ଦୁଇ ମହିଳାଙ୍କୁ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର : ଜମା କରୁଛନ୍ତି ଜଣେ, ଟଙ୍କା ଉଠାଇ ନେଉଛନ୍ତି ଆଉ ଜଣେ

ଦୁଇ ମହିଳାଙ୍କୁ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର : ଜମା କରୁଛନ୍ତି ଜଣେ, ଟଙ୍କା ଉଠାଇ ନେଉଛନ୍ତି ଆଉ ଜଣେ

ବୟାଳିଶମୌଜା: ଗୋଟିଏ ବ୍ୟାଙ୍କରେ ଦୁଇଜଣ ମହିଳା ପୃଥକ ଭାବେ ଆକାଉଣ୍ଟ୍‌ ଖୋଲିଥିଲେ। ହେଲେ, ବ୍ୟାଙ୍କ କର୍ତ୍ତୃପକ୍ଷ ଉଭୟଙ୍କୁ ଗୋଟିଏ ଆକାଉଣ୍ଟ୍‌ ନମ୍ବର ଦେଇଛନ୍ତି। ଏକଥା ଦୁଇ ଖାତାଧାରୀଙ୍କୁ ଜଣା ନଥିଲା। ଫଳରେ ଜଣେ ଟଙ୍କା ଜମା କରିଥିବା‌ ଟଙ୍କାକୁ ଅନ୍ୟଜଣକ ଉଠାଇ ନେଉଥିଲେ। ଆକାଉଣ୍ଟ୍‌ରୁ ଟଙ୍କା ଗାଏବ୍‌ ହେଉଥିବା ଦେଖି ଜଣେ ଖାତାଧାରୀ ଅଭିଯୋଗ କରିବା ପରେ ଏଭଳି ବିରାଟ ତ୍ରୁଟି ସାମ୍ନାକୁ ଆସିଛି। କଟକ ସଦର ୪୨ମୌଜାର କଳପଡ଼ା ବଜାରସ୍ଥିତ ଇଣ୍ଡିଆନ୍‌ ଉଭର୍‌ସିଜ୍‌ ବ୍ୟାଙ୍କ ଶାଖାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ।

ଖବର ମୁତାବକ, ୪୨ମୌଜା କଳପଡା ବଜାରସ୍ଥିତ ଇଣ୍ତିଆନ୍ ଓଭରସିଜ ବ୍ୟାଙ୍କରେ କଳପଡ଼ା ଗ୍ରାମର ଦୀପ୍ତିରଂଜନ ମୁଦୁଲିଙ୍କ ପତ୍ନୀ କବିତା ମୁଦୁଲିଙ୍କର ଏକ ଖାତା ଅଛି। ସେଇ ଗାଁର ବନମାଳି ମୁଦୁଲିଙ୍କ ପତ୍ନୀ କବିତା ମୁଦୁଲିଙ୍କର ବି ବ୍ୟାଙ୍କରେ ଏକ ଖାତା ରହିଛି। ଉଭୟଙ୍କୁ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ପାସ୍‌ବୁକ୍‌ରେ ଗୋଟିଏ ନମ୍ବର (୩୫୧୨୦୧୦୦୦୦୦୪୬୦୫) ରହିଛି। ଏହା ଆଗରୁ କାହାକୁ ଜଣା ପଡ଼ୁ ନଥିଲା। ହେଲେ, ସେମାନଙ୍କ ଭିତରୁ ଜଣେ ଜମା‌ କରିଥିବା ଟଙ୍କାକୁ ଯେତେବେଳେ ଅନ୍ୟଜଣେ ଉଠାଇ ନେଲେ ସେତେବେଳେ ଏ କଥା ସାମ୍ନାକୁ ଆସିଲା।

publive-image Sambad

ଦୀପ୍ତିରଂଜନଙ୍କ ପତ୍ନୀ କବିତାଙ୍କ ଅଭିଯୋଗ ମୁତାବକ, ସେ ନିଜ ଆକାଉଣ୍ଟ୍‌ରେ ଗତ ଫେବ୍ରୁଆରି ମାସ ସୁଦ୍ଧ ୩୩ହଜାର ଟଙ୍କା ଜମା କରିଥିଲେ। ହେଲେ, ଗତ ୭ତାରିଖ ଦିନ ସେ ଟଙ୍କା ଉଠାଇବାକୁ ଯିବାବେଳେ ସେଥିରେ ୧୯ହଜାର ୭ଶହ ଟଙ୍କା‌ ଥିବା ଓ ବାକି ୧୩ହଜାର ୩ଶହ ଟଙ୍କା ଉଠାଇ ନିଆଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ବ୍ୟାଙ୍କ ମ୍ୟାନେଜର ବଇରୀ ନବୀନ୍‌ଙ୍କୁ ସାକ୍ଷାତ କରି ଅଭିଯୋଗ କରିବାରେ, ଆକାଉଣ୍ଟ୍‌ରୁ ଟଙ୍କା ଉଠାଯାଇଛି ଓ ଏହାର ମେସେଜ୍‌ କବିତାଙ୍କ ମୋବାଇଲ୍‌କୁ ଯାଇଛି ବୋଲି ବ୍ୟାଙ୍କ ମ୍ୟାନେଜର ଜାଣିବାକୁ ପାଇଥିଲେ।

ହେଲେ, ଏହାକୁ କବିତା ଅସ୍ବୀକାର କରିଥିଲେ। ଖୋଳତାଡ଼ କରିବାରେ ଉକ୍ତ ମେସେଜ୍‌ ଦ୍ବିତୀୟ କବିତାଙ୍କ ମୋବାଇଲ୍‌କୁ ଯାଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ମ୍ୟାନେଜର ଦ୍ବିତୀୟ କବିତା ମୁଦୁଲିଙ୍କୁ ବ୍ୟାଙ୍କକୁ ଡକାଇ ଖାତା ଯାଞ୍ଚ କରିଥିଲେ। ଉଭୟ କବିତାଙ୍କ ଖାତା ନମ୍ବର ଏକା ଥିବା ଜଣାପଡ଼ିଥିଲା। ତା’ଛଡ଼ା, ଦୀପ୍ତିରଂଜନ ମୁଦୁଲିଙ୍କ ପତ୍ନୀ କବିତା ଜମା କରିଥିବା ଟଙ୍କା ବନମାଳି ମୁଦୁଲିଙ୍କ ପତ୍ନୀ କବିତା ଉଠାଇ ନେଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବ୍ୟାଙ୍କ ଅଡ଼ୁଆରେ ପଡ଼ିବ ବୋଲି କଥାକୁ ଭିତିରିଆ ଭାବେ ରଫାଦଫାର ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ବଇରୀ ନବୀନଙ୍କୁ ପଚାରିବାରେ ସେ କହିଛନ୍ତି, ଉଭୟ କବିତାଙ୍କ ବ୍ୟାଙ୍କ ଖାତା ନମ୍ବର ଗୋଟିଏ ଥିଲା। ଏ କଥା ଜଣାପଡ଼ିବା ପରେ ଉଭୟଙ୍କୁ ପୃଥକ ନମ୍ବରର ଖାତା ଦିଆଯାଇଛି। ଜଣେ ଅନ୍ୟଜଣଙ୍କ ଟଙ୍କା ଉଠାଇ ନେଇଥିବା ଘଟଣାକୁ ବି ଶ୍ରୀ ନବୀନ୍‌ ସ୍ବୀକର କରିଛନ୍ତି। ଉକ୍ତ ସମସ୍ୟାର ମଧ୍ୟ ସମାଧାନ କରାଯାଇଛି ବୋଲି ସେ କହିଛନ୍ତି। ପ୍ରଥମ କବିତାଙ୍କ ଟଙ୍କା ଉଠାଇ ନେଇଥିବା ଦ୍ବିତୀୟ କବିତା ଉକ୍ତ ଟଙ୍କା ଫେରାଇବାକୁ ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି।

ତେବେ, ବ୍ୟାଙ୍କରେ ଗ୍ରାହକଙ୍କ ସବୁ କାଗଜପତ୍ର ଟିକିନିଖି ଯାଞ୍ଚ କରିବା ପରେ ଆକାଉଣ୍ଟ୍‌ ଦିଆଯାଉଥିବାବେଳେ ଭିନ୍ନ ଭିନ୍ନ ଲୋକଙ୍କ ପତ୍ନୀ ଥିବା ଏକାନାମଧାରୀ ଦୁଇ ମହିଳାଙ୍କୁ କିପରି ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଟିଏ ଆକାଉଣ୍ଟ୍‌ ନମ୍ବର ଦେଲେ ତାହା ବୁଝା ପଡ଼ୁ ନାହିଁ। ତା’ଛଡ଼ା, ଶ୍ରୀ ନବୀନ ଗତ ୩ବର୍ଷ ହେଲା ଶାଖାର ପ୍ରବନ୍ଧକ ଥିବାବେଳେ ଏତେବଡ଼ ତ୍ରୁଟି ଉପରେ କିଛି ପଦକ୍ଷେପ ନ ନେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ପର୍ଯ୍ୟନ୍ତ ପ୍ରଥମ କବିତା ନିଜ ଟଙ୍କା ଫେରି ପାଇ ନଥିବାରୁ ତାଙ୍କ ଟଙ୍କା ମିଳିବା ଉପରେ ବି ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe