Sambad
କଟକ: କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଥା କଚେରି ଗଡ଼ାରେ ୪ଦିନ ହେଲା ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ଆଜି ସ୍ବେଚ୍ଛାସେବୀଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧଙ୍କ ବିଷୟରେ ‘ସମ୍ବାଦ’ରେ ବୁଧବାର ଦିନ ଖବର ପ୍ରକାଶ ପାଇଥିଲା।
‘ସମ୍ବାଦ’ରୁ ବୃଦ୍ଧଙ୍କ ବିଷୟରେ ଜାଣିବା ପରେ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର କମିସନ ସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା ସଂପୃକ୍ତ ବୃଦ୍ଧଙ୍କ ସହାୟତା ପାଇଁ ଉତ୍ପରତା ପ୍ରକାଶ କରିଥିଲେ। ଇଞ୍ଜିନିୟର ଶ୍ରୀ ବେହେରାଙ୍କ ସମେତ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ, କିପ୍ ସ୍ମାଇଲିଂ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦୁଡ଼ୁଲ୍ ସ୍ବାଇଁ, ଯୁବ ଯାଦବ କର୍ମକର୍ତ୍ତା ପ୍ରୀତିରଞ୍ଜନ କାଠୁଆ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଖାଦ୍ୟ, ପାଣି, ନୂତନ ପୋଷାକ ଦେଇ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସଂପୃକ୍ତ ବୃଦ୍ଧ ଏବେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଓ ତାଙ୍କୁ ସଂପୂ୍ର୍ଣ୍ଣ ସୁସ୍ଥ କରାଯିବା ପର୍ଯ୍ୟନ୍ତ ଚିକିତ୍ସା କରାଯିବ ବୋଲି ଇଞ୍ଜିନିୟର ଶ୍ରୀ ବେହେରା କହିଛନ୍ତି।
Follow Us