ନୟାସଡକ ଘରୋଇ ଋଣ ସ˚ସ୍ଥାରୁ ଡକାୟତି ଘଟଣା: ଏବେ ବି ହାତ ଖାଲି, ମୋବାଇଲ୍‌ ଟ୍ରାକ୍‌ ଓ ସିସିଟିଭି ଫୁଟେଜ୍‌ ଭରସା

କେନ୍ଦ୍ରାପଡ଼ା, ଜଗତସି˚ହପୁର, ସାଲେପୁରରେ ପୁଲିସ୍‌ ଟିମ୍‌ର ଚଢାଉ

ନୟାସଡକ ଘରୋଇ ଋଣ ସ˚ସ୍ଥାରୁ ଡକାୟତି ଘଟଣା: ଏବେ ବି ହାତ ଖାଲି, ମୋବାଇଲ୍‌ ଟ୍ରାକ୍‌ ଓ ସିସିଟିଭି ଫୁଟେଜ୍‌ ଭରସା

Sambad

କଟକ: ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ଲକରରୁ ୧୨କୋଟି ଟଙ୍କାର ସୁନା ଲୁଟ୍‌ ହେବା ଘଟଣାରେ ପୁଲିସ୍‌ ଅଭିଯୁକ୍ତମାନଙ୍କ ଭିତରୁ କେତେଜଣଙ୍କୁ ଚିହ୍ନଟ କରିସାରିଛି। ଡକାୟତି କରି ଫେରାର‌୍‌ ହେବା ପରେ ସେମାନେ ସାଲେପୁର ଆଡ଼କୁ ଯାଇଥିବାରୁ ଏବେ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ସାଲେପୁର ଅଞ୍ଚଳରେ ଜୋର‌୍‌ଦାର ଚଢାଉ କରାଯାଉଛି। ଅଭିଯୁକ୍ତମାନେ ଶିଶୁଆ ଦେଇ ଜଗତସି˚ହପୁର ଆଡ଼କୁ ଚାଲିଯାଇଥିବା ଅନୁମାନ କରାଯାଉଛି। ଏହାବ୍ୟତୀତ ପୁଲିସ୍‌ର ତିନୋଟି ଟିମ୍‌ ପୁରୀ, ବାଲେଶ୍ବର ଇତ୍ୟାଦି ଆଡ଼କୁ ଯାଇ ଛାନ୍‌ଭିନ୍‌ କରୁଥିବା ଜାଣିବାକୁ ମିଳିଛି। ହେଲେ ପୁଲିସ୍‌ ହାତରେ ଠୋସ୍‌ ସୁରାକ ଲାଗିନଥିବାରୁ କେବଳ ମୋବାଇଲ୍‌ ଟ୍ରାକି˚ ଓ ସିସିଟିଭି ଫୁଟେଜ୍‌କୁ ଆଧାରକରି ତଦନ୍ତ ଚାଲିଥିବା କୁହାଯାଉଛି।

publive-image Sambad

ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ କିଛି ଦିନତଳେ ଜେଲ୍‌ରୁ ବାହାରିଛନ୍ତି। ପୂର୍ବରୁ ମଧ୍ୟ ଡକାୟତି ଘଟଣାରେ ଏମାନଙ୍କ ସ˚ପୃକ୍ତି ରହିଛି। ଏଥିସହ ବ୍ୟାଙ୍କର କିଛି କର୍ମଚାରୀଙ୍କ ଗତିବିଧି ଉପରେ ମଧ୍ୟ ପୁଲିସ୍‌ ନଜର ରଖିଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜରୁ ମିଳିଥିବା ଅଭିଯୁକ୍ତମାନଙ୍କର ଫଟୋକୁ ନେଇ ପୁଲିସ୍‌ ଟିମ୍‌ ସାଲେପୁର ଅଞ୍ଚଳର ଘରଘର ବୁଲି ଖୋଜାଖୋଜି କରୁଛନ୍ତି। ଡିସିପି ପ୍ରତୀକ ସି˚ହଙ୍କ ନେତୃତ୍ବରେ ବିିଭିନ୍ନ ଥାନାର ଆଇଆଇସିଙ୍କୁ ନେଇ ଗଠନ ହୋଇଥିବା ଟିମ୍‌ ଚଢାଉ କରୁଥିଲେ ସୁଧା ଖବର ଲେଖାହେବା ପର୍ଯ୍ୟନ୍ତ ହାତ ଖାଲିଥିବା ଜଣାପଡ଼ିଛି। ତେଣୁ ଡିସିପି ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

publive-image Sambad

ସୂଚନାଯୋଗ୍ୟ, ଗୁରୁବାର ସକାଳ ୯ଟା ୫୫ ମିନିଟ୍‌ରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଫାଇନାନ୍ସ ସ˚ସ୍ଥା ଭିତରକୁ ପଶିଥିଲେ। ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ବନ୍ଧକ ରଖିବା ସହ ଲକରରୁ ସୁନା ଅଳଙ୍କାର, ଟଙ୍କା ଇତ୍ୟାଦି ଲୁଟ୍‌ କରିଥିଲେ। ଏପରିକି ଆଲାର୍ମ ତାରକୁ କାଟି ଦେଇଥିବାରୁ ସାଇରନ ବାଜି ପାରିନଥିଲା। ପରେ ଡକାୟତି ଯୋଜନା ସଫଳ କରିବା ପରେ ଅଭିଯୁକ୍ତମାନେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ଭାବେ ଫେରାର‌୍‌ ହୋଇଯାଇଥିଲେ। ଯେଉଁଥିପାଇଁ ଏହାକୁ ଏକ ଯୋଜନାବଦ୍ଧ ଅପରାଧ ଭାବେ ପୁଲିସ୍‌ କମିସନର ବିବେଚନା କରିଥିଲାବେଳେ ଫାଇନାନ୍ସ ସ˚ସ୍ଥାର କୌଣସି କର୍ମଚାରୀଙ୍କ ଏଥିରେ ହାତ ଥିବା ସନ୍ଦେହ କରାଯାଉଛି।

ବ୍ରହ୍ମପୁର ଜେଲ୍‌ରୁ ମାଷ୍ଟରପ୍ଲାନ୍‌?
ଯୋଜନାବଦ୍ଧ ଭାବେ ୧୨ କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ଲୁଟ୍‌ କରାଯିବା ପଛରେ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗର ଲିଡର ଏବେ ବ୍ରହ୍ମପୁର ଜେଲ୍‌ରେ ଅଛି। ଅଭିଯୁକ୍ତମାନେ ଉକ୍ତ ଗ୍ୟାଙ୍ଗଷ୍ଟରର ସହଯୋଗୀ। ସେମାନଙ୍କ ଭିତରୁ ଦୁଇ ଜଣ କିଛି ଦିନ ତଳେ ଚୌଦ୍ବାର ଜେଲ୍‌ରୁ ମୁକଳିଛନ୍ତି। ତେଣୁ ଡକାୟତିର ମାଷ୍ଟରପ୍ଲାନ୍‌ ବ୍ରହ୍ମପୁର ଜେଲ୍‌ ଭିତରୁ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ଏଥିସହ କିଛିଦିନ ତଳୁ ଅଭିଯୁକ୍ତ କିମ୍ବା ସେମାନଙ୍କର କୌଣସି ସମ୍ପର୍କୀୟ ବ୍ୟାଙ୍କକୁ ଏକାଧିକ ଥର ଆସି ଏହାର କାରବାର, ଯିବା ଆସିବା ବ୍ୟବସ୍ଥା ଇତ୍ୟାଦିକୁ ସ୍କାନ କରିଥିବା ପୁଲିସ୍‌ ଅନୁମାନ କରୁଛି। କାରଣ ଏତେ ଯୋଜନାବଦ୍ଧ ଭାବେ ଅଳ୍ପ ସମୟରେ ଡକାୟତତି କରି ଫେରାର‌୍‌ ହୋଇଯିବା ସହଜ ନୁହେଁ। ତେଣୁ ବ୍ୟାଙ୍କର କେହି ଏହି ଅପରାଧରେ ସ˚ପୃକ୍ତ ଥାଇପାରନ୍ତି ବୋଲି କୁହାଯାଉଛି।

ଅଜ୍ଞାତ ସ୍ଥାନରେ ଜେରା, ସହରରେ ସିସିଟିଭି ଯାଞ୍ଚ କରୁଛନ୍ତି ୧୦ ଜଣିଆ ଟିମ୍‌
ଡକାୟତି ଘଟଣା ପରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ସନ୍ଦେହ ହେଉଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସୁରକ୍ଷାକମୀ ଓ କିଛି କର୍ମଚାରୀଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ମାରାଥନ୍‌ ଜେରା କରିଥିବା ଜଣାପଡ଼ିଛି। ଏଥିସହ ସ୍ଥାନୀୟ ଦୋକାନୀମାନଙ୍କୁ ମଧ୍ୟ ଘଟଣା ବିଷୟରେ ପଚରାଉଚରା କରାଯାଇଛି। ଏଥିସହ ସହର ଭିତରେ ଯେଉଁ ରାସ୍ତା ଦେଇ ଅଭିଯୁକ୍ତମାନେ ଫେରାର‌୍‌ ହୋଇଛନ୍ତି, ସେସବୁ ଅଞ୍ଚଳରେ ଥିବା ସିସି କ୍ୟାମେରାଗୁଡ଼ିକୁ ଯାଞ୍ଚ କରିବା ପାଇଁ ୧୦ଜଣିଆ ପୁଲିସ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଅଭିଯୁକ୍ତମାନଙ୍କର ପ୍ରତ୍ୟେକ ଗତିବିଧିକୁ ଏମାନେ ରେକର୍ଡ କରୁଛନ୍ତି। ସେହିପରି ସହରର ପ୍ରବେଶପଥ ମାନଙ୍କରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ଯାଞ୍ଚ ପରିସରକୁ ନିଆଯାଇଥିବା ସୂଚନା ମିଳିଛି।

ସିସି କ୍ୟାମେରା ଖରାପ ହେବାକୁ ନେଇ ସନ୍ଦେହ ବଢୁଛି
ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ସିସି କ୍ୟାମେରା ଖରାପ ହେବାକୁ ନେଇ ପୁଲିସ୍‌ର ସନ୍ଦେହ ବଢିବାରେ ଲାଗିଛି। ଯଦିଓ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ଉପରେ ପୁଲିସ୍‌କୁ କୌଣସି ସନ୍ତୋଷଜନକ ଜବାବ ଦେଇପାରିନାହାନ୍ତି। ତଥାପି କ୍ୟାମେରା ଖରାପ ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି। କିନ୍ତୁ ପ୍ରତ୍ୟେକ ଫାଇନାନ୍ସ ସ˚ସ୍ଥା କିମ୍ବା ବ୍ୟାଙ୍କର ସିସି କ୍ୟାମେରା ମରାମତି ପାଇଁ କିଛି ନିର୍ଦ୍ଧିଷ୍ଟ ସ˚ସ୍ଥା ଦାୟିତ୍ବ ନେଇଛନ୍ତି। ଯେତେବେଳେ କ୍ୟାମେରା ଖରାପ ହେଲା, ତାହାର ମରାମତି ପାଇଁ କର୍ତ୍ତୃପକ୍ଷ ରିକ୍ୟୁଜିସନ୍‌ ଦେଇଥିଲେ କି? ଯଦି ଦେଇଥିଲେ କେବେ ଦେଇଥିଲେ ଓ ମରାମତି କାହିଁକି ବିଳମ୍ବ ହେଲା? ଯଦି ରିକ୍ୟୁଜିସନ୍‌ ଦେଇନାହାନ୍ତି, ତାହେଲେ କାହିଁକି ଦେଇନାହାନ୍ତି? ଏପରି ଅନେକ ପ୍ରଶ୍ନ ଉଠୁଛି। ପୁଲିସ୍‌ ଏହି ଦିଗକୁ ନେଇ ମଧ୍ୟ ତଦନ୍ତ କରୁଥିବା ଜଣାପଡ଼ିଛି।

ସାଲେପୁରରେ କମିସନରେଟ୍‌ ପୁଲିସର ତନାଘନା

ସାଲେପୁର ନୟାସଡ଼କ ଡକାୟତି ଘଟଣା ନେଇ ଆଜି ସନ୍ଧ୍ୟାରେ କଟକ କମିସନରେଟ୍‌ ପୁଲିସ ସାଲେପୁର ସହରର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ସିସିଟିଭି ଯାଞ୍ଚ କରିଛି। ଡକାୟତମାନଙ୍କର ଗତିବିଧି ଅନୁଧ୍ୟାନ ପାଇଁ କଟକ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ କମିସନରେଟ୍‌ ପୁଲିସ ସହରର ୪ରୁ ଅଧିକ ହୋଟେଲ ଓ ଲଜ୍‌ର ରେଜିଷ୍ଟର୍‌ ଓ ପ୍ରାୟ ୫ଦିନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଗତକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ନୟାସଡ଼କସ୍ଥିତ ଅର୍ଥ ଲଗାଣକାରୀ ସଂସ୍ଥା ଆଇଆଇଏଫ୍‌ଏଲ୍‌ (ଇଣ୍ଡିଆନ୍‌ ଇନ୍‌ଫୋଲାଇନ୍‌ ଲିମିଟେଡ୍‌)ରୁ ୪ଜଣ ଦୁର୍ବୃତ୍ତ ପ୍ରାୟ ୧୨କୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe