Photo by : intoday.in
ଚୌଦ୍ୱାର-ଗୁୁରୁଡ଼ିଝାଟିଆ : କରଞ୍ଜି ପଞ୍ଚାୟତ ବଡକୁସୁନପୁର ଗ୍ରାମର ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ଜମ୍ବୁଆ ଦେଉରୀ (୩୫)। ଜମ୍ବୁଆକୁ ଗତକାଲି ପୁଲିସ୍ ଅଟକ ରଖିଥିଲାବେଳେ ଅନ୍ୟଜଣେ ଏବେବି ଫେରାର୍ ଅଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ପୀଡ଼ିତା ବୃଦ୍ଧାଙ୍କୁ ଏସ୍ସିବି ମେଡିକାଲ୍ରେ ଚିକିତ୍ସା କରାଯାଉଥିବାବେଳେ ତାଙ୍କ ପରିବାର ଲୋକେ ଏବେ ଗାଁ ଛାଡ଼ିଦେଇ କଟକରେ ରହୁଥିବା ଜଣାପଡ଼ିଛି। ବଡ଼ ଝିଅ ଓ ସାନ ପୁଅ ଗାଁ ଛାଡ଼ି ଏବେ କଟକରେ ରହୁଥିବା ସାନ ଝିଅ ଘରକୁ ଚାଲିଆସିଛନ୍ତି।
ସୂଚନାରୁ ପ୍ରକାଶ ଯେ, ପୀଡ଼ିତା ବୃଦ୍ଧାଙ୍କୁ ଦୁଇ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନରେ ଜରିପୋଡି ଫୋଟକା କରିଦେଇଥିଲେ। ରାତିରେ ଏହି ଘଟଣା ଘଟିଥିବାରୁ ବୃଦ୍ଧାଙ୍କ ଚିତ୍କାର କେହି ଶୁଣିପାରିନଥିଲେ। ବୃଦ୍ଧା ଜଣକ ଯନ୍ତ୍ରଣାରେ ଚିତ୍କାର କରିବାରୁ ଉଭୟ ଯୁବକ ଘରେ ଥିବା ଖଇନି, ପଲିଥିନ୍ଗୁଡିକୁ ନିଅାଁ ଲଗାଇ ତାଙ୍କ ସମ୍ବେଦନଶୀଳ ଅଙ୍ଗଗୁଡିକରେ ଚେଙ୍କ ଲଗାଇଦେଇଥିଲେ। ତେବେ ପରଦିନ ସକାଳେ ତାଙ୍କ ବଡ଼ଝିଅ ଘରକୁ ଆସିଥିବାବେଳେ ମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶାଙ୍କୁ ଡାକିବାରୁ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ କହିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଧରିବାରେ ସଫଳ ହୋଇଥିଲେ। ତେବେ ପୁଲିସ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଜଣେ ଅଭିଯୁକ୍ତ ସେଠାରୁ ଖସିଯିବାରେ ସମର୍ଥ ହୋଇଥିଲା। ଅଭିଯୁକ୍ତ ଜମ୍ବୁଆକୁ ପୁଲିସ୍ ଥାନାକୁ ନେବା ସହ ପଚରାଉଚରା କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଚୌଦ୍ୱାର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
  
 Follow Us