ବଡ଼ମେଡ଼ିକାଲ ଆଉଟ୍‌ଡ଼ୋରକୁ ମିଳୁନି ଆଣ୍ଟିଜେନ୍‌ କିଟ୍‌

କଟକରେ ଘରୋଇ କୋଭିଡ଼ ପରୀକ୍ଷା ବ୍ୟବସ୍ଥା ଫେଲ୍

ବଡ଼ମେଡ଼ିକାଲ ଆଉଟ୍‌ଡ଼ୋରକୁ ମିଳୁନି ଆଣ୍ଟିଜେନ୍‌ କିଟ୍‌

କଟକ: କଟକ ବଡ଼ଡାକ୍ତରଖାନା‌ ଆଉଟ୍‌ଡୋରରେ ଦିନକୁ ଦିନ ରୋଗୀଙ୍କ ଭିଡ ଜମୁଛି। ହେଲେ ଆଉଟ୍‌ଡୋରକୁ ଦିଆଯାଉନି ଆଣ୍ଟିଜେନ୍‌ କିଟ୍‌। କେବଳ ସେତିକି ନୁହେଁ, କାଜୁଆଲିଟି ଓ ସ୍ତ୍ରୀ ରୋଗ ପ୍ରସୂତି ବିଭାଗକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗକୁ ଠିକ୍‌ରେ ଆଣ୍ଟିଜେନ୍‌ କିଟ୍‌ ଦିଆଯାଉ ନଥିବାରୁ ଅସନ୍ତୋଷ ବଢୁଛି। । ଫଳରେ ଏସ୍‌ସିବି ଆଉଟ୍‌ଡୋରକୁ ଆସୁଥିବା ରୋଗୀଙ୍କର ଏଣିକି କେବଳ ଆର୍‌ଟିପିସି୍ଆର ପରୀକ୍ଷା କରାଯାଉଛି। ଏପଟେ କିନ୍ତୁ ଦନ୍ତ ମହାବିଦ୍ୟାଳୟରେ ଲକ୍ଷଣ ଥାଉ ବା ନଥାଉ, ସମସ୍ତ ପିଜି ଛାତ୍ର, ଡାକ୍ତର ଓ କର୍ମଚାରୀଙ୍କ ପରୀକ୍ଷା କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ଦ୍ଦେଶ ଦେବା ପରେ ୧୪୦ଜଣଙ୍କ ପରୀକ୍ଷା କରାଯାଇଛି।

ସହରରେ ଲୋକଙ୍କୁ ସୁବିଧାରେ କରୋନା ପରୀକ୍ଷା ପାଇଁ ୧୮ଟି ଲାବ୍‌ ଓ ହସ୍ପିଟାଲକୁ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ପରୀକ୍ଷା ପାଇଁ ଅନୁମତି ମିଳିଛି। ହେଲେ କିଟ୍ ଅଭାବ ସହ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବାରୁ ଏ ପଦକ୍ଷେପ ଏକ ପ୍ରକାର ଫେଲ୍ ମାରିଛି। ଏଭଳି ସ୍ଥିତିରେ କଟକ ସହରବାସୀଙ୍କ ପାଇଁ ସହଜ ପରୀକ୍ଷା ବ୍ୟବସ୍ଥା ସ୍ବପ୍ନ ପାଲଟିଛି।

publive-image

ବିନା ଆଣ୍ଟିଜେନ୍‌ ପରୀକ୍ଷାରେ ଏସ୍‌ସିବିରେ ରୋଗୀଙ୍କୁ ଭର୍ତ୍ତି କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ନାମା ଜାରି କରିଥିଲେ। କିନ୍ତୁ ଏବେ ଏସ୍‌ସିବିରେ ଆଣ୍‌ଟିଜେନ୍‌ କିଟ୍‌ ଅଭାବ ଯୋଗୁଁ ଆରଟିପିସିଆର ପରୀକ୍ଷା କରାଯାଇଛି। ୨/୩ଟି ବିଭାଗକୁ ବାଦ୍‌ଦେଲେ ଅନ୍ୟ ବିଭାଗରେ ଆଣ୍ଟିଜେନ୍‌ ଟେଷ୍ଟ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୂର୍ବରୁ ଆଉଟଡୋରରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ବିଭାଗରେ ଭର୍ତ୍ତି କରାଯାଉଥିଲା। ଏବେ କିନ୍ତୁ ୩ ଦିନ ହେଲାଣି ଆଉଟ୍‌ଡୋରକୁ ଆଉ ଆଣ୍ଟିଜେନ୍‌ କିଟ୍‌ ଦିଆଯାଉନଥିବା ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ କିଟ୍‌ ଅଭାବ ଓ ସ୍ବାବ୍‌ ରିପୋର୍ଟ ବିଳମ୍ବ ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଜି ପୁଣି ୬ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିରୁ ଜଣେ କର୍ମଚାରୀ, ୫ଜଣ ରୋଗୀ ଓ ତାଙ୍କ ସଂପର୍କୀୟ ରହିଛନ୍ତି। ସହରର ୧ ୮ଟି ଲାବ୍‌ ଓ ହସ୍ପିଟାଲକୁ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ହେଲେ ସେମାନଙ୍କ ମଧ୍ୟରୁ ଅନେକ ଲାବ୍‌ରେ ପରୀକ୍ଷା ହେଉନି। ଯଦି ବି କେଉଁଠି ପରୀକ୍ଷା କରାଯାଉଛି ତେବେ ତାକୁ ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ରଖାଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe