ନିରାମୟକୁ ନେଇ ଏସ୍‌ସିବିରେ ରୋଗୀ ହତାଶ; କାଉଣ୍ଟରରେ ଡାକ୍ତର ଲେଖୁଥିବା ଔଷଧ ମିଳୁନି

ରାତିରେ କେବଳ ୨କାଉଣ୍ଟର ଖୋଲା; ଛକି ରହୁଛନ୍ତି ଦଲାଲ

ନିରାମୟକୁ ନେଇ ଏସ୍‌ସିବିରେ ରୋଗୀ ହତାଶ; କାଉଣ୍ଟରରେ ଡାକ୍ତର ଲେଖୁଥିବା ଔଷଧ ମିଳୁନି

Sambad

କଟକ: ନିରାମୟ କାଉଣ୍ଟର ପାଖରେ ଛକି ବସୁଛନ୍ତି ଦଲାଲ। ଯଦି ଡାକ୍ତର ଲେଖିଥିବା ଔଷଧ ନମିଳୁଛି, ସିଧା ରୋଗୀ ଓ ସଂପର୍କୀୟଙ୍କୁ କିଛି ନିର୍ଦ୍ଦିଷ୍ଟ ‌ଔଷଧ ଦୋକାନକୁ ଭିଡି ନେଉଛନ୍ତି। କେବଳ ସେତିକି ନୁହେଁ ଦଲାଲାଙ୍କ ରାଜ୍‌ ଏସ୍‌ସିବିରେ ଏମିତି ବଢିଛି ଯେ, ତା’ ଉପରେ ଅଙ୍କୁଶ ଲାଗିପାରୁନି। ମାଗଣା ଔଷଧ ପାଇଁ ରୋଗୀଙ୍କ ସଂପର୍କୀୟ ଘଣ୍ଟା ଘଣ୍ଟା କାଉଣ୍ଟର ପାଖରେ ଛିଡା ହେବା ପରେ ଶେଷରେ ନିରାଶ ହୋଇ ଫେରୁଛନ୍ତି। ସ୍ବୀକୃତିପ୍ରାପ୍ତ ଦୋକାନରୁ ଔଷଧ ମିଳି ଯାଉଥିବା ବେଳେ ଆଉଟ୍‌ ଡୋର ରୋଗୀ କିନ୍ତୁ ଦହଗଞ୍ଜ ହେଉଛନ୍ତି। ଏପଟେ ରାତି ହେଲେ କଥା ସରିଲା। ୫ଟିରୁ ୩ଟି କାଉଣ୍ଟର ଅପରାହ୍ନ ସାଢେ ୫ଟା ପରେ ବନ୍ଦ। କେବଳ ଦୁଇଟି କାଉଣ୍ଟର ଉପରେ ନିର୍ଭର କରୁଛନ୍ତି ଶତାଧିକ ରୋଗୀ।

ଏସ୍‌ସିବିରେ କରୋନା ପାଇଁ ରୋଗୀଙ୍କ ସଂଖ୍ୟା କମିଥିଲା। କିନ୍ତୁ ଏବେ ପୁଣି ପୂର୍ବ ଭଳି ରୋଗୀ ଆସିବା ଆରମ୍ଭ ହୋଇଛି। ରୋଗୀ ସଂଖ୍ୟା ଅନୁସାରେ ଏସ୍‌ସିବିରେ ନିରାମୟ କେନ୍ଦ୍ର ହେଉ ବା ରକ୍ତ ତଥା ବିଭିନ୍ନ ପରୀକ୍ଷା ପାଇଁ ଥିବା କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଉନି। ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଏସ୍‌ସିବିରେ ସ୍ତ୍ରୀରୋଗ ପ୍ରସୂତି ବିଭାଗ, ହୃଦ୍‌ରୋଗ ବିଭାଗ, ଓପିଡି ବା କୋଭିଡ୍‌ ୱାର୍ଡ ସମ୍ମୁଖରେ ଥିବା କାଉଣ୍ଟର ସକାଳ ୯ଟାରୁ ଅପରାହ୍ମ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। ବାକି ଦୁଇ କାଉଣ୍ଟର ୨୪ଘଣ୍ଟା ଖୋଲା ରହୁଛି। ବିଏସ୍‌କେୱାଇ କାଉଣ୍ଟରରେ କେବଳ କାର୍ଡ ଥିବା ଓ ‌ଚିକିତ୍ସିତ ହେଉଥିବା ରୋଗୀ ସୁବିଧା ପାଉଥିବା ବେଳେ ଆରଡିସି ସମ୍ମୁଖରେ ଥିବା କାଉଣ୍ଟରରୁ ଅନ୍ୟ ରୋଗୀ ସୁବିଧା ପାଉଛନ୍ତି। କାଉଣ୍ଟର ସଂଖ୍ୟା କମ୍ ଥିବାରୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡା ହେଉଛନ୍ତି ରୋଗୀ। ଆଜି ବିଭିନ୍ନ ସ୍ଥାନରୁ ଆସିଥିବା ରୋଗୀ ଉର୍ମିଳା ନାଥ, ଭାଗ୍ୟଲକ୍ଷ୍ମୀ ଜେନା, ପ୍ରଫୁଲ୍ଲ ସାମଲ, ମହେନ୍ଦ୍ର ଦାସ ମଧ୍ୟ ଡାକ୍ତରଙ୍କ ଚିଠା ଅନୁସାରେ ଔଷଧ ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଅପେକ୍ଷା କରିଥିଲେ ।

କିନ୍ତୁ ସେମାନଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା। କାରଣ ଡାକ୍ତର ଲେଖିଥିବା ଚିଠାରୁ ମାତ୍ର ୨/୩ଟି ଔଷଧ ମିଳିଥିଲା। ସେଥିରୁ ୨ଜଣ ୱାର୍ଡରେ ଭର୍ତ୍ତି ହୋଇଥିବାରୁ ସେମାନେ ସ୍ବୀକୃତିପ୍ରାପ୍ତ ଦୋକାନକୁ ଯାଇଥିବାବେଳେ ବାକି ମାନେ ନିରାଶ ହୋଇଥିଲେ। ଅନ୍ୟପଟେ କିଛି ରୋଗୀ ସଂପର୍କୀୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଔଷଧ ନମିଳିଲେ କାଉଣ୍ଟର ପାଖରେ ଅପେକ୍ଷା କରିଥିବା ଲୋକ ଆମକୁ ନିର୍ଦ୍ଦିଷ୍ଟ ଦେକାନକୁ ଯାଇ ଔଷଧ ନେବାକୁ ବାଧ୍ୟ କରୁଛନ୍ତି। ଏପରିକି ସେହି ଦୋକାନରେ ଔଷଧ ନମିଳିଲେ ଦୋକାନୀ ଚିଠା ବାହାରେ ବି ଔଷଧ ଦେଉଛନ୍ତି ଓ ନେବାକୁ ବାଧ୍ୟ ବି କରୁଛନ୍ତି। କାରଣ ନିରାମୟରେ ଯଦି ଡାକ୍ତରଙ୍କ ଚିଠା ଅନୁସାରେ ଔଷଧ ମିଳୁନି ତାହେଲେ କାଉଣ୍ଟରରେ ଔଷଧ ନାହିଁ କହି ଫେରାଇ ଦେଉଛନ୍ତି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ ନିରାମୟ କାଉଣ୍ଟର ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe