ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗ, ଏନ୍‌ଜିଟି ଟିମ୍‌ର ସ୍ଥିତି ଅନୁଧ୍ୟାନ; ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି

Advertisment
ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗ, ଏନ୍‌ଜିଟି ଟିମ୍‌ର ସ୍ଥିତି ଅନୁଧ୍ୟାନ; ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି

Sambad

କଟକ: ମହାନଦୀ ଶଯ୍ୟା ପୋତାଯିବା ପ୍ରସଙ୍ଗକୁ ନେଇ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଦ୍ବାରା ଗଠିତ ୭ଜଣିଆ ସ୍ବତନ୍ତ୍ର ଟିମ ଆଜି ମହାନଦୀର ହାଡିଆପଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀ ଶଯ୍ୟାକୁ ବେଆଇନ ଭାବେ ପୋତାଯିବାକୁ ବିରୋଧ କରି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଓ ପରିବେଶବିତ ବିଶ୍ବଜିତ ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରଶାସନକୁ ନୋଟିସ ଜାରି କରିବା ସହ ସ୍ବତନ୍ତ୍ର କମିଟି ଗଠନ କରିଥିଲେ। ଏହି କମିଟିରେ ଏନଜିଟିର ପ୍ରାକ୍ତନ ସଦସ୍ୟ ପ୍ରଫେସର ପି.ସି ମିଶ୍ର , ପ୍ରଫେସର ସି.ଆର ବାବୁ, ଏନଆଇଟିର ପ୍ରଫେସର କେ.ସି ପାତ୍ର, ରୁର୍‌କିର ବୈଜ୍ଞାନିକ ପ୍ରଫେସର ଏ.କେ ଲୋହାନି, କେନ୍ଦ୍ରୀୟ ଜଳ ଆୟୋଗର ଅମରେଶ ପାଲସି˚, ଜଙ୍ଗଲ ଓ ପରିବେଶ ବିଭାଗର ଟି.ଜି ମାହାନ୍ତେ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସୋହନ ଗିରି ପ୍ରମୁଖ ସାମିଲ ଥିଲେ। ଏହି କମିଟି ସ˚ପୃକ୍ତ ଅଞ୍ଚଳ ଗତବର୍ଷ ପରିଦର୍ଶନ କରିଥିଲାବେଳେ ଏଥର ପରିଦର୍ଶନ କରି ଏନଜିଟିରେ ରିପୋର୍ଟ ଦାଖଲ କରିବେ। ଆସନ୍ତା ଅଗଷ୍ଟ ୭ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଏନ୍‌ଜିଟି ଟିମ୍‌ର ଏହି ପରିଦର୍ଶନ ସମୟରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଳ ପବନ କଲ୍ୟାଣ , ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଜଳସମ୍ପଦ ବିଭାଗର ବିଭାଗୀୟ ଯନ୍ତ୍ରୀଙ୍କ ସମେତ ଆଇନଜୀବୀ ଶିଶିର ଦାସ , ଶଙ୍କର ପାଣି, ସତ୍ୟବ୍ରତ ମହାନ୍ତି, ନିରୋଦ ପଣ୍ତା, କୈଳାସ ଶତପଥୀ ଓ ପ୍ରଭୁପ୍ରସନ୍ନ ବେହେରା ସହାୟତା କରିଥିଲେ।

ଏନ୍‌ଜିଟି ଟିମ୍‌ର ପରିଦର୍ଶନ ସମୟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ନଦୀ ଶଯ୍ୟାରୁ ବାଲି ଖୋଳାଯାଇ ପୁଣି ସେହି ନଦୀ ଶଯ୍ୟାରେ ପକାଯାଇ ପ୍ରାୟ ଦେଢ କିଲୋମିଟର ବ୍ୟାପି ଓସାର ଓ ୫ କିଲୋମିଟର ଲମ୍ବ ବିଶିଷ୍ଟ ଅଞ୍ଚଳକୁ ପୋତାଯାଇଛି। ମହାନଦୀରୁ ବାଲି ଉତ୍ତୋଳନ କରାଯାଇ ଏହାକୁ ପୁଣି ଏହି ନଦୀ ଶଯ୍ୟାରେ ପକାଯାଇ ପୋତାଯିବା ବେଆଇନ। ପୂର୍ବରୁ ହାଇକୋର୍ଟ ଦେଇଥିବା ରାୟର ଏହା ଉଲ୍ଲଙ୍ଘନ କରୁଛି। ସହର ଭିତରେ ଅନେକ ଖାଲଖମା ଥିଲେ ସୁଦ୍ଧା ସେଗୁଡ଼ିକୁ ବାଲି ପକାଯାଇ ପୋତାଯିବା ପରିବର୍ତ୍ତେ ନଦୀରେ ପୁଣି ପକାଯାଉଥିବାରୁ ନଦୀ ସ୍ରୋତ ସଙ୍କୁଚିତ ହେଉଛି। ବନ୍ୟା ଜଳ ନିଷ୍କାସନରେ ଏହା ସମସ୍ୟା ହେବ। କୌଣସି ସମୟରେ ଯଦି ଅଧିକ ବନ୍ୟା ଜଳ ମହାନଦୀରେ ଆସେ ତେବେ ତାହା କଟକ ସହର ପ୍ରତି ବିପଦ ସୃଷ୍ଟି କରିବ। ଅନ୍ୟପଟେ ଗଡଗଡିଆ ଘାଟରେ ଯେଉଁଠି ବାଲି ପକା ଯାଇଥିଲା, ବର୍ତ୍ତମାନ ତାହା ଉପରେ ମୋରମ ପକାଯାଇଛି। ନଈ କୂଳରେ ପାହାଚ ନିର୍ମାଣ କରାଯାଇଛି। ଏସବୁ ‌କାର୍ଯ୍ୟ ବେଆଇନ ବୋଲି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପଟେ ଏ ସଂପର୍କରେ କଟକ ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି ଯେ, ମହାନଦୀ ଶଯ୍ୟା ପୋତାଯିବା ସମ୍ପର୍କିତ ଏକ ମାମଲାରେ ପରିଦର୍ଶନ କରିବାକୁ ଆସିଥିବା ଜାତୀୟ ଗ୍ରିନ ଟ୍ରିବ୍ୟୁନାଲର ଟିମ୍‌କୁ ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ କରାଯାଇଛି। ମହାନଦୀରୁ ବାଲି ଉତ୍ତୋଳନ କରାଯାଇ ୪୨୪ ଏକର ପରିମିତ ଜାଗା ବାହାର କରାଯାଇଛି। ତାହାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କରାଯାଇଛି। ମହାନଦୀ ଶଯ୍ୟାର ପୂର୍ବ ସ୍ଥିତି କିପରି ଥିଲା ଓ ବର୍ତ୍ତମାନ ଏଠାରେ କଣ ନିର୍ମାଣ କରାଯାଇଛି କି’ ନାହିଁ ତାହା ଏହି ଟିମ୍‌ ଅନୁଧ୍ୟାନ କରିଛନ୍ତି। ଏହି ମାମଲା ଜାତୀୟ ଗ୍ରିନ ଟ୍ରିବ୍ୟୁନାଲଙ୍କ ବିଚାରାଧିନ ରହିଥିବାରୁ ଟ୍ରିବ୍ୟୁନାଲଙ୍କ ରାୟ ଉପରେ ଏହାର ଭବିଷ୍ୟତ ନିର୍ଭର କରିବ ବୋଲି ଶ୍ରୀ ଚୟନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe