ନୟାସଡ଼କ ଡକାୟତି ଘଟଣା; ଦୁଇ ଗାଡ଼ି ନମ୍ବର ବି ନକଲି

Advertisment

ନୟାସଡ଼କ-ସାଲେପୁର ଟାଵାର ଡମ୍ପ୍‌ ଭରସା; ଜିଲ୍ଲା ବାହାରେ ୭ ଜଣିଆ ଟିମ୍‌

ନୟାସଡ଼କ-ସାଲେପୁର ଟାଵାର ଡମ୍ପ୍‌ ଭରସା; ଜିଲ୍ଲା ବାହାରେ ୭ ଜଣିଆ ଟିମ୍‌

ନୟାସଡ଼କ ଡକାୟତି ଘଟଣା; ଦୁଇ ଗାଡ଼ି ନମ୍ବର ବି ନକଲି

Sambad

କଟକ: ନୟାସଡ଼କରେ ଋଣ ପ୍ରଦାନକାରୀ ସ˚ସ୍ଥା ‘ଆଇଆଇଏଫ୍‌ଏଲ ଫାଇନାନ୍ସ’ରୁ ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ଘଟଣାରେ ଦୁଇ ଦିନ ପରେ ବି ଅନ୍ଧାରରେ ପୁଲିସ। ଦୁର୍ବୃତ୍ତମାନେ ଯେଉଁ ଦୁଇଟି ବାଇକରେ ନମ୍ବର ପ୍ଲେଟ୍‌ ବ୍ୟବହାର କରିଥିଲେ, ସେଗୁଡ଼ିକ ନକଲି ବୋଲି କୁହାଯାଉଛି। ଅନ୍ୟ ଗାଡ଼ିର ନମ୍ବର ବ୍ୟବହାର କରି ସେମାନେ ଡକାୟତି କରିଛନ୍ତି। ପୁଲିସ ଗାଡ଼ିର ନମ୍ବର ଯାଞ୍ଚ ପରେ ଏଭଳି ତଥ୍ୟ ହାସଲ କରିଛି। ଅନ୍ୟପଟେ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଟେକି ନେଇ ଅଜ୍ଞାତ ସ୍ଥାନରେ ଜେରା କରୁଛି। ଏମାନଙ୍କର ପୂର୍ବ ବ୍ୟାଙ୍କ ଡକାୟତି ରେକର୍ଡ ଥିବାରୁ ପୁଲିସ ସେମାନଙ୍କୁ ଅଟକ ରଖି ଜେରା ଚଳାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁଲିସ ଏହି ଦୁର୍ବୃତ୍ତଙ୍କ ନିକଟରୁ ଲୁଟ୍‌ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ହାସଲ କରିପାରି ନାହିଁ।

ସୂଚନା ଅନୁଯାୟୀ, ୨୦୧୭ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଆସିଥିବା ଏରାଗୁଲା ଗ୍ୟାଙ୍ଗର ୫ ସଦସ୍ୟ ନୟାସଡ଼କର ବ୍ୟାଙ୍କ ଅଫ୍‌ ଇଣ୍ତିଆରୁ ମୋଟ ୯ ଲକ୍ଷ ୨୦ ହଜାର ଟଙ୍କା ଲୁଟିବା ଘଟଣାରେ ଆଜି ବି ଲାଲବାଗ ଥାନା ପୁଲିସ ହାତରେ କୌଣସି ପ୍ରମାଣ ଲାଗିପାରି ନାହିଁ। ଦ୍ବିତୀୟ ଥର ନୟାସଡ଼କରେ ସମାନ ଧରଣର ଡକାୟତି ଘଟଣାରେ ଏକ ନିର୍ଦ୍ଦିଷ୍ଟ ର୍ୟାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ସାଲେପୁର ଆଡ଼କୁ ଖସିଯାଇଥିଲେ। ଜଗତସି˚ହପୁର କିମ୍ବା କେନ୍ଦ୍ରାପଡ଼ାରେ ଦୁର୍ବୃତ୍ତମାନେ ଆଡ୍ଡା ଜମାଇଥିବା କୁହାଯାଉଛି। ତେଣୁ ଯେଉଁମାନେ ଗଲା ଏକ ସପ୍ତାହ ଭିତରେ ନୟାସଡ଼କରୁ ସାଲେପୁର ଆଡ଼କୁ କିମ୍ବା ସାଲେପୁରରୁ ନୟାସଡ଼କ ଆଡ଼କୁ ଯିବା ଆସିବା କରିଛନ୍ତି, ପୁଲିସ ଏବେ ଟାଵାର ଡମ୍ପରୁ ଉକ୍ତ ନମ୍ବରଗୁଡ଼ିକ ସ˚ଗ୍ରହ କରିଛି।

ସମସ୍ତ ସନ୍ଦିଗ୍ଧଙ୍କୁ ପୃଥକ ଭାବେ ଯାଞ୍ଚ ଆରମ୍ଭ କରାଯାଇଛି। ଏହି ଟାଵାର ଡମ୍ପରୁ ହିଁ ପୁଲିସ ଡକାୟତି ଦଳଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇପାରିବ ବୋଲି କୁହାଯାଉଛି। ଅନ୍ୟପଟେ କମିସନରେଟ୍‌ ପୁଲିସର ଏକ ୭ ଜଣିଆ ଟିମ୍‌ ଆଜି କଟକ ଜିଲ୍ଲା ବାହାରକୁ ଯାଇଛନ୍ତି। ଋଣ ପ୍ରଦାନକାରୀ ସ˚ସ୍ଥାର ଯେଉଁ ମୋବାଇଲ୍‌ ଲୁଟେରା ଦଳ ଛଡ଼ାଇ ନେଇଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍‌ ସାଲେପୁର ପରେ ସୁଇଚ୍‌ ଅଫ୍‌ ହୋଇଥିବାରୁ ପୁଲିସକୁ ମୋବାଇଲ୍‌ ଟ୍ରାକି˚ କରି ଲୁଟେରାଙ୍କ ଗତିବିଧି ଲକ୍ଷ କରୁଛି। ଡିସିପି ପ୍ରତୀକ ସି˚ହଙ୍କ କହିବା ଅନୁଯାୟୀ, ଲୁଟେରା ଦଳ ୪ ଲକ୍ଷ ଟଙ୍କାର ନଗଦ ଅର୍ଥରାଶୀ ଲୁଟିଥିବା ବେଳେ ସୁନା ଅଳଙ୍କାର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe