ରକ୍ଷଣାବେକ୍ଷଣ ନୋହିଲା...୫୦ ଲକ୍ଷ ଟଙ୍କାର ପାର୍କ ନଷ୍ଟ ହେବାକୁ ବସିଛି

Advertisment
ରକ୍ଷଣାବେକ୍ଷଣ ନୋହିଲା...୫୦ ଲକ୍ଷ ଟଙ୍କାର ପାର୍କ ନଷ୍ଟ ହେବାକୁ ବସିଛି

Sambad

କଟକ: ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ପୌର ନିଗମ ପାର୍କ ନିର୍ମାଣ କରିଥିଲା। ମାତ୍ର ଉଦ୍‌ଘାଟନ ହେବାର ୬ମାସ ପରେ ବି ନିଗମର ଇଂଜିନୟରିଂ ବିଭାଗ ପକ୍ଷରୁ ଶିକ୍ଷା ଓ ଚିତ୍ତ ବିନୋଦନ କମିଟିକୁ ପାର୍କକୁ ହସ୍ତାନ୍ତର କରାଯାଉନି। ଫଳରେ ପାର୍କର ରକ୍ଷଣାବେକ୍ଷଣ କାମ ହୋଇପାରୁନି। ଏଥିପାଇଁ ପାର୍କ ମଧ୍ୟରେ ଲାଗିଥିବା ଉପକରଣଗୁଡ଼ିକ ନଷ୍ଟ ହୋଇଗଲାଣି। ୧୬ନଂ ଵାର୍ଡ ଗୋରାକବର ଅଞ୍ଚଳରେ ନବନିର୍ମିତ ଡକ୍ଟର ରାଧାନାଥ ରଥ ପାର୍କର ଏହା ହେଉଛି ବାସ୍ତବ ସ୍ଥିତି। ଗତବର୍ଷ ସ୍ବାୟତ୍ତ ଶାସନ ଦିବସ‌ ତଥା ଅଗଷ୍ଟ ୩୧ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୫୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ପାର୍କର ଉଦ୍‌ଘାଟନ ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।

ତେବେ ପାର୍କଟିକୁ ଇଂଜିନୟରିଂ ବିଭାଗ ତରଫରୁ ଶିକ୍ଷା ଓ ଚିତ୍ତବିନୋଦନ ଷ୍ଟାଣ୍ଡିଂ କମିଟିକୁ ହସ୍ତାନ୍ତର କରାଯାଇନଥିବାରୁ ଅନେକ ଦିନ ଧରି ପାର୍କର ଫାଟକରେ ତାଲା ପଡ଼ିକି ରହିଥିଲା। ‌ଫ​ଳରେ ଏହା ମଧ୍ୟରେ ଲାଗିଥିବା ଅନେକ ଗଛଗୁଡ଼ିକ ଶୁଖିଗଲା। ଏପରି ସ୍ଥିତିରେ ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କ ଠାରୁ ଚାବି ଆଣି ଗଛଗୁଡ଼ିକରେ ପାଣି ଦେବା ସହ ଏହାକୁ ବ୍ୟବହାର କରାଗଲା। ମାତ୍ର ପାର୍କଟି ଷ୍ଟାଣ୍ଡିଂ କମିଟିକୁ ହସ୍ତାନ୍ତର ହୋଇନଥିବାରୁ ଏଠାରେ ମାଳି କିମ୍ବା ସୁରକ୍ଷାକର୍ମୀ ନିଯୁକ୍ତି ହେଲା ନାହିଁ। ଧୀରେଧୀରେ ପାର୍କ ମଧ୍ୟରେ ଲାଗିଥିବା ଅନେକ ଉପକରଣ ନଷ୍ଟ ହୋଇଗଲା। ବର୍ତ୍ତମାନ ଅନାବନା ଗଛ ବଢ଼ି ଅସ୍ବଚ୍ଛ ଅବସ୍ଥାରେ ଥିବାରୁ ଏଠାକୁ ଆଉ କେହି ଯାଉନାହାନ୍ତି। ରକ୍ଷଣାବେ‌କ୍ଷଣ ଅଭାବରୁ ଏଭଳି ସ୍ଥିତି ଉପୁଜିଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରମୋଦ ମହାପାତ୍ର, ସଂଜୀବ ଦାସଗୁପ୍ତା, ଡାକ୍ତର ହିମାଂଶୁ ମହାନ୍ତି, ଡାକ୍ତର ଗୋପାଳ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ଇଂଜିନିୟରିଂ ବିଭାଗ ଚାବି ହସ୍ତାନ୍ତର କରୁନଥିବାରୁ ପାର୍କ ନଷ୍ଟ ହେବାକୁ ବସିଛି ବୋଲି ଶିକ୍ଷା ଓ ଚିତ୍ତବିନୋଦନ କମିଟିର ଅଧ୍ୟକ୍ଷା ମୋନାଲିସା ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe