ମହାନଦୀ ଶଯ୍ୟା ପରିଦର୍ଶନ କଲେ ଏନ୍‌ଜିଟି ଟିମ୍; ରିପୋର୍ଟ ଆସିବା ପରେ ମହାନଦୀ ପଠା ବିକାଶ

Advertisment
ମହାନଦୀ ଶଯ୍ୟା ପରିଦର୍ଶନ କଲେ ଏନ୍‌ଜିଟି ଟିମ୍; ରିପୋର୍ଟ ଆସିବା ପରେ ମହାନଦୀ ପଠା ବିକାଶ

Sambad

କଟକ: ଜାତୀୟ ଗ୍ରିନ୍ ଟ୍ରିବୁନାଲ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର କମିଟି ଆଜି ମହାନଦୀ ହାଡିଆପଠା ଓ ଆଖାପାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି), କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି), ରୁର୍‌କିସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟଟ ଅଫ୍ ହାଇଡ୍ରୋଲୋଜି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପିସିବି)ର ପ୍ରତିନିଧିଙ୍କୁ ନେଇ ଗଠିତ କମିଟିର ସଦସ୍ୟମାନେ ମହାନଦୀର ଯେଉଁ ଅଂଶ ବେଆଇନ ଭାବେ ପୋତାଯିବା ଅଭିଯୋଗ ରହିଛି ତାହା ଅନୁଧ୍ୟାନ କରିଥିଲେ। ଏଥି ସହିତ ଜଳ ସଂପଦ ବିଭାଗ, ସିଏମସି ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ କମିଟି ସଦସ୍ୟମାନେ ଆଜି ଆଲୋଚନା କରିଥିଲେ। କମିଟି ସଦସ୍ୟଙ୍କୁ ଏନଜିଟିରେ ମାମଲା ଦାୟର କରିଥିବା ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ଆଇନନଜୀବୀ ଶିଶିର ଦାସ, ନିରୋଦ ପଣ୍ଡା ଓ ଅନ୍ୟମାନେ ସାକ୍ଷାତ କରି ଆଲୋଚନା କରିଥିଲେ। ମହାନଦୀ ପଠା ବେଆଇନ ଭାବେ ପୋତଯିବା ପ୍ରସଂଗରେ କମିଟି ସଦସ୍ୟଙ୍କୁ ଅବଗତ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବଡ଼ ମେଡିକାଲ ଓ ବାଲିଯାତ୍ରା ପଡିଆ ନିକଟରେ ମହାନଦୀ ଶଯ୍ୟ‌ାରେ ନିର୍ମାଣ ବେ‌ଳେ ଯେପରି କୌଣସି ନିୟମ ଉଲ୍ଲଂଘନ ନ ହେବ ସେ ନେଇ ଏନଜିଟି ଏକ କମିଟି ଗଠନ ପାଇଁ ୨୦୨୦, ଡିସେମ୍ବର ୧୫ରେ ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ପଠାରେ ପ୍ରସ୍ତାବିତ ଏସସିବି ମେଡିକାଲ କଲେଜର ନୂଆ କୋଠା ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଯେପରି ଆଇନ ଅନୁସାରେ କରାଯାଏ ତାହା ସୁନିଶ୍ଚିତ କରିବା ପାଇଁ କମିଟି ଏହି ପ୍ରସଂଗକୁ ବିଚାରକୁ ନେବା ସହିତ ଏଥି ପାଇଁ ମାନଦଣ୍ଡ ନିର୍ଦ୍ଧାରଣ କରିବ।

ଏହି ମାନଦଣ୍ଡ ଅନୁସାରେ ବନ୍ୟାଜଳ ପ୍ରବାହିତ ହେଉଥିବା ଅଞ୍ଚଳ ଚିହ୍ନଟ କରାଯିବା ସହିତ ସୀମା ନିରୂପଣ କରାଯିବ। ନଦୀ କୂଳରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ମହାନଦୀର ସକ୍ରିୟ ବନ୍ୟାଜଳ ପ୍ରବାହିତ ଅଞ୍ଚଳ ରହିଛି ତାହା କମିଟି ପକ୍ଷରୁ ନିରୂପଣ କରାଯିବ। ଏହି କାର୍ଯ୍ୟରେ ଅନ୍ୟ କୌଣସି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ କମିଟି ସାମିଲ କରି ପାରିବ। ସିପିସିବି ଏଥି ପାଇଁ ନୋଡାଲ ଏଜେନ୍ସି ରହିବ। ସମସ୍ତ ପ୍ରକ୍ରିୟା ୪ ମାସ ଭିତରେ କମିଟି ସଂପୂର୍ଣ୍ଣ କରିବ ବୋଲି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏନଜିଟି ନି‌େର୍ଦ୍ଦଶ ଦେଇଥିଲେ। ଅନ୍ୟପକ୍ଷରେ ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନଜିଟିର ଗାଉଡଲାଇନ ଉଲ୍ଲଂଘନ କରି ପୋତାଯିବାକୁ ବିରୋଧ କରି ଏନଜିଟିରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ନଦୀ ଶଯ୍ୟାରୁ ମାଟି ଖୋଳା ଯାଇ ପୁଣି ସେହି ନଦୀ ଶଯ୍ୟାରେ ପକାଯାଇ ପୋତାଯାଉଛି। ଏପରି କି ପ୍ରାୟ ଦେଢ କିଲୋମିଟର ବ୍ୟାପି ଓସାର ଓ ୫କିଲୋମିଟର ଲମ୍ବ ବିଶିଷ୍ଟ ନଦୀ ଶଯ୍ୟାକୁ ବେଅାଇନ ଭାବେ ପୋତାଯାଇଛି। ନଦୀପଠା ଜମିର କିସମ ବେଆଇନ ଭାବେ ପରିବର୍ତ୍ତନ କରାଯାଇଛି। ମହାନଦୀ ପଠା ପୋତାଯିବା ଯୋଗୁଁ ଭବିଷ୍ୟତରେ କଟକ ସହର ପ୍ରତି ବିପଦ ସୃଷ୍ଟି ହୋଇଛି ଓ ନଦୀଜଳ ପ୍ରବାହରେ ବାଧା ଯୋଗୁଁ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡ଼ିଛି। ଅନ୍ୟପଟେ ଏନଜିଟିରେ ପ୍ରଶାସନ ପକ୍ଷରୁ ମଧ୍ୟ ସବିଶେଷ ତଥ୍ୟ ରଖାଯାଇଛି। ଏନଜିଟିର ନିର୍ଦ୍ଦେଶ ଆଧାରରେ ପଠାର ବିକାଶ ପାଇଁ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe