କଟକ: ଜଗତପୁର ଷ୍ଟେସନ ବଜାର ରାସ୍ତାର ନିର୍ମାଣାଧୀନ ଡ୍ରେନରେ ପଡ଼ି ଯୁବକ ଗୁରୁତର ଆହତ ହେବା ଘଟଣାକୁ ଓଡ଼ିଶା ମାନବାଧିକାର କମିସନ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ପୀଡ଼ିତ ଯୁବକଙ୍କ ଚିକିତ୍ସା ପ୍ରସଂଗ ଦେଖାରଖା କରୁଥିବା ନିକଟ ସଂପର୍କୀୟଙ୍କୁ ୫୦ ହଜାର ଟଙ୍କା ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ କମିସନ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ରିପୋର୍ଟ ଦାଖଲ ପାଇଁ କଟକ ଜିଲ୍ଲାପାଳଙ୍କୁ କମିସନ କହିଛନ୍ତି।
ଡ୍ରେନ ନିର୍ମାଣ କାର୍ଯ୍ୟ କରୁଥିବା ସଂପୃକ୍ତ ବିଭାଗର ଅବହେଳା ପାଇଁ ଯୁବକ ଡ୍ରେନରେ ପଡ଼ି ଗୁରୁତର ଆହତ ହୋଇଥିବା ଆପାତତଃ ସ୍ପଷ୍ଟ ହେବା ପରେ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିସନଙ୍କ ଆଦେଶରେ ଉଲ୍ଲେଖ କରାଯାଇଛି। ଏଥି ସହିତ କମିସନ କଟକ ଆର ଆଣ୍ଡ ବି ଡିଭିଜନ-୨ ଅଧୀକ୍ଷଣ ଯନ୍ତ୍ରୀ ଓ ସିଏମସି କମିସନରଙ୍କ ନିକଟରୁ ଏହି ମାମଲାରେ ରିପୋର୍ଟ ତଲବ କରିଛନ୍ତି। ସଂପୃକ୍ତ ଡ୍ରେନ ନିର୍ମାଣ ସ୍ଥଳରେ ତୁରନ୍ତ ବ୍ୟାରିକେଡ ଓ ସିଗନାଲ ବ୍ୟବସ୍ଥା କରିବା ପାଇଁ ଆର ଆଣ୍ଡ ବି ଡିଭିଜନ-୨ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଫଟୋଗ୍ରାଫ ପରବର୍ତ୍ତୀ ଶୁଣାଣି ସମୟରେ ଅଧୀକ୍ଷଣ ଯନ୍ତ୍ରୀ ଦାଖଲ କରିବେ ବୋଲି କମିସନ କହିଛନ୍ତି। ୨୦୨୬, ଜାନୁଆରି ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଗୁରୁତର ହୋଇଥିଲେ ଯୁବକ
କମିସନ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ନଭେମ୍ବର ୩୦ ରାତିରେ ସବ୍ୟସାଚୀ ଜେନା ଜଗତପୁର ଷ୍ଟେସନ ବଜାର ରାସ୍ତାରେ ଚାଲିଥିବା ନିର୍ମାଣଧୀନ ଡ୍ରେନରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସେ ମୋଟରସାଇକେଲରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ି ତାଙ୍କୁ ସାଇଡ଼ ମାରିବାରୁ ସେ ଭାରସମ୍ୟ ହରାଇ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏସସିବି ମେଡିକାଲ କଲେଜ, ହସ୍ପିଟାଲ ଓ ପରେ ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆହୁରି ପଢ଼ନ୍ତୁ: Statement Urban Development Minister କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର
ବେପରୱା ଭାବେ ଡ୍ରେନ ନିର୍ମାଣ ଅଭିଯୋଗ
ଅସ୍ତ୍ରୋପଚାର ପରେ ପୀଡ଼ିତଙ୍କୁ ଆଇସିୟୁରେ ରଖାଯାଇଥିଲା। ଘଟଣା ଦିନ ଡ୍ରେନ ନିର୍ମାଣ କରାଯାଉଥିବା ସ୍ଥାନରେ କୌଣସି ବାଡ଼ ବା ସୂଚନା ଫଳକ ନଥିଲା। ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ବେପରୱା ଭାବେ ଡ୍ରେନ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି ସମୟରେ ଏ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରସଂଗରେ ଶ୍ରୀ ଦାସ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯଦି ନିର୍ମାଣକାରୀ ସଂସ୍ଥା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନିର୍ମାଣ କାର୍ଯ୍ୟ କରୁଥାନ୍ତା ତେବେ ପୀଡ଼ିତଙ୍କ ଏପରି ଅବସ୍ଥା ହୋଇ ନଥାନ୍ତା ବୋଲି ଶ୍ରୀ ଦାସ ଦର୍ଶାଇଥିଲେ। ପୀଡ଼ିତଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ଦାସଙ୍କ ତରଫରୁ ଦର୍ଶାଯାଇଛି।
ଆହୁରି ପଢ଼ନ୍ତୁ: Parking Restrictions: ରାସ୍ତାରେ ପାର୍କିଂ ଦଣ୍ଡନୀୟ: ଟ୍ରାଫିକ ଭିଡ଼ ଏଡାଇବା ପାଇଁ କଟକଣା ଲାଗୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/04/ohrc-2025-12-04-20-15-37.jpg)