ୍ତକ ବିରୋଧରେ ଖୋର୍ଧା ଥାନାରେ ମୋଟ ତିନିଟି ଅପରାଧିକ ମାମଲା ରହିଛି । ୨୦୧୫ ଓ ୨୦୧୬ ମସିହାରେ ଦୁଇଟି ଡକାୟତି ମାମଲା ଏବଂ ଗତ ୬ ମାସ ତଳେ ଗାଁରେ ଏକ ଗଣ୍ଡଗୋଳ ଘଟଣାରେ ସେ ସମ୍ପୃକ୍ତ ଥିଲା । ନିକଟରେ ସେ ଜେଲ୍‌ରୁ ଫେରିଥିବା କୁହାଯାଉଛି । ଏ ସଂପର୍କରେ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ, କାର୍ତ୍ତିକ ଖୋର୍ଧାରେ ଅପରାଧ କାର୍ଯ୍ୟକଳାପ ସମେତ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe