ବିହାରୀ ମିସ୍ତ୍ରିଙ୍କୁ ବୀଭତ୍ସ ହତ୍ୟା ଘଟଣା, କେଶୁରା କାଣ୍ଡର ପ୍ରତିଶୋଧ!

ବିହାରୀ ମିସ୍ତ୍ରିଙ୍କୁ ବୀଭତ୍ସ ହତ୍ୟା ଘଟଣା, କେଶୁରା କାଣ୍ଡର ପ୍ରତିଶୋଧ!

କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡ ପଛର ରହସ୍ୟ ଖୋଜୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତଥ୍ୟ ଅନୁଯାୟୀ ପ୍ରାୟ ବର୍ଷକ ତଳେ ଭୁବନେଶ୍ବରର କେଶୁରାରେ ଗୋଟିଏ କୋଠାରେ ରହୁଥିବା ଆଜାଦ ଓ ପଙ୍କଜ ଶର୍ମାଙ୍କ ଭିତରେ ଭୟଙ୍କର ଗଣ୍ଡଗୋଳ ହୋଇଥିଲା। ପଙ୍କଜଙ୍କ ପତ୍ନୀଙ୍କ ସହିତ ଆଜାଦଙ୍କ ସମ୍ପର୍କକୁ କେନ୍ଦ୍ର କରି ଏହି ବିବାଦ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ପରଠାରୁ ଉଭୟ ଅଲଗା ରହୁଥିଲେ। ଆଜାଦ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଅନ୍ୟ ବିହାରୀ ମିସ୍ତ୍ରିଙ୍କ ସହିତ ରହୁଥିଲେ। ପଙ୍କଜ କଟକ ଚାଉଳିଆଗଞ୍ଜରେ ରହି ସିଲିଂ କାମର ଠିକାଦାରୀ କରୁଥିବା ନିଜ ବଡ଼ ବାପା ପୁଅ ଭାଇ ମୁନିଲାଲ ଶର୍ମାକୁ ସହଯୋଗ କରୁଥିଲା। ତାରି ମାଧ୍ୟମରେ ଆଜାଦକୁ ସବୁଦିନ ପାଇଁ ରାସ୍ତାରୁ ସେ ହଟାଇ ଦେଇଥିବା ପୁଲିସ ଏବେ ସନ୍ଦେହ କରୁଛି। ଫେବ୍ରୁଆରି ୨୫ ତାରିଖରେ ଗୋଟିଏ ବାଇକରେ ଆଜାଦ ଓ ମୁନିଲାଲ ବିଡାନାସୀ ଆଡ଼କୁ ଯାଇଥିବା ବେଳେ ରାତିରେ ବାଦାମବାଡ଼ି ବସଷ୍ଟାଣ୍ଡରୁ ମୁନିଲାଲ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ପୁଲିସ ପ୍ରମାଣ ପାଇଛି। ତେଣୁ ‘ଲାଷ୍ଟ ସିନ୍ ଥିଓରି’ ଅନୁଯାୟୀ ପୁଲିସ ଏବେ ଫେରାର ମୁନିଲାଲକୁ ତଦନ୍ତ ପରିସରଭୁକ୍ତ କରି ଖୋଜିବା ଆରମ୍ଭ କରିଦେଇଛି।


ଚାଉଳିଆଗଞ୍ଜ ନୂଆବଜାରରେ ରହି ଠିକାଦାରୀ କରୁଥିବା ମୁନିଲାଲ ଶର୍ମାର ଦାଦା ପୁଅ ଭାଇ ହେଉଛି ପଙ୍କଜ। ଆଜାଦର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ମୁନିଲାଲକୁ ପଙ୍କଜ କହିଥିଲା। ଆଜାଦକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା କୁହାଯାଉଛି। ଗଲା କିଛି ମାସ ତଳେ ଆଜାଦ୍ ବିହାର ଯାଇଥିବାରୁ ତାଙ୍କୁ କଟକରେ ଛାତ ସିଲିଂ କାମ କରିବାର ଆଳ ଦେଖାଇ ଡକାଇବାରୁ ଗଲା ଫେବ୍ରୁଆରି ୧୮ ତାରିଖରେ ଆଜାଦ ଭୁବନେଶ୍ବରରେ ପହଞ୍ଚିଥିଲା।

publive-image Sambad

ଦୁଇ ଥର କାମ ଦେଖାଇବା ଆଳରେ ମୁନିଲାଲ କଟକକୁ ଆଜାଦକୁ ଡାକିଥିଲା। ଶେଷ ଥର ଗଲା ଫେବ୍ରୁଆରି ୨୫ ତାରିଖରେ ଡାକିଥିଲା। ୨୫ ତାରିଖ ସକାଳ ପ୍ରାୟ ୯ଟା ୩୦ ବେଳେ ଆଜାଦ ନିଜ ୟାମା ଫେଜର ବାଇକରେ ଚାଉଳିଆଗଞ୍ଜ ଆସିଥିଲା। ଏଠି ପ୍ରାୟ ଦିନ ୧୧ଟା ୧୫ରେ ପହଞ୍ଚିଥିଲା। ମୁନିଲାଲର ଭଡ଼ା ଘରେ ଉଭୟ ପ୍ରଚୁର ମଦ ପିଇଥିବା କୁହାଯାଉଛି। ସେଠୁ କିଛି ସମୟ ପରେ ଆଜାଦର ଫେଜର୍ ବାଇକରେ ଉଭୟ ବାଦାମବାଡ଼ି ଦେଇ ବିଡାନାସୀ ଭୂଆଷୁଣି ପଠା ନିକଟ ଗଜିଆ ପଠାକୁ ଯାଇଥିବା ପୁଲିସ ହାତରେ ପ୍ରମାଣ ଲାଗିଛି। ଆଜାଦକୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ମୁନିଲାଲ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ ଏଭଳି କାଣ୍ଡ ଘଟାଇବା ପରେ ମୁନିଲାଲ ପୁଣି ଚାଉଳିଆଗଞ୍ଜରେ ଥିବା ଭଡ଼ା ଘରକୁ ଆସିଥିଲା। ଏପଟେ ଆଜାଦ ଘରକୁ ଶୀଘ୍ର ଫେରିଯିବ ବୋଲି ସାନ ଭାଇ ଶୁଭମକୁ କହିଥିଲା। ତା ପାଇଁ ଚିକେନ୍ ରଖିବାକୁ ଶୁଭମକୁ ଆସିଲା ବେଳକୁ କହିଥିଲା। କିନ୍ତୁ ଆଜାଦକୁ ବାରମ୍ବାର ଶୁଭମ୍ ଫୋନ୍ କରିଥିଲେ ବି ସେ ଆଉ ଫୋନ୍ ଉଠାଇ ନଥିଲେ। ରାତି ପ୍ରାୟ ୧୦ଟା ବେଳେ ଶୁଭମ ଓ ଅନ୍ୟ ବନ୍ଧୁମାନେ ଚାଉଳିଆଗଞ୍ଜରେ ମୁନିଲାଲର ଭଡ଼ା ଘରେ ପହଞ୍ଚି ଥିଲେ। ଘରେ ମୁନିଲାଲ ସହିତ ଅନ୍ୟ ଜଣେ ସହଯୋଗୀ କୈଳାସ ଯାଦବ ବି ଥିଲା। ଉଭୟ ପ୍ରଚୁର ମଦ ପିଇ ଚୁର୍ ହୋଇଥିଲେ। ଆଜାଦ୍ ସମ୍ପର୍କରେ ପଚାରିବାରୁ ସେ ଭୁବନେଶ୍ବର ଫେରିଯାଇଥିବା ମୁନିଲାଲ କହିଥିଲା। କିନ୍ତୁ ଆଜାଦ ଘରକୁ ଫେରି ନଥିବାରୁ ସନ୍ଦେହରେ ମୁନିଲାଲକୁ ସେମାନେ କାବୁ କରି ନେଇଥିଲେ। କିନ୍ତୁ କୈଳାସ ଏଥିରେ ମଧ୍ୟସ୍ଥତା କରିବାରୁ ତାକୁ ଛାଡ଼ି ଦେଇଥିଲେ। ସେଦିନ ଆଜାଦର ପରିବାର ଲୋକେ ଭୁବନେଶ୍ବର ଫେରିଯିବା ପରେ ମୁନିଲାଲ ବାଦାମବାଡ଼ି ଯାଇ ସେଠୁ ବସ୍ ଯୋଗେ ରାଜ୍ୟ ବାହାରକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ବିହାର ଭାଗଲପୁରରେ ଥିବା ନିଜ ଘରକୁ ଫେରିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ତା ମୋବାଇଲ ସେବେଠାରୁ ସୁଇଚ୍ ଅଫ୍ ରହିଛି। କୈଳାସର ବି କୌଣସି ପତ୍ତା ମିଳୁ ନଥିବା କୁହାଯାଉଛି। ଅନ୍ୟପଟେ ବିଡ଼ାନାସୀ ଥାନା ପୁଲିସ ଆଜି ଆଜାଦଙ୍କ ଶବ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe