Sambad
କଟକ: ଛାଡ଼ଖାଇକୁ ବୁଧବାର। ଲୋକଙ୍କ ଚାହିଦାକୁ ଦେଖି ଭୋର ୪ଟାରୁ ଖୋଲିଲା ଆମିଷ ବଜାର। କିନ୍ତୁ ସବୁଠି ଭିଡ଼। ଅଧିକାଂଶ ଲୋକ ତ ଆଗୁଆ ଅର୍ଡର କରି ରଖିଥିଲେ। କିନ୍ତୁ ଖାସି ମାଂସ କିଲୋ ଆଜି ୭୫୦ ଟଙ୍କାରେ ବିକ୍ରି ହୋଇଥିଲେ ବି ମଧ୍ୟାହ୍ନ ବେଳକୁ ନିଅଣ୍ଟ ପଡିଥିଲା। ଲୋକେ ନିରାଶ ହୋଇ ଫେରି ଥିଲେ। ନୂଆବଜ଼ାର କଂସେଇ ଖାନାରେ ସେଠାରେ ବେପାର କରୁଥିବା ୯ ଜଣ ମଟନ ବ୍ୟସାୟୀ ଆଜି ହାରାହାରି କୋଡିଏ କୁଇଣ୍ଟାଲରୁ ଅଧିକ ମାଂସ ବିକ୍ରି କରିଛନ୍ତି। ଖାନନଗର ମାଂସ ମାର୍କେଟର ୧୦ ଜଣ ବ୍ୟବସାୟୀ ୨୫ କୁଇଣ୍ଟାଲରୁ ଅଧିକ ମାଂସ ବିକ୍ରି କରିଛନ୍ତି। ଏସବୁ ଜାଗାରେ ମାଂସ ନ ମିଳିବାରୁ ଲୋକେ ନୂଆବଜ଼ାର ଛକ, ସିଆରଆରଆଇ, ଗାନ୍ଧୀ ଛକ, ମହାନଦୀବିହାର ବୁଚରସ୍ ପଏଣ୍ଟ ଭଳି ଅଞ୍ଚଳକୁ ଯାଇ ମାଂସ ପାଇଁ ଭିଡ ଜମାଇଥିଲେ। ମାଂସ ବ୍ୟବସାୟୀ ଶେଖ ସୁଲେମାନଙ୍କ କହିବା ଅନୁଯାୟୀ ପନ୍ଦର ଦିନ ପୂର୍ବରୁ ଲୋକ ଖାସି ନେବା ପାଇଁ ଅଗ୍ରିମ ଦେଇଥିଲେ। ଜଗତସିଂହପୁର, ତିର୍ତୋଲ, ନାଉଗାଁ, ନିଆଳି, ବାରିପଦାରୁ ସେମାନେ ଛେଳି ଆଣିଥିଲେ। କିନ୍ତୁ ଆଜି ପରିସ୍ଥିତି ଏପରି ହୋଇଥିଲା ଯେ ଖାସି ଯୋଗାଡ଼ ନ ହୋଇପାରିବାରୁ ଲୋକଙ୍କ ଅଗ୍ରିମ ଫେରାଇ ଦେଇଥିଲୁ। ସେମିନାରି ଛକ, ଓଏମପି ଛକରେ ଥିବା କେନ୍ଦ୍ରରେ ଦିନ ୧୧ଟା ବେଳକୁ ମଟନ୍ ଶେଷ ହୋଇ ଯାଇଥିଲା।
ଯୋବ୍ରା ମାଛ ମାର୍କେଟ ଓ ନୂଆବଜ଼ାର ମାଛ ମାର୍କେଟରେ ଆଜି ମାଛ ବେପାର ବି ବେଶ ଜମିଥିଲା। ଆନ୍ଧ୍ର ରୋହି, ଭାକୁର ୨୨୦ ରୁ ୨୫୦ ଟଙ୍କା କିଲୋ ପିଛା, ପାମ୍ପଲେଟ ସାଇଜ ଅନୁଯାୟୀ କିଲୋ ପିଛା ୭୦୦ରୁ ୧୨୦୦ ଟଙ୍କା, କଙ୍କଡା ସାଇଜ ଅନୁଯାୟୀ କିଲୋ ପିଛା ୩୦୦ରୁ ୫୦୦ ଟଙ୍କା, ଚିଙ୍ଗୁଡ଼ି (କଣ୍ଟାଲ ) ସାଇଜ ଅନୁଯାୟୀ କିଲୋ ପିଛା ୩୦୦ ରୁ ୫୦୦ ଟଙ୍କା, ନଈ ଚିଙ୍ଗୁଡ଼ି ( ଗଜା) କିଲୋ ପିଛା ସାଇଜ ଅନୁଯାୟୀ ୪୦୦ରୁ ୭୦୦ ଟଙ୍କା, ନଈ ରୋହି ଭାକୁର ୫ କେଜିରୁ ଅଧିକ ସାଇଜ କିଲୋ ପିଛା ୩୫୦ ଟଙ୍କାରେ ବିକ୍ରି ହୋଇଛି। ମହାନଦୀବିହାର ବୁଚରସ୍ ପଏଣ୍ଟର ସ୍ବାଧୀନ ନାୟକ କହିବା ଅନୁଯାୟୀ ଆଜି ମଟନ, ମାଛ, ଚିକେନ ସବୁର ଚାହିଦା ଥିଲା। ଆଗୁଆ ପ୍ରସ୍ତୁତି କରିଥିବାରୁ ଲୋକଙ୍କ ଚାହିଦା ଅନୁଯାୟୀ ଯୋଗାଇ ପାରିଲୁ। କିନ୍ତୁ ପ୍ରାୟ ସବୁ ସାମଗ୍ରୀ ଶେଷ ଆଡ଼କୁ ସରି ଯାଇଥିଲା। ମାଛ ବ୍ୟସାୟୀ ନାରାୟଣ ମଲ୍ଲିକଙ୍କ କହିବା ଅନୁଯାୟୀ ଆଜି ସେ କୁଇଣ୍ଟାଲ ଚାଳିଶ କିଲୋ ମାଛ ବିକ୍ରି କରିଥିବା ବେଳେ ଦଶଟା ପରେ ଆସୁଥିବା ଗ୍ରାହକ ମନ ମୁତାବକ ମାଛ ପାଇ ନଥିଲେ। ନୂଆବଜ଼ାର ମାଛ ମାର୍କେଟରେ ଆଜି ତିରିଶ କୁଇଣ୍ଟାଲରୁ ଅଧିକ ମାଛ ବିକ୍ରି ହୋଇଥିବା ବେଳେ ଯୋବ୍ରାରେ ଚାଳିଶ କୁଇଣ୍ଟାଲରୁ ଅଧିକ ମାଛ ବିକ୍ରି ହୋଇଛି। ଆଜି ମୁଖ୍ୟତଃ ମଟନ୍ ଆଉ ମାଛର ଚାହିଦା ଥିବା ବେଳେ ଚିକେନ (ବ୍ରୟଲର) ବେପାର ମାନ୍ଦା ପଡିଥିଲା। ଚିକେନ ବେପାରୀ ଅଶୋକ ଦାସଙ୍କ କହିବା ଅନୁଯାୟୀ ପୂର୍ବ ବର୍ଷ ଯେଉଁ ଅନୁସାରେ ଚିକେନ ବେପାର ହୋଇଥିଲା ଏ ବର୍ଷ ପୁରା ଅଧା ହୋଇଯାଇଛି। ସେ ୫୦ ଟି ବ୍ରୟଲର କୁକୁଡ଼ା ଆଣିଥିବା ବେଳେ ଓଏମପି ଛକରେ ମାତ୍ର ୧୮ଟି କୁକୁଡ଼ା ବିକ୍ରି ହୋଇଛି। ଆଜି କଟକର ବକ୍ସି ବଜ଼ାରରେ ଥିବା ଚିକେନ କାଉଣ୍ଟର ମାନଙ୍କରେ କିଲୋ ପିଛା ବ୍ରୟଲର ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦେଶୀ କୁକୁଡ଼ା ପର ଲଗା କିଲୋ ପିଛା ୪୦୦ ରୁ ୪୫୦ ଟଙ୍କା ଓ କଲର ବାର୍ଡ଼ କୁକୁଡ଼ା ପର ଲଗା ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥିଲା।
Follow Us